ପ୍ରିୟଙ୍କା ଗାନ୍ଧି ଆମେଥିରୁ ପ୍ରାର୍ଥୀ ହେବେ !

ନୂଆଦିଲ୍ଲୀ : ଆଗରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକା ଲଢୁଥିଲେ । ଏବେ ଭଉଣୀ ପ୍ରିୟଙ୍କା ଆସିଯିବା ପରେ ଦୁଇ ଜଣ ପୂରା ଦମ୍‌ରେ ମୋଦିଙ୍କୁ ମାତ୍‌ ଦେବାକୁ ଅଣ୍ଟା ଭିଡ଼ିବେ । ଆସନ୍ତା ଫେବ୍ରୁଆରୀ ୪ ତାରିଖରେ ପ୍ରିୟଙ୍କା ଗାନ୍ଧି-ଭଦ୍ରା ବିଧିବଦ୍ଧ ଭାବେ କଂଗ୍ରେସ ମହାସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ପୂର୍ବ-ଉତ୍ତର ପ୍ରଦେଶ ଦାୟିତ୍ୱରେ ଥିବାରୁ ତାଙ୍କର ଆହ୍ଲାବାଦ ଜବାହର ଭବନରେ ଏକ କାର୍ଯ୍ୟାଳୟ ରହିବ ।

ଯେଉଁ ରୁମ୍‌ରେ ତାଙ୍କ ଜେଜେମା ଅର୍ଥାତ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ବସୁଥିଲେ ପ୍ରିୟଙ୍କା ମଧ୍ୟ ସେହି ଅଫିସ୍‌ରେ ବସିବେ । ଏହା ବ୍ୟତୀତ ଲକ୍ଷ୍ନୌରେ ଥିବା କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟକୁ ମଧ୍ୟ ନୂଆ ରୂପ ଦିଆଯାଉଛି । ଏହି କୋଠାର ଉପର ମହଲାରେ ଏକ ଆକର୍ଷଣୀୟ ଅଫିସ୍‌ କରାଯାଇଛି । ଏଠି ମଧ୍ୟ ପ୍ରିୟଙ୍କା ବସିବେ । ଫେବୃଆରୀ ୪ ତାରିଖରେ ରାହୁଲ ଓ ପ୍ରିୟଙ୍କା ଏକାଠି ଆସି ଏଠାରେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଶୁଣା ଯାଉଛି ।

ଆହୁରି ମଧ୍ୟ ଫେବ୍ରୁଆରୀ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ରାହୁଲ କୁମ୍ଭମେଳାରେ ଆସି ବୁଡ଼ ପକାଇବେ ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି । ସେପଟେ ଆଗାମୀ ଲୋକସଭା ନିର୍ବାଚନରେ ପ୍ରିୟଙ୍କ ଆମେଥିରୁ ଏବଂ ରାହୁଲ ଛିନ୍ଦଓ୍ଵାଡ଼ାରୁ ପ୍ରାର୍ଥୀ ହେବେ ବୋଲି ମଧ୍ୟ ଜୋର ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.