Below header

ବାଇକ୍‌ ଓ କୁଲର କିଣିବାର ନିଶା ବାପାକୁ କରିଦେଲା ଅନ୍ଧ! ୧.୧୦ ଲକ୍ଷ ଟଙ୍କାରେ ବିକିଦେଲା ନିଜ ଦୁଇ ମାସର ଶିଶୁକନ୍ୟା…

ମହାରାଷ୍ଟ୍ରର ନାଗପୁରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବାପା ନିଜ ସଉକକୁ ପୂରା କରିବା ପାଇଁ ନିଜର ହିଁ ୨ ମାସର ଶିଶୁକନ୍ୟାକୁ ବିକ୍ରି କରି ଦେଇଛି। ଝିଅ ବିକ୍ରି ବଦଳରେ ତାଙ୍କୁ ୧.୧୦ ଲକ୍ଷ ଟଙ୍କା ମିଳିଛି। ସେ ଏହି ପଇସାରେ ନୂଆ ବାଇକ୍‌, ଫର୍ନିଚର, କୁଲର ଓ ସ୍ପୀକର କିଣି ଘରକୁ ଆଣିଛନ୍ତି।

ଅନ୍ୟପଟେ ଗତ ଦୁଇ ମାସ ହେବ ଏହାକୁ ବିରୋଧ କରି ଆସୁଥିବା ତାଙ୍କ ସ୍ତ୍ରୀ ଝିଅକୁ ଯେତେ ଜଲ୍‌ଦି ଫେରାଇ ଆଣିବାକୁ ଦାବି କରିଛନ୍ତି। ପୀଡ଼ିତା ଏ ନେଇ ପୋଲିସଠାରୁ ସହାୟତା ମାଗିଛନ୍ତି। କିନ୍ତୁ ଜଣାପଡ଼ିଛି ଯେ ପୋଲିସ ଶିଶୁକନ୍ୟାକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି, ହେଲେ ପୀଡ଼ିତାଙ୍କୁ ହସ୍ତାନ୍ତର କରିନାହିଁ। ଆଇନର କିଛି ପ୍ରକ୍ରିୟା ଯୋଗୁ ଏଥିରେ ବିଳମ୍ବ ଘଟୁଛି। ତେବେ ଶିଶୁକନ୍ୟା ମା’ କୋଳକୁ କେବେ ଆସିବ, ସେ ନେଇ କିଛି ସୂଚନା ନାହିଁ।

ରିପୋର୍ଟ ମୁତାବକ, ଉତ୍କର୍ଷ ନାମକ ବ୍ୟକ୍ତି ଦୁଇ ମାସ ତଳେ ଜଣେ ଦମ୍ପତିଙ୍କୁ ନିଜ ୨ ମାସର ଶିଶୁକନ୍ୟାକୁ ବିକ୍ରି କରି ଦେଇଥିଲେ। ସେ ଜଣେ ପଡ଼ୋଶୀଙ୍କ ସହାୟତାରେ ଏଭଳି ଘୃଣ୍ୟ କାମ କରିବାକୁ ପଛାଇ ନ ଥିଲେ। ସ୍ତ୍ରୀ ବିରୋଧ କରୁଥିଲେ ବି ତାଙ୍କୁ ନାନା ଧମକଚମକ ଦେଉଥିଲେ, ଯାହାଫଳରେ ସ୍ତ୍ରୀ ମୁହଁ ଖୋଲି ପୋଲିସ ନିକଟରେ ଅଭିଯୋଗ କରିପାରୁ ନ ଥିଲେ।

ଯେବେ ଉତ୍କର୍ଷ କୌଣସି କାମରେ ଗାଁକୁ ଚାଲି ଯାଇଥିଲେ, ତ ସେହି ସମୟରେ ସ୍ତ୍ରୀ ସାହସ ଜୁଟାଇ ଥାନାରେ ପହଞ୍ଚିଥିଲେ ଏବଂ ପୋଲିସକୁ ପୂରା କାହାଣୀ କହିଥିଲେ। ପୀଡ଼ିତା ମହିଳାଙ୍କଠାରୁ ଅଭିଯୋଗ ପାଇ ପୋଲିସ ଆକ୍ସନ ମୁଡ୍‌କୁ ଆସିଥିଲା ଏବଂ ଅଭିଯୁକ୍ତଙ୍କ ଗାଁରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ଏଥି ସହିତ ତାଙ୍କ ସହଯୋଗୀ ପଡ଼ୋଶୀଙ୍କୁ ମଧ୍ୟ ଗିରଫ କରିଥିଲା। ଦୁଇଜଣଙ୍କୁ ପଚରାଉଚରା ପରେ ପୋଲିସ ଉକ୍ତ ଦମ୍ପତିଙ୍କ ପାଖରେ ପହଞ୍ଚିଥିଲା ଏବଂ ସେଠାରୁ ଶିଶୁକନ୍ୟାକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲା। ସୂଚନାଥାଉ କି, ୧୫ ଏପ୍ରିଲରେ ପୀଡ଼ିତା ମହିଳା ଥାନାରେ ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.