ପ୍ଲେୟାର ପ୍ଲେବୟ ପଲିଟିସିଆନ : ଚାଲେଞ୍ଜ ଅନେକ

ଦୀର୍ଘ ୨୨ ବର୍ଷର ପରିଶ୍ରମ ଏବେ ଫଳବତୀ ହେବାକୁ ଯାଉଛି । କ୍ରିକେଟ୍ ପଡ଼ିଆରୁ ରାଜନୀତି ମଇଦାନକୁ ଆସିଥିବା ଇମ୍ରାନ୍ ଖାନ୍ ହେବାକୁ ଯାଉଛନ୍ତି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ । କ୍ରିକେଟ୍ ମଇଦାନରେ ଜଣେ ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିଥିବା ଖେଳାଳି ଭାବେ ବେଶ୍ ପରିଚିତ ଇମ୍ରାନ୍ । ନିଜ ଦେଶକୁ ବିଶ୍ୱ କପ୍ ଜିତାଇଛନ୍ତି । ଜଣେ ଦକ୍ଷ ଅଲରାଉଣ୍ଡର ଓ ପେସ୍ ବୋଲର୍ ଭାବେ ତାଙ୍କର ନାଁ ରହିଛି କ୍ରିକେଟ୍ ଇତିହାସରେ । ଠିକ୍ ସେହିଭଳି ଆଭିମୁଖ୍ୟ ନେଇ ସେ ରାଜନୀତି ମଇଦାନକୁ ଓହ୍ଲାଇଥିଲେ । ନାଁ ଦେଇଥିଲେ ‘ନୂତନ ପାକିସ୍ତାନ’ର । ଆଉ ଏବେ ନିଜ ସ୍ୱପ୍ନ ସାକାର କରିବାର ବେଳ ଆସିଛି ଇମ୍ରାନଙ୍କ ପାଇଁ । ତେବେ ବିଶ୍ୱର ଅନ୍ୟତମ ବିଶୃଙ୍ଖଳିତ ଦେଶକୁ ସଜାଡ଼ିବା କଣ ଇମ୍ରାନ୍ଙ୍କ ପକ୍ଷେ ସହଜ ହେବ ? ଏବେ ଏଇ ପ୍ରଶ୍ନ ସାରା ବିଶ୍ୱବାସୀଙ୍କ ମନରେ । ଅନେକ ଚ୍ୟାଲେଞ୍ଜର ସାମନା କରିବାକୁ ପଡ଼ିବ ଇମ୍ରାନ୍ଙ୍କୁ । ପ୍ରଥମେ ନିଜେ ଦେଇଥିବା ପ୍ରତିଶ୍ରୁତି ଓ ବିରୋଧୀଙ୍କ ବିରୋଧରେ ଆଣିଥିବା ଅଭିଯୋଗ ସବୁର ସମାଧାନ କରି ତାକୁ ପୂରଣ କରିବା । ସାମାଜିକ ଓ ଦୁର୍ବଳ ଅର୍ଥନୈତିକ ପରିସ୍ଥିତି ପାକିସ୍ତାନ ପାଇଁ କାଳ ହୋଇଛି । ତେବେ ଏସବୁ ଭିତରେ ଇମ୍ରାନ୍ଙ୍କ ପାଇଁ ସବୁଠାରୁ ବଡ଼ ତଥା ସମ୍ବେଦନଶୀଳ ସମସ୍ୟା ରହିବ ଭାରତ-ପାକ୍ ସମ୍ପର୍କ ପ୍ରସଙ୍ଗ । କ୍ରିକେଟ୍ ମଇଦାନରେ ସେ ସବୁ ବେଳେ ଭାରତ ବିରୋଧୀ । ସେହି ନୀତି ଅପଣାଇଛନ୍ତି ରାଜନୀତିରେ । ଏଥିରୁ ସେ ଓହରି ପାରିବେ ନାହିଁ । କାରଣ ଯେଉଁ ସବୁ ସମର୍ଥନ ହାସଲ କରି ସେ ନିର୍ବାଚନ ଜିତିଛନ୍ତି, ସେଥିରେ ତାଙ୍କୁ ସମସ୍ତଙ୍କୁ ସନ୍ତୁଷ୍ଟ କଲା ଭଳି କାମ କରିବାକୁ ହେବ । ବିଶେଷ କରି ବୈଦେଶିକ ନୀତି ଓ ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ । ସେହିପରି ପାକ ଜନସାଧାରଣ ତାଙ୍କୁ ବିପୁଳ ସମର୍ଥନ ଦେଇଥିବାରୁ ତାଙ୍କଠାରୁ ଅନେକ କିଛି ଆଶା ମଧ୍ୟ କରୁଛନ୍ତି । ସେ ସବୁକୁ ଇମ୍ରାନ୍ ପୂରଣ କରି ପାରିବେ ତ ? ତାଙ୍କ ଦଳ ପାକିସ୍ତାନ ତେହେରିକ-ଏ-ଇନସାଫ ବା ପିଟିଆଇରୁ କିଛି ବଛା ବଛା ଅଭିଜ୍ଞ ନେତାଙ୍କୁ ନେଇ ତାଙ୍କୁ ଏକ ଭଲ ଟିମ୍ ଗଠନ କରିବାକୁ ହେବ । କାରଣ ସାମନାରେ ବିରୋଧୀ ଭାବେ ରହିବ ନଓ୍ଵାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ । ତେବେ ଦୀର୍ଘ ବର୍ଷ ଧରି ପରୋକ୍ଷ ଭାବେ ପାକିସ୍ତାନର ଶାସନ ଡୋରି ଧରିଛି ପାକ୍ ସେନା ବାହିନୀ । ସେନା ଓ ବିଚାର ବିଭାଗର ଚାପ ରହିବ ଇମ୍ରାନଙ୍କ ଉପରେ । ସେଥିଲାଗି ଆମେରିକା ଓ ଭାରତ ବିରୋଧୀ ହେବାକୁ ଇମ୍ରାନ୍ ବାଧ୍ୟ ହେବେ । ସେଥିଲାଗି ତ କହିବାକୁ ହେଉଛି ପାକିସ୍ଥାନରେ ସିନା ନେତା ବଦଳିବେ, ହେଲେ ନୀତି ବଦଳିବ ନାହିଁ ।

ଇମ୍ରାନଙ୍କ ତୃତୀୟ ପତ୍ନୀ :

ଆଉ ଗୋଟିଏ ରୋଚକ କଥା ଇମ୍ରାନଙ୍କ ବିଷୟରେ ଗତ କିଛି ମାସ ହେଲା ସାମନାକୁ ଆସିଛି । ତାକୁ ଟିକେ ଏଠି ବର୍ଣ୍ଣନା କରିବା । କ୍ରିକେଟ୍ ଖେଳାଳି ଭାବେ ଯୁବାବସ୍ଥାରେ ଇମ୍ରାନ୍ ଜଣେ ପ୍ଲେବଏ ଭାବେ ପରିଚିତ ଥିଲେ । ଅନେକ ଯୁବତୀଙ୍କ ସହ ତାଙ୍କର ସମ୍ପର୍କ ଥିଲା । ପରେ ସେ ତିନି ତିନିଥର ବିବାହ ମଧ୍ୟ କରି ସାରିଛନ୍ତି । ଏଇ ତୃତୀୟ ବିବାହଟି ବେଶି ପୁରୁଣା ନୁହେଁ । ସେ ତୃତୀୟ ବିବାହ କରିଛନ୍ତି ବୁସରା ରିଆଜ ଓ୍ଵାଟୁଙ୍କୁ । ଯେ କି ପାଞ୍ଚଟି ସନ୍ତାନର ଜନନୀ । ପଞ୍ଜାବର ପାକ୍ପଟ୍ଟନରେ ତାଙ୍କ ଘର । ସେ ଜଣେ ମହିଳା ସୁଫି ଧର୍ମଗୁରୁ । ଗଣମାଧ୍ୟମରେ ଯେଉଁ ଖବର ଆସିଥିଲା ସେ ଅନୁଯାୟୀ ବୁସରା କୁଆଡ଼େ ଇମ୍ରାନଙ୍କୁ କହିଥିଲେ ମୋତେ ବିବାହ କଲେ ତୁମର ସବୁ ରିଷ୍ଟ ଖଣ୍ଡନ ହେବ ଓ ତୁମେ ନିର୍ବାଚନ ଜିତି ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବ । ସୁନାର ପାକିସ୍ତାନ ଗଢ଼ିବା ସ୍ୱପ୍ନ ବି ସଫଳ ହେବ । ସେ କଥା ମାନି ଇମ୍ରାନ୍ ତାଙ୍କୁ ବିବାହ କରିଛନ୍ତି । ଏମିତିକି ପ୍ରଫେଟ୍ ମହମ୍ମଦ ତାଙ୍କୁ ଏକଥା ସ୍ୱପ୍ନରେ କହିଛନ୍ତି ବୋଲି ବୁସରା କୁଆଡ଼େ ଇମ୍ରାନଙ୍କୁ କହିଥିଲେ । ତେବେ ୨୦୧୮ ଜାନୁଆରୀ ୫ ତାରିଖ ପୂର୍ବରୁ ବିବାହ ହେବା ଦରକାର । ଏହା ପରେ ବୁସରା ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ଜାନୁଆରୀ ୧ ବେଳକୁ ଇମ୍ରାନଙ୍କୁ ବିବାହ କରିଥିଲେ । ଯଦି ଭବିଷ୍ୟବାଣୀ ସତ ବୋଲି ଧରାଯିବ ତେବେ ନିର୍ବାଚନ ରଣାଙ୍ଗନ ତ ସଫଳତାର ସହ ପାର କରିଛନ୍ତି ଇମ୍ରାନ୍ । ଏବେ ସୁନାର ପାକିସ୍ତାନ ଗଢ଼ିବା ଲକ୍ଷ୍ୟ କେତେଦୂର ପୂରଣ ହେଉଛି ଦେଖିବାର କଥା । ହେଲେ ତାଙ୍କ ଉପରେ ପାକ୍ ସେନାର ଡେମୋକ୍ଲିସ୍ ଖଡ଼ଗ ସବୁ ବେଳେ ଝୁଲି ରହିବ ।

Leave A Reply

Your email address will not be published.