Below header

ବାଣ୍ଟିବା ପରିବର୍ତ୍ତେ ଘରକୁ ୨୪ ହଜାର ଚିଠି ନେଇଗଲେ ଡାକ ପିଅନ, କାରଣ ଜାଣିବା ପରେ ସମସ୍ତେ ସ୍ତବ୍ଧ

ଜାପାନରେ ଜଣେ ଡାକ ପିଅନ ଚିଠି ବାଣ୍ଟିବା ପରିବର୍ତ୍ତେ ଘରକୁ ନେଇ ଯାଇଥିବା ଜଣାପଡ଼ିଛି। ଏହି ପୋଷ୍ଟ ମ୍ୟାନ୍‌ ଗୋଟିଏ କି ଦୁଇଟି ନୁହେଁ ବରଂ ୨୪ ହଜାର ଚିଠି ନ ବାଣ୍ଟି ନିଜ ଘରକୁ ନେଇଯାଇଥିଲେ। ଡାକ ପିଅନଙ୍କ ଏଭଳି କାରିନାମା ବିଷୟରେ ଜଣାପଡ଼ିବା ପରେ ଡାକ ବିଭାଗର ଉପରିସ୍ଥ ଅଧିକାରୀ ତାଙ୍କୁ ଲୋକଙ୍କୁ କ୍ଷମା ମାଗି ତୁରନ୍ତ ସେମାନଙ୍କ ଚିଠି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାଟି ଜାପାନର କାନାଗାବାର ବୋଲି ଜଣାଯାଇଛି। ଏଠାରେ ମୁଖ୍ୟ ଡାକ ପିଅନ ଭାବେ ନିଯୁକ୍ତ ହୋଇଥିବା ଜଣେ ବ୍ୟକ୍ତି ୧୬ ବର୍ଷ ହେବ ଏହି ଚିଠିଗୁଡ଼ିକୁ ନ ବାଣ୍ଟି ନିଜ ଘରକୁ ନେଇ ଯାଉଛନ୍ତି। ଲୋକମାନେ ଏନେଇ ଅଭିଯୋଗ କରିବା ପରେ ବିଭାଗ ତରଫରୁ ତଦନ୍ତ କରାଯାଇଥିଲା ଓ ଶେଷରେ ଏଭଳି ଆଶ୍ଚର୍ଯ୍ୟଜନକ ତଥ୍ୟ ପଦାକୁ ଆସିଥିଲା।

ଗତବର୍ଷ ଚିଠି ନେଣଦେଣରେ ଏଭଳି ଗଡ଼ବଡ଼ ହୋଇଥିବା ଜଣାଯାଇଥିଲା। ଯାଞ୍ଚ ପରେ ପୋଷ୍ଟମ୍ୟାନଙ୍କ ଘରୁ ପ୍ରାୟ ୨୪ ହଜାର ଚିଠି ଜବତ ହୋଇଥିଲା। ରିପୋର୍ଟ ମୁତାବକ, ପୋଷ୍ଟମ୍ୟାନ୍‌ଙ୍କୁ ପ୍ରବଳ କାମ ଚାପ ଥିବାରୁ ସେ ଚିଠି ଗୁଡ଼ିକୁ ଅଫିସରୁ ନେଉଥିଲେ ସତ ମାତ୍ର ଆଉ ବାଣ୍ଟିବାକୁ ଯାଉନଥିଲେ। ସେଗୁଡ଼ିକୁ ନିଜ ଘରକୁ ନେଇ ଚାଲିଯାଉଥିଲେ। ସେ ନିଜ ଅଧସ୍ତନ କର୍ମଚାରୀଙ୍କୁ କୌଣସି ପ୍ରକାରର ଅସୁବିଧାରେ ନ ପକାଇବାକୁ ତାଙ୍କୁ ମଧ୍ୟ ଚିଠି ବଣ୍ଟା କାମ ଦେଉନଥିଲେ ବୋଲି କହିଛନ୍ତି।

ଡାକ ପିଅନ ନିଜ ଭୁଲକୁ ସ୍ୱୀକାର କରିଥିବା ସୂଚନା ମିଳିଛି। ପୋଷ୍ଟ ଅଫିସ ଅଧିକାରୀଙ୍କ ସୂଚନା ମୁତାବକ ୨୦୧୭ ଫେବ୍ରୁଆରୀରୁ ୨୦୧୯ ନଭେମ୍ବର ପର୍ଯ୍ୟନ୍ତ ପ୍ରାୟ ୧୦୦୦ ଚିଠିରେ ଗଡ଼ବଡ଼ ହୋଇଥିବା ଜଣାପଡ଼ିବା ପରେ ପୋଲିସରେ ଏନେଇ ଅଭିଯୋଗ ହୋଇଥିଲା। ପୋଲିସ ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ୨୦୦୩ ମସିହାରୁ ପୋଷ୍ଟମ୍ୟାନ୍‌ ଜଣକ ଚିଠିକୁ ନ ବାଣ୍ଟି ନିଜ ଘରେ ରଖୁଥିଲେ। ତେବେ ଏହି ଅଭିଯୋଗ ପରେ ସମ୍ପୃକ୍ତ ଡାକ ପିଅନଙ୍କୁ ୩ ଲକ୍ଷ ଟଙ୍କାର ଜରିମାନା ସହ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହେବ ବୋଲି ଆଇନ ବିଶାରଦ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.