Below header

ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀ କରିଛନ୍ତି ନୂଆ ରଣନୀତି

ନୂଆଦିଲ୍ଲୀ: ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ ।  ଡିସେମ୍ବର ୧୩ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ୩୦ରୁ ଅଧିକ ବିଲ୍‌ ପାରିତ କରିବା ଲକ୍ଷ୍ୟରେ ଅଛନ୍ତି କେନ୍ଦ୍ର ସରକାର । ସେପଟେ ସରକାରଙ୍କୁ ଘେରିବାକୁ ବିରୋଧୀ କରିଛନ୍ତି ନୂଆ ରଣନୀତି । ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସଂଖ୍ୟା କମ ଥିଲେ ବି ପ୍ରସଙ୍ଗ ଅଧିକ ରହିଥିବା ଚର୍ଚ୍ଚା ହେଉଛି । ରାଫେଲ ଡିଲ୍‌କୁ ନେଇ କ୍ଲିନ୍‌ ଚିଟ୍‌, ଅଯୋଧ୍ୟା ଜମି ବିବାଦ ରାୟ, ଜମ୍ମୁ କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ । ଅଟକ ଥିବା ଫାରୁକ ଅବଦୁଲ୍ଲାଙ୍କୁ ମୁକ୍ତ ଓ ଚିଦାମ୍ବରମ୍‌ଙ୍କୁ ଅଧିବେଶନରେ ଯୋଗଦେବାକୁ ଅନୁମତି ପାଇଁ ଦାବି କରିଥିଲେ ବିରୋଧୀ । ବିରୋଧୀଙ୍କୁ ମାତ୍‌ ଦେବାକୁ ତାଙ୍କରି ତୀରରେ ତାଙ୍କୁ ଆକ୍ରମଣ କରିବାକୁ ରଣନୀତି ପ୍ରସ୍ତୁତ କରିଛି ଏନଡିଏ । ସେପଟେ ଏନ୍‌ଡିଏରୁ ଇସ୍ତଫା ଦେବା ପରେ ଚଳିତ ଅଧିବେଶନରେ ବିରୋଧୀ ଦଳ ଆସନରେ ବସିବ ଶିବସେନା ।

ସେହିପରି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଗତକାଲି ସର୍ବଦଳୀୟ ବୈଠକ ଡାକିଥିଲେ । ଏଥିରେ ସବୁ ଦଳର ନେତା ଯୋଗଦେଇଥିଲେ । ଏଥିରେ ଶୀତ ଅଧିବେଶନରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ, ସେନେଇ ସବୁ ଦଳଙ୍କ ସହ ଆଲୋଚନା କରିଛନ୍ତି । ଚଳିତ ଅଧିବେଶନ ପାଇଁ ତାଲିକାଭୁକ୍ତ ହୋଇଥିବା ୧୯ଟି ବିଲ୍‌ ମଧ୍ୟରେ ଓଡ଼ିଶା ବିଧାନ ପରିଷଦ ବିଲ୍‌ ସ୍ଥାନ ପାଇ ନାହିଁ । ଏହାକୁ ସ୍ଥାନୀତ କରି ଗୃହରେ ଉପସ୍ଥାପନ କରିବାକୁ ସର୍ବଦଳୀୟ ବୈଠକରେ ବିଜେଡି ଅନୁରୋଧ କରିଛି। ଏସମ୍ପର୍କିତ ସଂକଳ୍ପ ପୂର୍ବରୁ ବିଧାନସଭାରେ ସର୍ବସମ୍ମତରେ ପାରିତ ହୋଇଥିଲା। ଏହା ଅଧିବେଶନ ହେଉଛି ସଂସଦର ୨୫୦ ତମ ଅଧିବେଶନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.