୧୦୦ ଡଲାରରେ ଅଧା ପାଉଁରୁଟି! ଜିମ୍ବାୱେରେ ରେକର୍ଡ ଭାଙ୍ଗିଲା ମୁଦ୍ରାସ୍ଫୀତି; ସରକାରଙ୍କୁ ଜାରି କରାଇବାକୁ ପଡ଼ିଲା ଏତେ ବଡ଼ ନୋଟ୍‌

ଜିମ୍ବାୱେରେ ମୁଦ୍ରାସ୍ଫୀତି ଏତେ ମାତ୍ରାରେ ବଢ଼ି ଯାଇଛି ଯେ ସରକାରଙ୍କୁ ଜିନିଷ କିଣିବା ପାଇଁ ନୂଆ ନୋଟ୍‌ ଜାରି କରାଇବାକୁ ପଡ଼ୁଛି। ସରକାରଙ୍କ ତରଫରୁ ଏକ ନୋଟିସ୍‌ ଜାରି କରି କୁହାଯାଇଛି ଯେ ଜିମ୍ବାୱେ ୧୦୦ ଡଲାର (ପାଖାପାଖି ୭୫୦୦ ଟଙ୍କା)ର ଏକ ନୂଆ ନୋଟ୍‌ ଜାରି କରିବ। ଏହା ଦେଶର ଏ ପର୍ଯ୍ୟନ୍ତର ସବୁଠାରୁ ଅଧିକ ମୂଲ୍ୟ କାଗଜ ନୋଟ୍‌ ହେବ। କିନ୍ତୁ ମୁଦ୍ରାସ୍ଫୀତି ଏତେ ଯେ ଏହି ନୋଟ୍‌ରୁ ଲୋକେ ଗୋଟିଏ ପାଉଁରୁଟି ସୁଦ୍ଧା କିଣି ପାରିବେ ନାହିଁ। ୧୦୦ ଡଲାରରେ ତାଙ୍କୁ କେବଳ ଅଧା ପାଉଁରୁଟି ହିଁ ମିଳି ପାରିବ।

ରିପୋର୍ଟ ମୁତାବକ, ସରକାର ନୋଟ୍‌ ଜାରି କରିବାର ତାରିଖ ଏ ପର୍ଯ୍ୟନ୍ତ ଘୋଷଣା କରି ନାହାନ୍ତି। ଜିମ୍ବାୱେର ଏହି ୧୦୦ ଡଲାର ମୂଲ୍ୟ ୦.୬୮ ଆମେରିକୀୟ ଡଲାର (ପାଖାପାଖି ୫୨ ଟଙ୍କା) ହେବ। ଦେଶରେ ଫେବୃଆରୀ ମାସରେ ମୁଦ୍ରାସ୍ଫୀତି ୬୬.୧ ପ୍ରତିଶତ ଥିଲା, ଯାହା ମାର୍ଚ୍ଚ ଆରମ୍ଭରୁ ହିଁ ୭୨.୭ ପ୍ରତିଶତ ହୋଇଯାଇଛି। ବର୍ତ୍ତମାନ ଏହା ଆହୁରି ଉପରକୁ ଯାଉଛି। ୨୦୦୮ ମସିହା ବେଳେ ଦରଦାମ୍‌ ଏତେ ବଢ଼ି ଯାଇଥିଲା ଯେ ମୁଦ୍ରା ମୂଲ୍ୟ ବହୁତ କମି ଯାଇଥିଲା ଏବଂ କେନ୍ଦ୍ରୀୟ ବ୍ୟାଙ୍କକୁ ୧୦୦ ଟ୍ରିଲିୟନ ଡଲାରର ନୋଟ୍‌ ଜାରି କରାଇବାକୁ ପଡ଼ିଥିଲା। ଏବେ ଲୋକେ ଏହି ପଇସାକୁ ସୌଖିନ ଭାବରେ ଜମା କରୁଛନ୍ତି।

କହି ରଖୁଛୁ, ୨୦୦୮ରେ ଜିମ୍ବାୱେରେ ଏକ ମିଳିତ ସରକାର ଶାସନକୁ ଆସିଥିଲା, ଯିଏ ଦେଶର ଆର୍ଥିକ ସ୍ଥିତିକୁ ସମ୍ଭାଳିବା ପାଇଁ ସ୍ଥାନୀୟ ମୁଦ୍ରାକୁ ଛାଡ଼ି ଗ୍ରୀନବ୍ୟାଙ୍କ (ଆମେରିକା ଗୃହଯୁଦ୍ଧ ସମୟରେ ଗ୍ରୀନବ୍ୟାଙ୍କକୁ ଅଣାଯାଇଥିଲା, ଯାହା ଏକ ଜରୁରୀକାଳୀନ ପେପର ମୁଦ୍ରା ଭାବେ ଜଣାଯାଇଥାଏ) ଏବଂ ଦକ୍ଷିଣ ଆଫ୍ରିକାର ର‍୍ୟାଣ୍ଡ୍‌କୁ ଆପଣାଇଥିଲା। କିନ୍ତୁ ୨୦୧୯ରେ ସରକାର ପୁଣିଥରେ ଜିମ୍ବାୱେ ଡଲାରକୁ ଆପଣାଇଥିଲେ। ସେତେବେଳେ ସରକାର କହିଥିଲେ ଯେ ଏକ ଜିମ୍ବାୱେ ଡଲାରର ମୂଲ୍ୟ ଏକ ଆମେରିକୀୟ ଡଲାର ବରାବର। ଜିମ୍ବାୱେର ମୁଦ୍ରାସ୍ଫୀତି ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ଆହୁରି ଖରାପ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.