ଡ୍ୟୁଟି ସରିଲା ବୋଲି ଟ୍ରେନକୁ ଷ୍ଟେସନ ଛାଡି ଦେଇ ଶୋଇବାକୁ ଚାଲିଗଲେ ଲୋକୋ ପାଇଲଟ୍‌, ଯାତ୍ରୀ ୪ ଘଣ୍ଟା ଯାଏଁ ଛଟପଟ

ଲୋକୋ ପାଇଲଟ୍‌ଙ୍କ ଡ୍ୟୁଟି ସରିବା ଯୋଗୁଁ ଟ୍ରେନ ଆଗକୁ ନ ନେଇ ଷ୍ଟେସନରେ ଛାଡିଦେଇ ଚାଲିଗଲେ । ଫଳରେ ପାଖାପାଖି ୨୫୦୦ ଯାତ୍ରୀ ଟ୍ରେନରେ ଅଟକି ଛଟପଟ ହୋଇଥିଲେ । ଏମିତି ଘଟଣା ୟୁପିର ବାରବାଙ୍କୀରେ ଘଟିଛି ।

‘ମୋ ଡ୍ୟୁଟି ଟାଇମ୍‌ ଶେଷ.. ମୁଁ ଯାଉଛି ଶୋଇବାକୁ… । ଏମିତି କହି ଟ୍ରେନକୁ ଷ୍ଟେସନରେ ଛାଡି ଦେଇ ଚାଲିଗଲେ ଲୋକୋ ପାଇଲଟ । ଫଳରେ ଟ୍ରେନରେ ଥିବା ୨୫୦୦ ଯାତ୍ରୀ ୪ ଘଣ୍ଟା ପର୍ଯ୍ୟନ୍ତ ନାହିଁ ନଥିବା ହଇରାଣ ହୋଇଛନ୍ତି । ଏମିତି ଘଟଣା ୟୁପିର ବାରବାଙ୍କୀରେ ଘଟିଛି । ଏହି ଘଟଣା ପରେ ଷ୍ଟେସନରେ ଯାତ୍ରୀମାନେ ହଙ୍ଗାମା କରିଛନ୍ତି ।

ଖବର ମୁତାବକ, ବୁଧବାର ଦିନ ପ୍ରାୟ ୧ଟା ସମୟରେ ସହରସାରୁ ଦିଲ୍ଲୀ ଯାଉଥିବା ସ୍ପେସାଲ ଟ୍ରେନ୍ ନଂ ୦୨୫୫୩ ବୁଢାବଳ ଷ୍ଟେସନ ନିକଟରେ ଅଟକିଥିଲା । ଏହି ସମୟରେ ଏକ ମାଲଗାଡି ଟ୍ରେନ୍କୁ ଅତିକ୍ରମ କରିଥିଲା । ଯାତ୍ରୀ ଭାବିଥିଲେ କ୍ରସିଂ କାରଣରୁ ଟ୍ରେନକୁ ଅଟକାଯାଇଛି କିନ୍ତୁ ଏହାରି ମଧ୍ୟରେ ୧ ଘଣ୍ଟା ବିତିଯାଇଥିଲେ ବି ଟ୍ରେନ୍ ଗଡି ନ ଥିଲା । ଯାତ୍ରୀମାନେ ରେଳ ଷ୍ଟେସନକୁ ଯାଇ ପଚାରି ବୁଝିବା ପରେ ଟ୍ରେନର ଲୋକୋ ପାଇଲଟଙ୍କ ଡ୍ୟୁଟି ଶେଷ ହୋଇଯାଇଛି ବୋଲି ଟ୍ରେନ ଛାଡି ପଳାଇବା କଥା ଜାଣିଥିଲେ ।

ଏହାପରେ ଯାତ୍ରୀମାନେ ଅନ୍ୟ ଡ୍ରାଇଭରର ବ୍ୟବସ୍ଥା କରିବାକୁ କହିଥିଲେ । କିନ୍ତୁ ଷ୍ଟେସନ ମାଷ୍ଟର ଯାତ୍ରୀମାନଙ୍କ କଥା ନ ଶୁଣିବାରୁ ଯାତ୍ରୀମାନେ ରାଗି ଅନ୍ୟ ଏକ ଟ୍ରେନକୁ ରୋକିଥିଲେ । ଉଭୟ ଟ୍ରେନ ଘଣ୍ଟା ଘଣ୍ଟା ଧରି ଅଟକିଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଟ୍ରେନରେ ପାଣି, ଖାଦ୍ୟ ଏବଂ ବିଜୁଳି ଯୋଗାଣ ବ୍ୟାହତ ହେବାରୁ ଯାତ୍ରୀମାନେ ବିବ୍ରତ ଓ ଉତ୍କ୍ଷିପ୍ତ ହୋଇଥିଲେ ।

ଏହି ହଙ୍ଗାମା ଭିତରେ ବାରୁନି-ଲକ୍ଷ୍ନୌ ଜଙ୍କସନ ଏକ୍ସପ୍ରେସର ଡ୍ରାଇଭର କର୍ମୀମାନେ ମଧ୍ୟ ଡ୍ୟୁଟି ସମୟ ସରିଲା କହି ଟ୍ରେନ୍ ଛାଡି ପଳାଇଥିଲେ । ତେବେ କିଛି ଘଣ୍ଟା ପରେ, ଉତ୍ତର ପୂର୍ବାଞ୍ଚଳ ରେଳବାଇ ଗୋଣ୍ଡା ଜଙ୍କସନର କର୍ମଚାରୀଙ୍କୁ ଏହି ଦୁଇଟି ଟ୍ରେନର ଚଳାଚଳ ପାଇଁ ପଠାଇଥିଲେ । ଏହି ମାମଲା ଶାନ୍ତ ହେବା ପରେ ଟ୍ରେନ୍ ଦୁଇଟି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା । ତେବେ ରେଳବାଇର ଏଭଳି ଅବହେଳା ପାଇଁ ଯାତ୍ରୀମାନେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.