କୁଲଭୂଷଣ ଯାଦବଙ୍କୁ ମିଳିଲା କନସୁଲାର ଆକ୍ସସେସ୍
ନୂଆଦିଲ୍ଲୀ: କୁଳଭୂଷଣ ଯାଦବଙ୍କୁ କନସୁଲାର ଆକ୍ସସେସ୍ ଦେବାକୁ ଗ୍ରହଣ କରିଛି ପାକିସ୍ତାନ । କୁଳଭୂଷଣଙ୍କୁ ଭେଟିଛନ୍ତି ପାକିସ୍ତାନରେ ଅବସ୍ଥାପିତ ଡେପୁଟୀ ହାଇକମିଶନର ଗୌରବ ଆଲୁଓ୍ଵାଲିଆ । ଇସ୍ଲାମାବାଦ୍ର ଏକ ଅଜ୍ଞାତ ସ୍ଥାନରେ ପାଖାପାଖି ଦୁଇ ଘଣ୍ଟା ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଗୌରବ ଆଲୁଓ୍ଵାଲିଆ ପାକିସ୍ତାନ ବିଦେଶ ମନ୍ତ୍ରାଳୟରେ ପହଞ୍ଚିବା ପରେ ବୈଠକ କରିଥିଲେ । କୁଳଭୂଷଣଙ୍କୁ ପ୍ରଥମ ଥର ଲାଗି କନ୍ସୁଲାର ଆକ୍ସସେସ୍ ଯୋଗାଇ ଦେଉଛି ପାକିସ୍ତାନ । ଗତ ଜୁଲାଇ ୧୭ ତାରିଖରେ କନସୁଲାର ଆକ୍ସସେସ୍ ଦେବା ପାଇଁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ ବା ICJ ରାୟ ଦେଇଥିଲେ । ଏଥିସହ ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ ହେଗ୍ ସ୍ଥିତ ICJ । କୁଳଭୂଷଣଙ୍କୁ ପାକିସ୍ତାନ ଫାଶୀ ଦେଇ ପାରିବନି ବୋଲି କୋର୍ଟ କହିଥିଲେ । ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ୨୦୧୬ ମାର୍ଚ୍ଚରେ ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନ ଗିରଫ କରିଥିବା ଦାବି କରୁଛି । ଭାରତ କିନ୍ତୁ ଏହାକୁ ଖଣ୍ଡନ କରୁଛି । ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଇରାନରେ ବ୍ୟବସାୟ କରୁଥିଲେ । ତାଙ୍କୁ ସେଠାରୁ ଅପହରଣ କରାଯାଇଥିବା ଭାରତ ଅଭିଯୋଗ କରୁଛି ।