ସ୍ବାମୀ ନିଜର ସ୍ତ୍ରୀଙ୍କୁ ତାଙ୍କ ସାଙ୍ଗ ସାମ୍ନାରେ ଡ୍ୟାନ୍ସ କରିବାକୁ କହିଥିଲେ, ମନା କରିବାରୁ କରିଦେଲେ ଲଣ୍ଡା

ଲାହୋର ଡିଫେନ୍ସ ହାଉସିଙ୍ଗ ଅର୍ଥରିଟି ଜିଲ୍ଲାର ପୋଶ କଲୋନୀରେ ରହୁଥିବା ଅସମା ଅଜିଜ୍ ନିଜ ସ୍ୱାମୀ ମିୟା ଫେସଲଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି। ରିପୋର୍ଟ ଅନୁଯାୟୀ ଅସମାଙ୍କ ସ୍ୱାମୀ ତାଙ୍କ ସାଙ୍ଗଙ୍କ ସାମ୍ନାରେ ତାଙ୍କୁ ଡ୍ୟାନ୍ସ କରିବା ପାଇଁ କହିଥିଲେ। ଏଥିରେ ଅସମା ରାଜି ନହେବାରୁ ତାଙ୍କ ସ୍ୱାମୀ ଫେସଲ ତାଙ୍କୁ ମାରିବା ସହ ଲଣ୍ଡା ମଧ୍ୟ କରିଦେଇଥିଲେ।
ଏହି ସବୁ ବିଷୟରେ ସମସ୍ତଙ୍କୁ ଜଣାଇବା ପାଇଁ ଅସମା ମାର୍ଚ୍ଚ ୨୬ରେ ଏକ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେଉଛି । ଏହି ଭିଡିଓ ମାଧ୍ୟମରେ ଅସମା ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି। ଭିଡିଓ ଭାଇରାଲ ହେବା ପରେ କିଛି ଲୋକ ତାଙ୍କ ସପୋର୍ଟରେ ମଧ୍ୟ ମତ ଦେବା ଆରମ୍ଭ କରିଛନ୍ତି ।
ଏହି ଭିଡିଓରେ ଏହି ପାକିସ୍ତାନୀ ମହିଳା ଅସମା କହିଛନ୍ତି, ମୋ ସ୍ୱାମୀ ଚାକର ସାମ୍ନାରେ ମୋ କପଡ଼ା ଓହ୍ଲାଇ ଦେଇଥିଲେ ଏବଂ ଚାକର ଜଣକ ମତେ ଜବରଦସ୍ତ ଧରି ରଖିଥିବା ବେଳେ ସେ ମୋର ସମସ୍ତ କେଶ କାଟି ଜଳାଇ ଦେଇଥିଲେ। ଏହା ପରେ ମତେ ଏକ ପାଇପ୍ ରେ ବାନ୍ଧି ପଙ୍ଖାରେ ଝୁଲାଇ ଦେଇଥିଲେ। ଏପରିକି ସେ ମତେ ଉଲଗ୍ନ କରି ପଙ୍ଖାରେ ଝୁଲାଇ ଦେବାର ଧମକ ମଧ୍ୟ ଦେଇଥିଲେ।
ଅସମା ଅଭିଯୋଗ ଆଣିଛନ୍ତି ଯେ ଏହି ଘଟଣା ବିଷୟରେ ଜଣାଇବା ପାଇଁ ଯଦିଓ ସେ ପୋଲିସ ପାଖକୁ ଯାଇଥିଲେ କିନ୍ତୁ ସେଠାରୁ ତାଙ୍କୁ ଫେରାଇ ଦିଆଯାଇଥିଲା। ଏହି ଘଟଣାକୁ ପୋଲିସ ଅଣଦେଖା କରିଥିଲା। ଏହି ଭିଡିଓ ଗୃହମନ୍ତ୍ରୀ ସାହାରୟାର ଅଫରିଦ୍ ଦେଖିବା ପରେ ଘଟଣା ବିଷୟରେ ଯାଞ୍ଚ କରିବା ପାଇଁ ପୋଲିସକୁ ଆଦେଶ ଦେଇଥିଲେ। ଏହାପରେ ପୋଲିସ ଅସମାଙ୍କ ସ୍ବାମୀ ମିୟା ଫେସଲ ଏବଂ ତାଙ୍କ ଚାକର ସରିଦ୍ ଅଲ୍ଲୀଙ୍କୁ ଜେରା କରିଛି। ଏହି ଘଟଣା ପରେ ଅସମାଙ୍କ ସ୍ୱାମୀ ମତ ରଖି କହିଛନ୍ତି ଯେ ଅସମା ନିଜେ ଡ୍ରଗ୍ସ ନିଶାରେ ନିଜର କେଶ କାଟିଦେଇଥିଲେ । ବାସ୍ ଖାଲି ଏଥିରେ ସେ ତାଙ୍କୁ ସାହାଯ୍ୟ କରିଥିଲେ।
ଏମନେଞ୍ ଇଣ୍ଟରନ୍ଯାସନାଲ ଏହି ଦୃଶ୍ୟ ଦେଖିବା ପରେ ଟ୍ବିଟ କରିଛନ୍ତି, ‘‘ଆମେ ଏହି କଥାକୁ ନେଇ ଖୁସି ଅଛୁ କି ଅସମା ଅଜିଜଙ୍କୁ ଅତ୍ୟାଚାର କରିଥିବା ବ୍ୟକ୍ତିଙ୍କ ବିପକ୍ଷରେ କଠୋର ଦଣ୍ଡ ବ୍ୟବସ୍ତା କରାଯିବ ।”