ରିଆସି ତୀର୍ଥଯାତ୍ରୀ ବସ୍‌ ଉପରେ ଆକ୍ରମଣ: ଆତଙ୍କବାଦୀଙ୍କ ସ୍କେଚ୍ ଜାରି, ସୂଚନା ଦେଲେ ମିଳିବ ୨୦ ଲକ୍ଷ

ଜମ୍ମୁରେ ରିଆସିରେ ତୀର୍ଥଯାତ୍ରୀ ବସ୍ ଉପରେ ଆକ୍ରମଣ ଘଟଣାରେ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ପୋଲିସ । ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିବା ସହ ସେମାନଙ୍କ ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ପୋଲିସ ଘୋଷଣା କରିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ଦୁଇ ଜଣ ଆତଙ୍କବାଦୀଙ୍କ ସ୍କେଚ୍ ତିଆରି କରାଯାଇଛି । ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ପତ୍ତା ଲଗାଇବା ପାଇଁ ସୁରକ୍ଷା ବାହିନୀର ୧୧ ଟି ଦଳ ଏଥିପାଇଁ କାର୍ଯ୍ୟ କରୁଛନ୍ତି । ଆତଙ୍କବାଦୀ ବିଷୟରେ ଖବର ଦେଲେ ୨୦ ଲକ୍ଷ ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି ।

ରବିବାର ଦିନ ପୋନି ଅଞ୍ଚଳର ତେରୟାଥ ଗ୍ରାମ ନିକଟ କଟରା ସ୍ଥିତ ଶିବ ଖୋରୀ ମନ୍ଦିରରୁ ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ଯାଉଥିବା ତୀର୍ଥଯାତ୍ରୀଙ୍କ ବସ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଆତଙ୍କବାଦୀମାନେ ତୀର୍ଥଯାତ୍ରୀ ବସ୍ ଉପରକୁ ଆକ୍ରମଣ କରିଥିଲେ । ଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ସର୍ଚ୍ଚ ଅପରେସନରେ ଘଟଣାସ୍ଥଳରେ ଭାରତୀୟ ଯବାନଙ୍କ ସମେତ, ସିଆରପିଏଫର ଯବାନମାନଙ୍କୁ ନିୟୋଜିତ କରାଯାଇଛି । ଏହାବ୍ୟତୀତ କମାଣ୍ଡୋ ଏବଂ ଡ୍ରୋନ ମଧ୍ୟ ଏଠାରେ ନଜର ରଖିଛନ୍ତି । ଏହି ଘଟଣାର ତଦନ୍ତ ଏନଆଇଏକୁ ଦିଆଯାଇଛି ।

ରିଆସି ଜିଲ୍ଲାରେ ସୁରକ୍ଷା ବାହିନୀ ହାଇ ଆଲର୍ଟ ଘୋଷଣା କରିଛି । ଅଧିକାରୀଙ୍କ କହିବାନୁସାରେ ୨୦ରୁ ଅଧିକ ଲୋକଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି । ତେବେ ଆତଙ୍କବାଦୀଙ୍କ ସନ୍ଧାନ ଖୋଜିବା ପାଇଁ ବଡ ସର୍ଚ୍ଚ ଅପରେସନ ଜାରି ରହିଛି ।

ଜମ୍ମୁ କଶ୍ମୀରରେ ୩ ଦିନରେ ତୃତୀୟ ଆତଙ୍କବାଦୀ ଆକ୍ରମଣ । ଗତକାଲି କାଠୁଆ ଜିଲ୍ଲାରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ । ଆତଙ୍କବାଦୀଙ୍କ ଗୁଳିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଆହତ ହୋଇଥିଲେ । ଜମ୍ମୁ କଶ୍ମୀର ଡୋଡାରେ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୬ ଜଣ ଯବାନ ଆହତ ହୋଇଛନ୍ତି । ଜମ୍ମୁ ଡିଭିଜନର ବିଭିନ୍ନ ଜିଲ୍ଲାରେ ମଙ୍ଗଳବାର ରାତିରୁ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଦୁଇଟି ଏନକାଉଣ୍ଟର ହୋଇଛି ।

Leave A Reply

Your email address will not be published.