କରାଚି ଜେଲରେ ବନ୍ଦ କଏଦୀ ଦିନରାତି ପଢ଼ି ପରୀକ୍ଷାରେ କଲେ ଟପ୍‌! ପୁରସ୍କାରରେ ମିଳିଲା ମା’ଙ୍କୁ ଭେଟିବାର ମଉକା; ସେଥିରେ ପୁଣି ୧ ଲକ୍ଷ ଟଙ୍କାର ଛାତ୍ରବୃତ୍ତି

ପାକିସ୍ତାନ ଜେଲରେ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ସୟଦ ନସିମ ଶାହଙ୍କ ସ୍ୱପ୍ନ ସାକାର ହୋଇଛି। ଏହା ସେତେବେଳେ ପୂରା ହୋଇଥିଲା, ଯେତେବେଳେ ତାଙ୍କ ମା’ ଜେଲରେ ପୁଅକୁ ଭେଟିବାକୁ ପହଞ୍ଚିଥିଲେ। ବାସ୍ତବରେ, ଶାହଙ୍କୁ ଏହି ପୁରସ୍କାର ଇଣ୍ଟର ପରୀକ୍ଷାରେ ଟପ୍‌ କରି ଥିବାରୁ ମିଳିଛି। ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ପରେ ଜେଲ ଅଧିକାରୀମାନେ ଶାହଙ୍କୁ ତାଙ୍କ ମା’ଙ୍କ ସହ ଭେଟିବା ଲାଗି ବିଶେଷ ଅନୁମତି ଦେଇଥିଲେ। ବର୍ତ୍ତମାନ ଶାହଙ୍କ ତରଫରୁ କରାଯାଇଥିବା ଏକ ଆବେଦନ ସିନ୍ଧ ହାଇକୋର୍ଟରେ ବିଚାରାଧୀନ ରହିଛି। ଏହା ବ୍ୟତୀତ ସେ ରାଷ୍ଟ୍ରପତି ଆରିଫ ଅଲଭି ଓ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଧ୍ୟ କ୍ଷମା ପାଇଁ ନିବେଦନ କରି ସାରିଛନ୍ତି।

୩୫ ବର୍ଷୀୟ ଶାହଙ୍କ ମା’ ନିଜ ପୁଅକୁ ଭେଟିବାକୁ ପ୍ରଥମେ ମନା କରି ଦେଇଥିଲେ। କିନ୍ତୁ ସୋମବାର ସେ କରାଚିସ୍ଥିତ ସେଣ୍ଟ୍ରାଲ ଜେଲରେ ପହଞ୍ଚିଥିଲେ। ଶାହ ଗତ ବର୍ଷ କରାଚିରେ ବେସରକାରୀ ଛାତ୍ରଙ୍କ ମଧ୍ୟରେ ହୋଇଥିବା ଇଣ୍ଟର ପରୀକ୍ଷାରେ ସବୁଠାରୁ ଅଧିକ ମାର୍କ ରଖିଥିଲେ। ସେପଟେ ଅଧିକ ପାଠପଢ଼ା ପାଇଁ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍‌ ପାକିସ୍ତାନ ତରଫରୁ ତାଙ୍କୁ ୧ ଲକ୍ଷ ପାକିସ୍ତାନୀ ଟଙ୍କାର ସ୍କଲାରସିପ୍ ପ୍ରଦାନ କରାଯାଇଛି।

ଜେଲର ଡେପୁଟି ସୁପରିଟେଣ୍ଡେଣ୍ଟ ସୟଦ ସୁମରୁ କହିଛନ୍ତି, ଶିକ୍ଷାରେ ଭଲ ପ୍ରଦର୍ଶନ ଯୋଗୁ ଆମେ ତାଙ୍କୁ ତାଙ୍କ ମା’ଙ୍କ ସହିତ ଭେଟିବା ପାଇଁ ବିଶେଷ ଅନୁମତି ଦେଇଥିଲୁ। ଶାହ ଅନୁରୋଧ କରିଥିଲେ ଯେ ସେ ମା’ ଓ ଭଉଣୀଙ୍କୁ ଭେଟିବାକୁ ଚାହୁଁଛନ୍ତି। ସୁମରୁ କହିଛନ୍ତି, ଶାହ ବହୁତ ଭାବପ୍ରବଣ ଥିଲେ। କାହିଁକି ନା, ସେମାନେ କାନ୍ଦୁଥିଲେ ଏବଂ ପରସ୍ପରକୁ ଆଲିଙ୍ଗନ କରୁଥିଲେ। ଶାହ ନିଜ ମା’ଙ୍କ ପାଦ ତଳେ ପଡ଼ି ତାଙ୍କୁ କ୍ଷମା ମାଗୁଥିଲେ। ଅନ୍ୟପଟେ ଏକ ରିପୋର୍ଟ ଅନୁସାରେ, ଶାହା କହିଛନ୍ତି, ‘ମୋର ଯେଉଁ ବୃଦ୍ଧ ଜେଲ ସାଥୀ ପଢ଼ିବାକୁ ଭଲ ପାଆନ୍ତି, ସେମାନେ ମୋତେ ପରୀକ୍ଷାରେ ବସିବା ପାଇଁ ପ୍ରେରିତ କରିଥିଲେ ଏବଂ ପ୍ରସ୍ତୁତିରେ ମଧ୍ୟ ସାହାଯ୍ୟ କରିଥିଲେ’।

ସୂଚନାଥାଉ କି, ବର୍ଷ ୨୦୧୦ରେ ଜଣେ ବ୍ୟକ୍ତିଙ୍କୁ ଗୁଳି ମାରି ହତ୍ୟା କରିବା ଅଭିଯୋଗରେ ଶାହଙ୍କୁ ୨୦୧୮ରେ ୨୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସୁମରୁଙ୍କ କହିବା ହେଲା, ଶିକ୍ଷାରେ ସଫଳତା, ଉତ୍ତମ ବ୍ୟବହାର, ରକ୍ତଦାନ ଏବଂ କଏଦୀ ରୂପରେ ଟ୍ରାୟଲରେ ବିତାଇଥିବା ସମୟ ଦୃଷ୍ଟିରୁ ଶାହ ୬ ବର୍ଷ ଭିତରେ ମୁକ୍ତ ହୋଇ ପାରନ୍ତି। ସିଏ ସ୍କଲାରସିପ୍ ପାଇଁ ଶାହଙ୍କୁ ଏକ ପ୍ରବେଶିକା ପରୀକ୍ଷା ପାସ୍‌ କରିବାକୁ ପଡିବ, କିନ୍ତୁ ତାଙ୍କ କହିବା ହେଲା ଯେ ସେ ଏହା କରି ପାରିବେ।

Leave A Reply

Your email address will not be published.