କିମ୍‌ସ ୩ ଦିନର ଶିଶୁର ବିରଳ ହୃଦ ଅସ୍ତ୍ରୋପଚାର କରି କଲା ରେକର୍ଡ

ଭୁବନେଶ୍ୱର :  ମାତ୍ର ଜଣେ ୩ ଦିନର ଶିଶୁର ହୃଦ୍‌ ଅସ୍ତ୍ରୋପଚାର କରି କିମ୍‌ସ ଏକ ରେକର୍ଡ କରିଛି । ଏତେ କମ୍‌ ବୟସର ଶିଶୁର ହୃଦ ଅସ୍ତ୍ରୋପଚାର ଓଡ଼ିଶାର ପ୍ରଥମ ହୋଇଥିବା ବେଳେ ପୂର୍ବ ଭାରତରେ ଏହା ଏକ ଦୃଷ୍ଟାନ୍ତମୂଳକ ଅସ୍ତ୍ରୋପଚାର ବୋଲି କିମ୍‌ସ ହୃଦ୍‌ଶଲ୍ୟ ବିଶେଷଜ୍ଞ ଡାକ୍ତର ଅନୁପମ୍‌ ଜେନା କହିଛନ୍ତି ।

ସୂଚନାନୁଯାୟୀ, ଶିଶୁଟି ରକ୍ତଚାପ ଯୋଗୁ ହୃଦ୍‌ପିଣ୍ଡ ଜନିତ ସମସ୍ୟାର ସମ୍ମୁଖୀନ ହେଉଥିବା ଜାଣିବା ପରେ ଶିଶୁର ପିତାମାତା କିମ୍‌ସ ହୃଦ୍‌ଶଲ୍ୟ ବିଶେଷଜ୍ଞ ଡାକ୍ତର ଅନୁପମ୍‌ ଜେନାଙ୍କ ସହ ପରାମର୍ଶ କରିଥିଲେ । ଡା. ଜେନା ପରୀକ୍ଷା କରିବା ପରେ ଏହା ହୃତପିଣ୍ଡକୁ ସଂଯୋଗ କରୁଥିବା ରକ୍ତବାହିକା ନଳୀ ଆଓର୍ଟା ଅତି ପତଳା ଥିବା ଜାଣିବାକୁ ପାଇଥିଲେ । ରକ୍ତନଳୀଟି ଏତେ ପତଳା ଯେ, ତାହା ଦ୍ୱାରା ରକ୍ତ ସଞ୍ଚାଳନ ସମ୍ଭବ ହୋଇପାରୁନଥିଲା । ତୁରନ୍ତ ଶିଶୁର ଅସ୍ତ୍ରୋପଚାର ପାଇଁ ଡା. ଜେନା ପରାମର୍ଶ ଦେଇଥିଲେ ।

ଫଳରେ ମାତ୍ର ୩ ଦିନର ଶିଶୁର ହୃଦ୍‌ ଅସ୍ତ୍ରୋପଚାର କରାଯାଇଥିଲା । ଦୀର୍ଘ ଦୁଇ ଘଣ୍ଟାର ଅସ୍ତ୍ରୋପଚାର ପରେ ଶିଶୁକୁ ନୂତନ ଜୀବନ ପ୍ରଦାନ କରିଛନ୍ତି କିମ୍‌ସର ହୃଦ୍‌ଶଲ୍ୟ ବିଶେଷଜ୍ଞ ଡା. ଜେନା । ଏବେ ଶିଶୁଟି ସୁସ୍ଥ ଅଛି । କିମ୍‌ସର କ୍ୟାଥଲାବ ଦଳର ସମସ୍ତ ସଦସ୍ୟ ଏଥିରେ ଡା. ଜେନାଙ୍କୁ ସହଯୋଗ କରିଥିଲେ। ଉନ୍ନତ, ଅତ୍ୟାଧୁନିକ ଯନ୍ତ୍ରପାତି ଓ ଭିତ୍ତିଭୂମି ଯୋଗୁ ଏଭଳି ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି । ନିଜ ଅଭିଜ୍ଞତାରେ ମାତ୍ର ୩ ଦିନର ଶିଶୁଠାରେ ଅସ୍ତ୍ରୋପଚାର କରିବା ପ୍ରଥମ ବୋଲି ଡା. ଜେନା ପ୍ରକାଶ କରିଛନ୍ତି ।

ଏଭଳି ବିରଳ ଅସ୍ତ୍ରୋପଚାର ଓଡିଶାରେ ପ୍ରଥମ ଥର ପାଇଁ ହୋଇଥିବା ବେଳେ ପୂର୍ବ ଭାରତରେ ଏହା ଏକ ଦୃଷ୍ଟାନ୍ତମୂଳକ ଅସ୍ତ୍ରୋପଚାର ବୋଲି ଡା. ଜେନା କହିଛନ୍ତି । ତେବେ କିମ୍‌ସରେ ବ୍ୟାପକ, ଉନ୍ନତ ଓ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଭିତ୍ତିଭୂମି ତଥା ଲାଇଫ୍‌ ସପୋର୍ଟ ବ୍ୟବସ୍ଥାଥିବାରୁ ଏହି ଅସ୍ତ୍ରୋପଚାର ସମ୍ଭବ ହୋଇପାରିଲା ବୋଲି ଡା. ଜେନା ସୂଚନା ଦେଇଛନ୍ତି। ଏନେଇ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ଡା. ଅନୁପମ୍‌ ଜେନା ଓ ତାଙ୍କ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ଓ ଶିଶୁଟିର ଆରୋଗ୍ୟ କାମନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.