ବିମାନରେ ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା: ଅଭିଯୁକ୍ତକୁ ବେଙ୍ଗାଲୁରୁରୁ ଗିରଫ କଲା ଦିଲ୍ଲୀ ପୋଲିସ

ଏୟାର ଇଣ୍ଡିଆ ବିମାନରେ ଜଣେ ବୃଦ୍ଧା ମହିଳାଙ୍କ ଉପରେ ପରିସ୍ରା କରିଥିବା ବ୍ୟକ୍ତି ଶଙ୍କର ମିଶ୍ରାଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି ଦିଲ୍ଲୀ ପୋଲିସ । ତେବେ ଏହି ଘଟଣା ସାର୍ବଜନୀନ ହେବା ପରେ ବ୍ୟକ୍ତି ଜଣକ ଫେରାର ହୋଇଯାଇଥିଲେ । ପୋଲିସ ତାଙ୍କୁ ଧରିବା ପାଇଁ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରିଥିଲା । ଏହି ଘଟଣା ନଭେମ୍ବର ୨୬, ୨୦୨୨ରେ ଘଟିଥିଲା । କିନ୍ତୁ ରିପୋର୍ଟ ୪ ଜାନୁଆରୀ ୨୦୨୩ରେ ଦାଖଲ ହୋଇଥିଲା ।

ସୂଚନାଯୋଗ୍ୟ, ଆମେରିକାରୁ ବିମାନରେ ଦିଲ୍ଲୀ ଆସିବା ବେଳେ ଶଙ୍କର ମିଶ୍ରା ନାମକ ଜଣେ ବ୍ୟକ୍ତି ମଦ ନିଶାରେ ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କ ଉପରେ ପରିସ୍ରା କରି ଦେଇଥିଲେ। ଶଙ୍କର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବା ବେଳେ ବିମାନ ଭିତରେ ତାଙ୍କର ଏପରି କାଣ୍ଡ ପୂରା ଦେଶରେ ହଇଚଇ ସୃଷ୍ଟି କରିଥିଲା।


ପୂର୍ବରୁ ମଦ ନିଶାରେ ନିଜର ଇଜ୍ଜତ ହରାଇଥିବା ଶଙ୍କରଙ୍କୁ ଏବେ ଚାକିରିରୁ ମଧ୍ୟ ବିଦା ହେବାକୁ ପଡ଼ିଛି। ଶଙ୍କର ମଲ୍ଟିନ୍ୟାସନାଲ କମ୍ପାନୀ ୱେଲ୍ସ ଫାରଗୋରେ କାମ କରୁଥିଲେ। ହେଲେ ବିମାନ ଯାତ୍ରା ବେଳେ ସେ ଜଣେ ମହିଳାଙ୍କ ଉପରେ ପରିସ୍ରା କରି ଦେବାରୁ ତାଙ୍କୁ କମ୍ପାନୀ ଚାକିରିରୁ ବରଖାସ୍ତ କରିଛି।

ନଭେମ୍ବର ୨୬, ୨୦୨୨ ରେ ଜଣେ ମଦ୍ୟପ ବ୍ୟକ୍ତି ଏୟାର ଇଣ୍ଡିଆର ବିଜନେସ କ୍ଲାସରେ ଜଣେ ମହିଳା ସହ-ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ। ନଭେମ୍ବର ୨୬ ରେ ଘଟିଥିବା ଘଟଣା ସମ୍ପର୍କରେ ଏୟାର ଇଣ୍ଡିଆ ପୋଲିସ ନିକଟରେ ଅଭିଯୋଗ କରିଛି। ଆମେରିକାରୁ ଦିଲ୍ଲୀକୁ ଆସୁଥିବା ବିମାନରେ ଜଣେ ମଦ୍ୟପ ବ୍ୟକ୍ତି ୭୦ ବର୍ଷ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ। ବୃଦ୍ଧ ମହିଳା କ୍ୟାବିନ କ୍ରୁଙ୍କୁ ଏ ବିଷୟରେ କହିଥିଲେ, ତଥାପି ବ୍ୟକ୍ତି ଜଣକୁ ନ ଧରି କିଛି ପଚରାଯାଇନଥିଲା। ସେହି ବ୍ୟକ୍ତି ଜଣକ ସହଜରେ ବିମାନବନ୍ଦର ଛାଡିଥିଲେ।

ପରିସ୍ରା ସରିବା ପରେ ମଧ୍ୟ ସେ ଅଭଦ୍ରଙ୍କ ଭଳି ସେମିତି ଛିଡ଼ା ହୋଇଥିଲେ। କିଛି ସମୟରେ ଆଉ ଜଣେ ସହଯାତ୍ରୀ ଆପତ୍ତି ଉଠାଇବାରୁ ବ୍ୟକ୍ତି ଜଣଙ୍କ ନିଜ ସିଟ୍କୁ ଫେରିଥିଲେ। ତେବେ ବୃଦ୍ଧା ଜଣଙ୍କ ବିମାନରେ ଥିବା କ୍ରୁ ସଦସ୍ୟଙ୍କୁ ଏ ସମ୍ପର୍କରେ ଜଣାଇବାରୁ ସେମାନେ ଗୋଟିଏ ପାଇଜାମା ଓ ସ୍ଲିପର ତାଙ୍କୁ ପିନ୍ଧିବାକୁ ଦେଇଥିଲେ। ବିମାନ କର୍ମଚାରୀ ସିଟ୍କୁ ସାନିଟାଇଜ୍ କରି ସାରିବା ପରେ ବି ବୃଦ୍ଧା ଜଣଙ୍କ ସେଠାରେ ବସି ନଥିଲେ। ଫଳରେ ସେ କ୍ରୁ ସଦସ୍ୟଙ୍କ ସିଟରେ ବସି ଦିଲ୍ଲୀ ଆସିଥିଲେ।

ଏ ସମ୍ପର୍କରେ ମହିଳା ଯାତ୍ରୀ ଜଣଙ୍କ ଏୟାର ଇଣ୍ଡିଆର କର୍ମଚାରୀଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନ ନେବାରୁ ସେ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନଙ୍କୁ ଚିଠି ଲେଖି ଜଣାଇଥିଲେ । ଚିଠି ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଏହାକୁ ନେଇ DGCA ମଧ୍ୟ ଏୟାର ଇଣ୍ଡିଆକୁ ଜବାବ ମାଗିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.