Below header

ବାଂଲାଦେଶର ଏହି ମନ୍ଦିରକୁ ଛାରଖାର କରି ଦେଇଥିଲା ପାକିସ୍ତାନ; ଭାରତର ସହାୟତାରେ ହୋଇ ପାରିଛି ପୁନଃନିର୍ମାଣ; ଆଜି ଲୋକାର୍ପଣ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭାରତର ପଡ଼ୋଶୀ ଦେଶ ବାଂଲାଦେଶ, ପାକିସ୍ତାନଠାରୁୁ ସ୍ୱାଧୀନତା ପାଇବାର ୫୦ ବର୍ଷ ପୂର୍ତ୍ତି ଅବସରରେ ‘ସ୍ୱର୍ଣ୍ଣିମ ବିଜୟ ଦିବସ’ ପାଳନ କରୁଛି। ବାଂଲାଦେଶକୁ ସ୍ୱାଧୀନତା ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧର ପରିଣାମ ସ୍ୱରୂପ ମିଳିଥିଲା। ଭାରତୀୟ ସେନା ୧୩ ଦିନରେ ପାକିସ୍ତାନୀ ସେନାକୁ ଆଣ୍ଠେଇବାକୁ ବାଧ୍ୟ କରିଥିଲା, ଯାହା ପରେ ବାଂଲାଦେଶକୁ ପାକିସ୍ତାନୀମାନଙ୍କ ଦ୍ୱାରା କରାଯାଇଥିବା ନରସିଂହାରରୁ ମୁକ୍ତି ମିଳିଥିଲା।

ପାକିସ୍ତାନୀ ସେନା ବାଂଲାଦେଶରେ ରହୁଥିବା ହିନ୍ଦୁମାନଙ୍କୁ ଅନେକ ସଂଖ୍ୟାରେ ହତ୍ୟା କରିଥିଲା। ୨୭ ମାର୍ଚ୍ଚ ୧୯୭୧ରେ ପାକିସ୍ତାନୀ ସେନା ବାଂଲାଦେଶର ଢାକାରେ ଥିବା ଐତିହାସିକ ରମଣା କାଳୀ ମନ୍ଦିରକୁ ଧ୍ୱସ୍ତ କରି ଦେଇଥିଲା। ସେନା ଏହି କାର୍ଯ୍ୟକଳାପ ଅପରେସନ ସର୍ଚ୍ଚଲାଇଟ୍ ଅଧୀନରେ କରିଥିଲା। ସେହି ସମୟର ପୂର୍ବ ପାକିସ୍ତାନରେ ବଙ୍ଗୀୟ ରାଷ୍ଟ୍ରବାଦୀ ଆନ୍ଦୋଳନକୁ ଦମନ କରିବା ପାଇଁ ପାକିସ୍ତାନୀ ସେନା ଏହାକୁ ଆରମ୍ଭ କରିଥିଲା।

୧୦୦ ହିନ୍ଦୁଙ୍କର ହୋଇଥିଲା ନରସଂହାର

ରମଣା କାଳୀ ମନ୍ଦିରରେ ଉପସ୍ଥିତ ଥିବା ପ୍ରାୟ ୧୦୦ ହିନ୍ଦୁଙ୍କୁ ହତ୍ୟା କରାଯାଇଥିଲା। ପାକିସ୍ତାନୀ ସେନା ପାଖାପାଖି ଅଧ ଘଣ୍ଟା ଭିତରେ ସମସ୍ତ ଶ୍ରଦ୍ଧାଳୁ ଏବଂ ମନ୍ଦିରର ପୁରୋହିତମାନଙ୍କୁ ହତ୍ୟା କରିଥିଲା। ମନ୍ଦିରରେ ରହୁଥିବା ସେବକମାନଙ୍କୁ ମଧ୍ୟ ପାକିସ୍ତାନୀ ସୈନିକମାନେ ଛାଡ଼ି ନ ଥିଲେ। ନରସଂହାର ପରେ ମନ୍ଦିରରେ ଭଙ୍ଗାରୁଜା କରାଯାଇଥିଲା। ଏହାକୁ ସମ୍ପୂର୍ଣ୍ଣ ରୂପେ ଛାରଖାର କରି ଦିଆଯାଇଥିଲା ଏବଂ ନିଆଁ ଲଗାଇ ପୋଡ଼ି ଦିଆଯାଇଥିଲା।

ପାକିସ୍ତାନୀ ସେନା ଦ୍ୱାରା ବର୍ବାଦ କରାଯିବା ପୂର୍ବରୁ ରମଣା କାଳୀ ମନ୍ଦିର ବାଂଲାଦେଶର ପ୍ରମୁଖ ମନ୍ଦିର ମଧ୍ୟରେ ଗଣା ଯାଉଥିଲା। ଷୋଡଶ ଶତାବ୍ଦୀର ଶେଷ ଭାଗରେ କେଦାର ରାୟ, ବିକ୍ରମପୁର ଏବଂ ଶ୍ରୀପୁରର ଜମିଦାରମାନେ ନିଜ ଗୁରୁଙ୍କ ପାଇଁ ଏହି ମନ୍ଦିର ନିର୍ମାଣ କରିଥିଲେ। ପରିସରରେ ଅନେକ ପୁରାତନ ସ୍ମାରକୀ ରହିଥିଲା। ମନ୍ଦିର ପ୍ରାଙ୍ଗଣରେ ହରିଚରଣ ଏବଂ ଗୋପାଳ ଗିରିଙ୍କର ସମାଧି ଥିଲା। ୨୦୧୭ରେ ତତ୍କାଳୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବାଂଲାଦେଶ ଗସ୍ତ ସମୟରେ ଘୋଷଣା କରାଯାଇଥିଲା ଯେ ଭାରତ ମନ୍ଦିରର ପୁନଃନିର୍ମାଣରେ ସାହାଯ୍ୟ କରିବ। ଭାରତର ସହାୟତାରେ ମନ୍ଦିର ପୁଣି ଥରେ ନିର୍ମାଣ ହୋଇ ପାରିଛି। ତିନି ଦିନିଆ ବାଂଲାଦେଶ ଗସ୍ତରେ ଥିବା ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଏହାର ଲୋକାର୍ପଣ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.