Below header

ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ଙ୍କ ବିଦ୍ରୋହ, ଆରମ୍ଭ ହୋଇଯାଇଛି ରିସୋର୍ଟ ପଲିଟିକ୍ସ

କେନ୍ୟୁଜ୍(ବ୍ୟୁରୋ):   ରାଜସ୍ଥାନରେ ଘନଉଛି ରାଜନୈତିକ ସଂକଟ । ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ଙ୍କ ବିଦ୍ରୋହ । ଆରମ୍ଭ ହୋଇଛି ରିସୋର୍ଟ ପଲିଟିକ୍ସ । ସଚିନ୍‌ ପାଇଲଟ୍‌ ଦିଲ୍ଲୀରେ ଥିବାବେଳେ ତାଙ୍କ ଅନୁଗତ ବିଧାୟକମାନେ ଦିଲ୍ଲୀ ଓ ଗୁରୁଗ୍ରାମରେ ହୋଟେଲରେ ଥିବା ଜଣାପଡିଛି । ସଚିନ ପାଇଲଟ୍‌ଙ୍କୁ କଂଗ୍ରେସ ଓ ସ୍ୱାଧୀନ ବିଧାୟକଙ୍କୁ ମିଶାଇ ୩୦ ବିଧାୟକଙ୍କ ସମର୍ଥନ ଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ଦିଲ୍ଲୀରେ ଥିବା ଜଣେ ବିଧାୟକ କହିଛନ୍ତି, ସେ ବ୍ୟକ୍ତିଗତ କାମରେ ଅଛନ୍ତି । ଆଜି କଂଗ୍ରେସ ବିଧାୟକଙ୍କ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ । ବୈଠକରେ ଯୋଗଦେବାକୁ ଦଳ ପକ୍ଷରୁ ହ୍ଵିପ୍‌ ଜାରି କରାଯାଇଛି ।

କୌଣସି ବିଧାୟକ ବୈଠକରେ ଯୋଗ ନଦେଲେ ସଦସ୍ୟତା ରଦ୍ଦ ହେବ ବୋଲି କୁହାଯାଇଛି । ବୈଠକରେ ସଚିନ ପାଇଲଟ୍‌ ଓ ତାଙ୍କ ଅନୁଗତମାନେ ଯୋଗଦେବେ ନାହିଁ ବୋଲି ଜଣାପଡିଛି । ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅବିନାଶ ପାଣ୍ଡେ କହିଛନ୍ତି, ୧୦୯ ବିଧାୟକଙ୍କ ସମର୍ଥନ ପତ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ପାଖରେ ପହଞ୍ଚି ସାରିଛି । ଏହି ସମସ୍ତ ବିଧାୟକ ଆଜିର ବୈଠକରେ ଯୋଗଦେବେ । କଂଗ୍ରେସ ପୂରା ପାଞ୍ଚ ବର୍ଷ ଶାସନ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଦଳରେ କୌଣସି ସଂକଟ ନାହିଁ ବୋଲି ରାଜସ୍ଥାନ କଂଗ୍ରେସ କହିଛି । ସଚିନ୍‌ ପାଇଲଟ୍‌ ବିଜେପି ସହ ସଂପର୍କରେ ଥିବା ଚର୍ଚ୍ଚା ହେଉଛି । ଆଜି ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିପାରନ୍ତି ।

ରାଜସ୍ଥାନ ବିଧାନସଭାରେ ୨ଶହ ଆସନ । ବହୁମତ ପାଇଁ ଆବଶ୍ୟକ ୧୦୧ । କଂଗ୍ରେସ ସଂଖ୍ୟା ୧୦୭ । ବିଜେପିର ୭୨, ଆର୍‌ଏଲ୍‌ପି ୩, ସିପିଏମ୍‌ ୨, ବିଟିପି ୨, ଆର୍‌ଏଲ୍‌ଡି ୧ ଓ ସ୍ୱାଧୀନ ୧୨ ବିଧାୟକ ଅଛନ୍ତି ।ରାଜସ୍ଥାନ କଂଗ୍ରେସରେ କ୍ଷମତା ଲଢେଇ ଚାଲିଥିବା ବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଗେହଲଟ୍‌ ସରକାରରେ ସଚିନ୍‌ ପାଇଲଟ୍‌ଙ୍କ ପ୍ରତି ଅନ୍ୟାୟ କରାଯାଇଛି । କଂଗ୍ରେସରେ ଯୋଗ୍ୟତାର କୌଣସି ଗୁରୁତ୍ୱ ନାହିଁ । ପାଇଲଟ୍‌ଙ୍କ କ୍ଷେତ୍ରରେ ଯାହା ଘଟିଛି ତାହା ବହୁତ ଦୁଃଖ ଦେଇଛି ବୋଲି କହିଛନ୍ତି ସିନ୍ଧିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.