ସବାରୀ ଉଠିବା ପୂର୍ବରୁ ଉଠିଲା କୋକେଇ! ବରଣମାଳା ପିନ୍ଧାଉ ପିନ୍ଧାଉ ଷ୍ଟେଜ୍‌ ଉପରେ ଟଳି ପଡ଼ିଲା କନ୍ୟା; ହୃଦଘାତରେ ମୃତ୍ୟୁ

ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏକ ବିବାହ ଖୁସି ଦୁଃଖରେ ବଦଳି ଯାଇଛି। ବରକୁ ବରଣମାଳା ପିନ୍ଧାଉଥିବା ବେଳେ କନ୍ୟାର ମୃତ୍ୟୁ ଘଟିଛି। ଷ୍ଟେଜ୍‌ ଉପରେ କନ୍ୟାକୁ ହୃଦଘାତ ଆସିବାରୁ ସେହିଠାରେ ହିଁ ସେ ଟଳି ପଡ଼ିଥିଲା। ଘଟଣା ମଲିହାବାଦ ଅଞ୍ଚଳର ବୋଲି ଜଣାପଡ଼ିଛି। ଏଠାକାର ବାସିନ୍ଦା ରାଜପାଲଙ୍କ ଝିଅ ଶିବାଙ୍ଗୀଙ୍କ ବିବାହର ଆୟୋଜନ ଚାଲିଥିଲା। ବରଯାତ୍ରୀ ବୁଦ୍ଧେଶ୍ୱରରୁ ଆସିଥିଲେ।

ବିବାହରେ ସାମିଲ ସମସ୍ତ ଲୋକଙ୍କ ଚେହେରାରେ ଖୁସିର ଝଲକ ଥିଲା। ଲୋକମାନେ ବିବାହ ଭୋଜି ଖାଇଥିଲେ ଏବଂ ଷ୍ଟେଜ୍‌ ପାଖରେ ବରଣମାଳା ରୀତି ଦେଖିବାକୁ ପହଞ୍ଚିଥିଲେ। ବର-କନ୍ୟା ଷ୍ଟେଜ୍‌ ଉପରେ ପରସ୍ପର ସାମ୍ନାରେ ଛିଡ଼ା ହୋଇଥିଲେ। ପ୍ରଥମେ ବର ବିବେକ କନ୍ୟା ଶିବାଙ୍ଗୀଙ୍କୁ ବରଣମାଳା ପିନ୍ଧାଇଥିଲେ। ଏହାପରେ ଶିବାଙ୍ଗୀଙ୍କର ପାଳି ପଡ଼ିଥିଲା। ଶିବାଙ୍ଗୀ ଯେମିତି ହିଁ ବିବେକଙ୍କୁ ବରଣମାଳା ପିନ୍ଧାଇଥିଲେ, ତ ଷ୍ଟେଜ୍‌ ଉପରେ ହିଁ ଟଳି ପଡ଼ିଥିଲେ।

ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତାଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ ମୁତାବକ, ହୃଦଘାତ ଯୋଗୁ ଶିବାଙ୍ଗୀଙ୍କର ମୃତ୍ୟୁ ଘଟିଛି। ସେପଟେ କନ୍ୟାର ମୃତ୍ୟୁ ଖବର ଶୁଣିବା ପରେ କେହି ସହଜରେ ବିଶ୍ୱାସ କରିପାରି ନ ଥିଲେ। ବିବାହ ସ୍ଥଳରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା।

ବିବାହ ସମାରୋହରେ ଯେଉଁ ଲୋକମାନଙ୍କ ଚେହେରାରେ ଖୁସିର ଝଲକ ଥିଲା, ସେମାନଙ୍କ ଖୁସି ବିଷାଦରେ ଭରି ଯାଇଥିଲା। ଏହି ଦୁଃଖଦ ଘଟଣାରେ ଶିବାଙ୍ଗୀଙ୍କ ମା’ କମଳେଶ କୁମାରୀ, ସାନ ଭଉଣୀ ସୋନମ୍‌ ଓ ଭାଇ ଅମିତଙ୍କ ସମେତ ପରିବାର ଲୋକେ ପୂରା ଭାଙ୍ଗି ପଡ଼ିଛନ୍ତି। ସେପଟେ ବର ବିବେକ ମଧ୍ୟ କନ୍ୟାଙ୍କର ଏଭଳି ମୃତ୍ୟୁରେ ଦୁଃଖୀ ଅଛନ୍ତି।

କିଛି ଦିନ ତଳେ ରାଜସ୍ଥାନରୁ ବି ସମାନ ଘଟଣା ସାମ୍ନାକୁ ଆସିଥିଲା। ରାଜସ୍ଥାନର ପାଲି ଜିଲ୍ଲୀରେ ଏମିତି ଦୁଃଖଦ ଘଟଣା ଘଟିଥିଲା। ଏଠାରେ ଶାଳୀର ବିବାହରେ ଡ୍ୟାନ୍ସ କରୁଥିବା ସମୟରେ ଭିଣୋଇ ହଠାତ୍‌ ଷ୍ଟେଜ୍‌ ଉପରେ ଟଳି ପଡ଼ିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଠି ମୃତ୍ୟୁର କାରଣ ମଧ୍ୟ ହୃଦଘାତ ଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା।