ଅପହରଣ, ଦେହ ବ୍ୟବସାୟ ଓ ଯୁବତୀ ଚାଲାଣ ଅଭିଯୋଗରେ ମହିଳା ଅପରାଧୀ ସୋନୁ ପଞ୍ଜାବନ୍‌କୁ ୨୪ ବର୍ଷ ଜେଲ୍‌

ନୂଆଦିଲ୍ଲୀ : ସୋନୁ ପଞ୍ଜାବନ୍‌ଙ୍କ ନାଁ ଶୁଣିଛନ୍ତି ତ? ତାଙ୍କୁ କୋର୍ଟ ୨୪ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଏହି ମହିଳାଙ୍କ ବିରୋଧରେ ରହିଛି ସାଂଘାତିକ ଅଭିଯୋଗ ସବୁ । ସୋନୁ ପଞ୍ଜାବନ୍ ବିରୋଧରେ ଯୁବତୀ ଚାଲାଣ, ଦେହ ବ୍ୟବସାୟ ଏବଂ ଅପହରଣ ଭଳି ବଡ଼ ଅପରାଧର ତାଲିକା ରହିଛି । ଦିଲ୍ଲୀ ପୋଲିସ୍ ତାଙ୍କୁ ୨୦୧୭ରେ ଏକ ୧୨ ବର୍ଷର ନାବାଳିକା ଅପହରଣ ମାମଲାରେ ଗିରଫ କରିଥିଲା । ତା ପରେ ତାର ଅପରାଧର ଚିଠା ପ୍ରସ୍ତୁତ କରିଥିଲା । ଦ୍ୱାରକା କୋର୍ଟ ଆଜି ତାକୁ ୨୪ ବର୍ଷ ପାଇଁ ଜେଲ୍‌ଦଣ୍ଡାଦେଶ ଦେଇଛନ୍ତି । ତା ସହିତ ୬୪ ହଜାର ଟଙ୍କା ଜରିମନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୋନୁର ପ୍ରକୃତ ନାଁ ହେଉଛି ଗୀତା ଆରୋରା । ତାକୁ ପୋକସୋ ଆକ୍ଟରେ ଦଣ୍ଡିତ କରାଯାଇଛି । ସେହିପରି ସୋନୁର ସହଯୋଗୀ ସନ୍ଦୀପ ବେଦଓ୍ଵାଲକୁ ୨୦ ବର୍ଷ ଜେଲ୍ ଦଣ୍ଡ ଏବଂ ୬୪ ହଜାର ଟଙ୍କାର ଜରିମନା ହୋଇଛି ।

sonu-1

ଖଳନାୟିକା ଓ ଖଳନାୟକ

ସନ୍ଦୀପ ଜଣେ ୧୨ ବର୍ଷର ନାବାଳିକାକୁ ନିଜ ପ୍ରେମ ଜାଲରେ ଫସାଇବା ପରେ୨୦୦୯ ସେପଟେମ୍ବର ୧୧ ତାରିଖରେ ତାକୁ ଅପହରଣ କରି ବଳାତ୍କାର କରିଥିଲା । ଏହା ପରେ ସୀମା ନାମ୍ନୀ ଜଣେ ମହିଳାଙ୍କୁ ବିକ୍ରି କରି ଦେଇଥିଲା । ପରେ ସେହି ମହିଳା ନାବାଳିକାଟିକୁ ସୋନୁ ପଞ୍ଜାବନ୍‌କୁ ବିକ୍ରି କରି ଦେଇଥିଲା । ସେହି ଝିଅକୁ ସୋନୁ ଦେହ ବ୍ୟବସାୟରେ ଲଗାଇବା ସହିତ ତାକୁ ବିଭିନ୍ନ ଭୟଙ୍କର ଡ୍ରଗସ୍ ମଧ୍ୟ ଦେଉଥିଲା । ତେବେ ଝିଅଟି ୨୦୧୪ ଫେବ୍ରୁଆରୀ ୯ ତାରିଖ ଦିନ ସୋନୁ କବଜାରୁ ଖସି ଆସି ନଜଫଗଡ଼ ପୋଲିସ୍‌ରେ ଅଭିଯୋଗ କରିଥିଲା । ତା ପରେ ପୋଲିସ୍ ଗିରଫ କରିଥିଲା ଏହି ମହିଳା ଅପରାଧୀକୁ ।
ଗତ ସପ୍ତାହରେ ସୋନୁ ପଞ୍ଜାବନ୍ ଦୋଷୀ ସାବ୍ୟସ୍ତ ହେବା ପରେ ତିହାର ଜେଲ୍‌ରେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ତାକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ସେ ସୁସ୍ଥ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.