ସମାନ କାମ ପାଇଁ ସମାନ ଦରମା ଘୋଷଣା କଲେ କେନ୍ଦ୍ର ସରକାର,ଜାଣନ୍ତୁ କିଏ ପାଇବେ ଏହି ସୁବିଧା
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଖୁସି ଖବର। ଏବେ ସମସ୍ତ କାଜୁଆଲ କର୍ମଚାରୀଙ୍କୁ ସମାନ ଦରମା ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅଧୀନସ୍ଥ Department of Personnel and Training ଏହି ଆଦେଶ ଜାରି କରିଛି।
ଆଦେଶ ଅନୁସାରେ, ବର୍ତ୍ତମାନ ସମସ୍ତ ଅନିୟମିତ କର୍ମଚାରୀଙ୍କୁ ଆଠ ଘଣ୍ଟା କାମ ପାଇଁ ସେହି ପଦରେ କାମ କରୁଥିବା ନିୟମିତ କର୍ମଚାରୀଙ୍କ ବେତନର ସର୍ବନିମ୍ନ ମୂଳ ବେତନ ଏବଂ ମହଙ୍ଗା ଭତ୍ତା ସହ ସମାନ ଦରମା ମିଳିବ। ତେବେ ଆଦେଶ ସଂଖ୍ୟା ୪୯୦୧୪/୧/୨୦୧୭ ଅନୁସାରେ ସମାନ ଦରମା ପାଇବା ପରେ ମଧ୍ୟ ତାଙ୍କୁ ନିୟମିତ କର୍ମଚାରୀ ଭାବେ ପରିଗଣିତ କରାଯିବ ନାହିଁ।
ତେବେ ବର୍ତ୍ତମାନ ଏହି କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ଭତ୍ତା ମିଳୁଛି। ଦିଲ୍ଲୀ ସରକାର ଅଣକୁଶଳୀ ଶ୍ରମିକଙ୍କୁ ମୁଣ୍ଡପିଛା ୧୪ ହଜାର ଟଙ୍କା ଦେଉଥିବା ବେଳେ ଏହି ନୂଆ ନିୟମ ଲାଗୁ ହେବା ପରେ ଗ୍ରୁପ ଡି କର୍ମଚାରୀ ସର୍ବନିମ୍ନ ୩୦ ହଜାର ଟଙ୍କା ପାଇବେ। ଅର୍ଥାତ୍ ସେମାନଙ୍କ ଦରମା ଦ୍ୱିଗୁଣ ହୋଇଯିବ।
ଏହାସହ ପଢନ୍ତୁ: ଓନାମ୍ ପାଇଁ ଫ୍ୟାନ୍ଙ୍କୁ ଶୁଭେଚ୍ଛା ଜଣାଇଲେ ମାଷ୍ଟରବ୍ଲାଷ୍ଟର, ଜାଣନ୍ତୁ ଏହି ପର୍ବର ମାହାତ୍ମ୍ୟ
ତେବେ ଏହି ଆଦେଶ ଲାଗୁ ହେବା ନେଇ ଟ୍ରେଡ୍ ୟୁନିୟନ୍ ନେତା ସନ୍ଦେହ ବ୍ୟକ୍ତ କରିଛନ୍ତି। ଭାରତୀୟ ମଜଦୁର ସଂଘର ପୂର୍ବ ଅଧ୍ୟକ୍ଷ ବୈଜନାଥ ରାୟଙ୍କ କହିବା ଅନୁସାରେ ସରକାର ଏଭଳି ଅନେକ ନିୟମ ପୂର୍ବରୁ ମଧ୍ୟ ଘୋଷଣା କରିଛନ୍ତି। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ଲାଗୁ ହୋଇପାରିନାହିଁ।