ଶପଥ ଗ୍ରହଣ ସମାରୋହ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଦିନ ୨ରୁ ଜୟଦେବବିହାର-ନାଲକୋ ଛକ ରାସ୍ତା ବନ୍ଦ

ଭୁବନେଶ୍ୱର (କେନ୍ୟୁଜ): ଆଜି ନୂଆ ସରକାରର ଶପଥ ଗ୍ରହଣ ସମାରୋହ। ଅପରାହ୍ଣ ୫ଟାରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ୩୦ ହଜାର ଲୋକଙ୍କ ସମାଗମ ହେବେ। ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶପଥଗ୍ରହଣ ଉତ୍ସବ ପାଇଁ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏନେଇ ମଙ୍ଗଳବାର କମିସନରେଟ୍ ପୁଲିସ୍ ପକ୍ଷରୁ ଏକ ସମୀକ୍ଷା ବୈଠକ କମିଶନର ସଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ସୂଚନା ଅନୁସାରେ ଆଜି ଅପରାହ୍ଣ ୨ଟାରୁ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ଶେଷହେବା ପର୍ଯ୍ୟନ୍ତ ଜୟଦେବ ବିହାରରୁ ନାଲକୋ ଛକ ରାସ୍ତାରେ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରିଛି ପୋଲିସ । କେବଳ ପାସ୍‌ଧାରୀ ବ୍ୟକ୍ତି ସଭା ସ୍ଥଳକୁ ଯାଇ ପାରିବେ। ଜୟଦେବ ବିହାରରୁ ନାଲକୋ ଛକ ଓ ନାଲକୋ ଛକଠାରୁ ଜୟଦେବ ବିହାର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଗଳି ରାସ୍ତା ଦେଇ କୌଣସି ଯାନବାହାନ ଯାତାୟାତ କରିପାରିବ ନାହିଁ। କଟକ, ଖୋର୍ଦ୍ଧା, ନନ୍ଦନକାନନରୁ ଜୟଦେବ ବିହାର ଓ ନାଲକୋ ଛକକୁ ଆସୁଥିବା ଗାଡ଼ି ରହଣି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୂରା ଜନତା ମଇଦାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ସଭାସ୍ଥଳୀକୁ କଡ଼ା ସୁରକ୍ଷାବଳୟରେ ରଖାଯିବ।

କାର କିମ୍ବା ଦୁଇଚକିଆ ଯାନରେ ଜନତା ମଇଦାନ ଆସୁଥିବା ଲୋକେ ଆଚାର୍ଯ୍ୟ ବିହାର ଛକରୁ ଆପୋଲୋ ହସ୍ପିଟାଲ ପର୍ଯ୍ୟନ୍ତ ଯାଇପାରିବେ । ସେଠାରେ ୪ ଚକିଆ ଯାନ ରଖିବେ । ବସ୍‌ରେ ଆସୁଥିବା ଲୋକେ ଆଚାର୍ଯ୍ୟ ବିହାରଛକ ନିକଟସ୍ଥ ୭ମ ବାଟାଲିଅନ ଫାଟକ ପାଖରେ ଓହ୍ଲାଇବେ। ସେଠାରୁ ଚାଲି ଚାଲି ଜନତା ମଇଦାନକୁ ଯିବେ। କେବଳ ଭିଭିଆଇପିଙ୍କୁ ସଭାସ୍ଥଳୀକୁ ଯିବାକୁ ପାସ୍‌ ଦିଆଯାଇଥିବା କମିସନର ସଞ୍ଜୀବ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୁରକ୍ଷା ପାଇଁ ଭୁବନେଶ୍ବରରେ ମୁତୟନ ହେବେ ୬୭ ପ୍ଲାଟୁନ ପୋଲିସ ଫୋର୍ସ । ଜଣେ ଆଇଜି, ୨ ଜଣ ଡିଆଇଜି ତଦାରଖ ଦାୟିତ୍ବରେ ରହିବେ। ୧୩ ଜଣ ଏସପି ଓ ଡିସିପି ରାଙ୍କ ଅଫିସର, ୧୮ ଜଣ ଅତିରିକ୍ତ ଏସପି, ୫୮ ଜଣ ଡିଏସପି, ୯୪ ଜଣ ଇନ୍ସିପେକ୍ଟର ଓ ୩୧୨ ଜଣ ଏସଆଇ ଓ ଏଏସଆଇ, ୨୮ ଜଣ କମାଣ୍ଡଡେଣ୍ଟ୍ ସୁରକ୍ଷା ଦାୟିତ୍ୱରେ ରହିବେ। ସଭାସ୍ଥଳକୁ ଆସିବା ପୂର୍ବରୁ କେଉଁ ଗେଟରେ କାହାର ଏଣ୍ଟ୍ରି ହେବ ସେ ନେଇ ସୂଚନା ଦିଆଯାଇଛି । ଦିନ ୨ଟା ୧୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ।

ରାଜଭବନ ଯାଇ ସେଠାରେ ୨ ଘଣ୍ଟା ରହିବା ପରେ ୪ଟା ୩୦ରେ ରାଜଭବନରୁ ବାହାରି ଜନତା ମୈଦାନ ଯିବେ । ସମ୍ପୂର୍ଣ୍ଣ ଜନତା ମୈଦାନକୁ ସିସିଟିଭି ନଜରରେ ରଖାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭିଭିଆଇପିଙ୍କ ବିମାନବନ୍ଦରରେ ପହଞ୍ଚିବା ଠାରୁ ହୋଟେଲରେ ରହିବା, ଉତ୍ସବସ୍ଥଳକୁ ଯିବା ଏବଂ ବିମାନବନ୍ଦରକୁ ଫେରିବା ପର୍ଯ୍ୟନ୍ତ ସବୁଠି ପୁଲିସ ଛାଉଣୀ କରାଯିବ। ଟ୍ରାଫିକ୍ ସମସ୍ୟା ଦେଖାନଦେବା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

 

 

Leave A Reply

Your email address will not be published.