Below header

ଏହି ରାଜ୍ୟରେ ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ, ମୁଖ୍ୟମନ୍ତ୍ରୀ କଲେ ଘୋଷଣା; କିନ୍ତୁ ସର୍ତ୍ତ ଲାଗୁ!

ଝାଡ଼ଖଣ୍ଡରେ ପେଟ୍ରୋଲ ଏବଂ ଡିଜେଲ ନୂଆ ବର୍ଷରେ ୨୫ ଟଙ୍କା ପର୍ଯ୍ୟନ୍ତ ଶସ୍ତାରେ ମିଳିବ। ରାଜ୍ୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଘୋଷଣା କରିଛନ୍ତି। କିନ୍ତୁ ଏହି ଶସ୍ତା ପେଟ୍ରୋଲ ଏବଂ ଡିଜେଲର ଲାଭ କେବଳ ବିପିଏଲ କାର୍ଡଧାରୀମାନେ ପାଇ ପାରିବେ। ମୁଖ୍ୟମନ୍ତ୍ରୀ ସୋରେନ କହିଛନ୍ତି ଯେ ୨୬ ଜାନୁଆରୀରୁ ଝାଡ଼ଖଣ୍ଡରେ ବିପିଏଲ କାର୍ଡଧାରୀମାନଙ୍କୁ ପେଟ୍ରୋଲ ଏବଂ ଡିଜେଲ ୨୫ ଟଙ୍କା ଶସ୍ତାରେ ମିଳିବ।

କହି ରଖୁଛୁ କି, ଝାଡ଼ଖଣ୍ଡ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ମଧ୍ୟ ଲଗାତାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ଦର ହ୍ରାସ କରିବାକୁ ଦାବି କରି ଆସୁଥିଲା। ଆସୋସିଏସନ ସରକାରଙ୍କୁ ପେଟ୍ରୋଲ ଉପରେ ୫ ପ୍ରତିଶତ ଭାଟ୍ ହ୍ରାସ କରିବାକୁ ଦାବି କରୁଥିଲା। ଆସୋସିଏସନର କହିବା ହେଲା, ଯଦି ସରକାର ଭାଟ୍ ଦର ୨୨ ପ୍ରତିଶତରୁ କମାଇ ୧୭ ପ୍ରତିଶତ କରିଦେବେ, ତା’ ହେଲେ ଲୋକଙ୍କୁ ବଡ଼ ସୁବିଧା ହେବ। ଆସୋସିଏସନ କହିଥିଲା ଯେ ଝାଡ଼ଖଣ୍ଡର ପଡୋଶୀ ରାଜ୍ୟ ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଏବଂ ଓଡିଶାରେ ଡିଜେଲର ମୂଲ୍ୟ କମ୍ ରହିଛି। ଏଭଳି ପରିସ୍ଥିତିରେ ଝାଡ଼ଖଣ୍ଡରୁ ଚାଲୁଥିବା ଗାଡ଼ିଗୁଡିକ ପଡୋଶୀ ରାଜ୍ୟରୁ ଡିଜେଲ ଭରୁଛନ୍ତି, ଯେଉଁଥିପାଇଁ ସେମାନଙ୍କୁ କ୍ଷତି ପହଞ୍ଚୁଛି।

ଆସୋସିଏସନ ସଭାପତି ଅଶୋକ ସିଂ କହିଛନ୍ତି ଯେ ପେଟ୍ରୋଲିୟମ ଡିଲରମାନେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଥିଲେ ଏବଂ ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ଭେଟିଥିଲେ। ଅଶୋକ କହିଛନ୍ତି, ଅର୍ଥମନ୍ତ୍ରୀଙ୍କୁ ଭେଟି ତାଙ୍କୁ ଏ ବାବଦରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା, ହେଲେ ସେମାନଙ୍କ ଦାବି ଉପରେ କୌଣସି ବିଚାର କରାଯାଇ ନ ଥିଲା। ସେ କହିଥିଲେ ଯେ ଝାଡ଼ଖଣ୍ଡରେ ୧୩୫୦ ପେଟ୍ରୋଲ ପମ୍ପ ଅଛି, ଯାହାକି ୨.୫୦ ଲକ୍ଷରୁ ଅଧିକ ପରିବାରର ଜୀବିକାକୁ ଜାବୁଡ଼ି ଧରିଛି। ଭାଟର ଉଚ୍ଚ ଦର କାରଣରୁ ବ୍ୟବସାୟ ପ୍ରଭାବିତ ହେଉଛି।

ଚଳିତ ବର୍ଷ ଆରମ୍ଭରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କ୍ରମାଗତ ବୃଦ୍ଧି ଘଟିଥିଲା। ଏହାପରେ ଦୀପାବଳି ଅବସରରେ କେନ୍ଦ୍ର ସରକାର ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ଯାଇ ପେଟ୍ରୋଲ ଏବଂ ଡିଜେଲ ଉପରେ ଲାଗୁଥିବା ଏକ୍ସାଇଜ୍ ଡ୍ୟୁଟିରେ ପାଞ୍ଚ ଓ ଦଶ ଟଙ୍କା ହ୍ରାସ କରିଥିଲେ। କେନ୍ଦ୍ର ପେଟ୍ରୋଲ ଉପରେ ପ୍ରତି ଲିଟର ୫ ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୧୦ ଟଙ୍କା ଏକ୍ସାଇଜ୍ ଡ୍ୟୁଟି କମ୍‌ କରି ଦେଇଥିଲେ, ଯାହାପରେ ସାରା ଦେଶରେ ତୈଳ ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଥିଲା। ସେପଟେ କେନ୍ଦ୍ରର ନିଷ୍ପତ୍ତି ପରେ ଏନଡିଏ ଶାସିତ ବିଭିନ୍ନ ରାଜ୍ୟ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ହ୍ରାସ କରିଥିଲେ। ବିହାର, ୟୁପି, ତ୍ରିପୁରା, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ ସମେତ ପାଖାପାଖି ସବୁ ରାଜ୍ୟରେ ଭାଟ୍ ହ୍ରାସ କରାଯାଇଥିଲା। ଏହାପରେ କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ, ପଞ୍ଜାବ, ଛତିଶଗଡରେ ମଧ୍ୟ ତୈଳ ଉପରେ ଭାଟ୍ ହ୍ରାସ କରାଯାଇଥିଲା। ନିକଟରେ ଦିଲ୍ଲୀର କେଜ୍ରିୱାଲ ସରକାର ପେଟ୍ରୋଲରୁ ଭାଟ କମ୍‌ କରି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.