ଦିଲ୍ଲୀ ଘଟଣାର ପୁନରାବୃତ୍ତି, ସ୍ୱିଗୀ ଡେଲିଭରୀ ବଏଙ୍କୁ କାରରେ ୫୦୦ ମିଟର ଘୋଷାଡି ମାରିଦେଲେ

ଦିଲ୍ଲୀ ପରେ ନୋଏଡାରେ ପୁଣି ସମାନ ଘଟଣା ଘଟିଛି। ନୋଏଡାରେ ଜଣେ ସ୍ୱିଗୀ ଡେଲିଭରୀ ବଏଙ୍କୁ ଘୋଷାଡି ମାରିଥିବା ଘଟଣା ସାମ୍ନାକୁ ଆସିଛି । ଡେଲିଭରୀ ବଏଙ୍କ ବାଇକକୁ ଏକ କାର ୫୦୦ ମିଟର ଘୋଷାଡି ନେବା ଫଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ଆଉ କାର ଚାଳକ ଫେରାର ହୋଇଯାଇଛନ୍ତି । ନୋଏଡା ସେକ୍ଟର ୧୪ର ଏକ ଫ୍ଲାଏଓଭର ପାଖରେ ଏହି ଦୁର୍ଘଟଣା ହୋଇଛି ।

ଡେଲିଭରୀ ବଏ ଜଣକ ବାଇକରେ ଖାଦ୍ୟ ଡେଲିଭରୀ ପାଇଁ ନେଉଥିବା ବେଳେ କାର ଚଳାଉଥିବା ଡ୍ରାଇଭର ତାଙ୍କୁ ଧକ୍କା ଦେଇ ପ୍ରାୟ ୫୦୦ ମିଟର ଘୋଷାଡ଼ି ନେଇଥିଲେ। ନୂଆବର୍ଷ ଦିନ ଡେଲିଭରୀ ବଏ ଜଣକ କାମକୁ ବାହାରିଥିବା ବେଳେ ଏହି ଘଟଣା ଘଟିଥିଲା । ମୃତ ଡେଲିଭରୀ ବଏଙ୍କ ନାମ କୌଶଲ। ତାଙ୍କ ବୟସ ୨୪ ବର୍ଷ । ଖାଦ୍ୟ ଡେଲିଭରୀ ଦେବାକୁ ଯିବା ସମୟରେ ଏକ କାର ତାଙ୍କୁ ନୋଏଡା ସେକ୍ଟରର ଫ୍ଲାଏ ଓଭରରେ ଜୋରରେ ଧକ୍କା ଦେଇ ଅତି ନିର୍ମମ ଭାବେ ଘୋଷାଡ଼ି ନେଇଥିବା ପୋଲିସ କହିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୁର୍ଘଟଣାସ୍ଥଳଠାରୁ ପ୍ରାୟ ୫୦୦ ମିଟର ଦୂରରେ ଡ୍ରାଇଭର ଏକ ମନ୍ଦିର ନିକଟରେ କାରକୁ ଅଟକାଇଥିଲେ। ସେଠାରେ କୌଶଲ ମୃତଦେହ ବାହାରିବା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ରବିବାର ରାତି ୧ଟାରେ କୌଶଲଙ୍କ ଭାଇ ଅମିତ ତାଙ୍କୁ ଫୋନ କରିଥିଲେ। ସେହି ସମୟରେ ଘଟଣାସ୍ଥଳରେ କୌଶଲଙ୍କ ଫୋନ୍ ରିଙ୍ଗ ହେଉଥିବା ବେଳେ ଜଣେ ଯାତ୍ରୀ ଏହାକୁ ଉଠାଇ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଅମିତଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଚାଲିଛି ବୋଲି ପୋଲିସ କହିଛି।

ସୂଚନାଯୋଗ୍ୟ, ଦିଲ୍ଲୀର ସୁଲତାନୀପୁରୀ ଅଞ୍ଚଳରେ ଯୁବତୀଙ୍କୁ ୧୨ କିମି ଘୋଷାଡିବା ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ନୂଆବର୍ଷରେ ରାଜଧାନୀ ଦିଲ୍ଲୀରେ ଏଭଳି କାଣ୍ଡ ଘଟିଥିଲା । ଜିରୋ ନାଇଟ୍ ସେଲିବ୍ରେସନର କିଛି ଘଣ୍ଟା ପରେ ଦିଲ୍ଲୀ ସୁଲତାନପୁରୀରେ ଲୋମଟାଙ୍କୁରା ଦୁର୍ଘଟଣା ଘଟିଥିଲା । ଏହି ଆଧାରରେ ପୋଲିସ କାର ମାଲିକ ସମତେ ୫ ଜଣଙ୍କୁ ଗିରଫ କରିଛି । ଧାରା ୨୭୯ (ଦ୍ରୁତ ଗାଡିଚାଳନା) ଏବଂ ୩୦୪-ଏ (ଅବହେଳା ଦ୍ୱାରା ମୃତ୍ୟୁ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ତେବେ ଅଭିଯୁକ୍ତଙ୍କ କହିବା ଅନୁଯାୟୀ, ସେମାନେ ଜାଣିନଥିଲେ ତାଙ୍କ କାର ଏକ ମୃତଦେହକୁ ଘୋଷାଡି ଆଣିଛି । ଆଉ ଯେତେବେଳେ ଜାଣିଲେ ମୃତଦେହକୁ କାରରୁ ହଟାଇବା ପରେ ଛାଡି ଫେରାର ହୋଇଯାଇଥିଲେ । ଡିସେମ୍ବର ୩୧ ତାରିଖ ରାତିରେ ତାଙ୍କ ସ୍କୁଟି ସହ ଏକ କାର୍ ଧକ୍କା ହୋଇଥିଲା। ଏହାପରେ ସେ କାର୍ ତଳେ ଫସି ଯାଇଥିଲେ । ପ୍ରାୟ ୧୨ କିଲୋମିଟର ଯାଏଁ ପୀଡିତାଙ୍କୁ କାର୍ ଘୋଷାଡି ନେଇଥିଲା। ଏହାପରେ କଞ୍ଝାବଲର ଏକ ରାସ୍ତାରେ ନିବସ୍ତ୍ର ଅବସ୍ଥାରେ ଯୁବତୀଙ୍କ ମୃତଦେହ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.