ଦୀପାବଳିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପହାର; ଦେଶର ୭୫,୦୦୦ ଯୁବକ, ଯୁବତୀଙ୍କୁ ମିଳିବ ଚାକିରି, ବିଭିନ୍ନ ମନ୍ତ୍ରାଳୟରେ ନିଯୁକ୍ତି

ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶର ୭୫ ହଜାର ଯୁବକ, ଯୁବତୀଙ୍କୁ ଚାକିରି ଉପହାର ଦେବେ। ୨୨ ଅକ୍ଟୋବରରେ ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ପିଏମ୍‌ ମୋଦି ଦେଶର ଯୁବଗୋଷ୍ଠୀଙ୍କ ସହ ଯୋଡ଼ି ହେବେ ଏବଂ ୭୫,୦୦୦ ଯୁବକ, ଯୁବତୀଙ୍କୁ ଚାକିରିର ନିଯୁକ୍ତି ପତ୍ର ପ୍ରଦାନ କରିବେ। ଏହି ଚାକିରି ପ୍ରତିରକ୍ଷା, ରେଳ, ଡାକ, ଗୃହ ମନ୍ତ୍ରାଳୟ, ସିଆଇଏସ୍‌ଏଫ୍‌, ଶ୍ରମ ଏବଂ ରୋଜଗାର, ସିବିଆଇ, କଷ୍ଟମ୍‌, ବ୍ୟାଙ୍କ, ସିଏଏଫ୍‌ ଆଦି ବିଭିନ୍ନ ମନ୍ତ୍ରାଳୟରେ ଦିଆଯିବ। ପିଏମ୍‌ ମୋଦି ଚଳିତ ବର୍ଷ ଜୁନ୍‌ରେ କହିଥିଲେ କି, ଆଗାମୀ ବର୍ଷ ଡିସେମ୍ବର ସୁଦ୍ଧା ୧୦ ଲକ୍ଷ ଚାକିରି ପ୍ରଦାନ କରାଯିବ।

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସହରରୁ କେନ୍ଦ୍ରମନ୍ତ୍ରୀ ମଧ୍ୟ ଯୋଡ଼ି ହେବେ। ଏଥି ସହିତ ସାଂସଦମାନେ ବି ନିଜ ସଂସଦୀୟ କ୍ଷେତ୍ରରୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବିୟା ଗୁଜରାଟରୁ, ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଚଣ୍ଡୀଗଡ଼ରୁ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ ମହାରାଷ୍ଟ୍ରରୁ ଯୋଡ଼ି ହେବେ। ସେହିପରି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜସ୍ଥାନରୁ, ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରାମଣ ତାମିଲନାଡ଼ୁରୁ, ଭାରୀ ଉଦ୍ଦ୍ୟୋଗ ମନ୍ତ୍ରୀ ମହେନ୍ଦ୍ର ପାଣ୍ଡେ ଉତ୍ତର ପ୍ରଦେଶରୁ, ଅର୍ଜୁନ ମୁଣ୍ଡା ଝାଡ଼ଖଣ୍ଡରୁ ଏବଂ ଗିରିରାଜ ସିଂ ବିହାରରୁ କାର୍ଯ୍ୟକ୍ରମରେ ସାମିଲ ହେବେ।

ଏଥିସହ ୨୨ ଅକ୍ଟୋବର ଧନତେରସ୍‌ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪.୫୦ ଲକ୍ଷ ହିତାଧିକାରୀଙ୍କ ଗୃହ ପ୍ରବେଶରେ ଭର୍ଚୁଆଲ ରୂପେ ସାମିଲ ହେବେ। ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଙ୍ଗଳବାର କହିଥିଲେ କି, ୨୨ ଅକ୍ଟୋବର ଧନତେରସ୍‌ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସତନା ଜିଲ୍ଲାରେ ପିଏମ୍‌ ଆବାସ ଯୋଜନା (PMAY)ର ୪.୫୦ ଲକ୍ଷ ହିତାଧିକାରୀଙ୍କ ଗୃହ ପ୍ରବେଶରେ ଭର୍ଚୁଆଲ ରୂପେ ସାମିଲ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.