ଦ୍ବିତୀୟ ବିବାହ ପରେ ସ୍ବାମୀ ଦେଉଛି ନିର୍ଯ୍ୟାତନା, ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହେଲେ ମହିଳା

ରେଢ଼ାଖୋଲ (କେନ୍ୟୁଜ୍):ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଞ୍ଚାୟତ ଅନ୍ତର୍ଗତ କମଳାନାଳୀ ଗ୍ରାମର ଯୁବତୀ  ୭ବର୍ଷ ହେଲା ରେଢ଼ାଖୋଲ ଥାନା ତେରେବେଡା ଗ୍ରାମର ସୂର୍ଯ୍ୟନାରାୟଣ ପ୍ରଧାନଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ତାଙ୍କର ଗୋଟିଏ ୬ବର୍ଷର ପୁଅଟିଏ ମଧ୍ୟ ଅଛି । ହେଲେ ଶାଶୁଘର ଲୋକ ସମସ୍ତେ ମିଶି ଯୁବତୀଙ୍କୁ ବିଭିନ୍ନ ସମୟରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାସହ ବାରମ୍ବାର ମାଡ଼ପିଟ କରି ବାପଘରୁ ଟଙ୍କା ଆଣିବାପାଇଁ କହି ନିର୍ଯାତନା ଦେଉଥିଲେ।

ନିର୍ଯାତନା ସହି ନପାରି ଗତ ଅଗଷ୍ଟ ୯ ତାରିଖରୁ ରଞ୍ଜିତା ବାପଘର କମଳାନାଳିରେ ରହି ଆସୁଛନ୍ତି । ହେଲେ ଗତ ଅକ୍ଟୋବର ମାସ ୧୫ ତାରିଖରେ ସ୍ବାମୀ ସୂର୍ଯ୍ୟନାରାୟଣ ପ୍ରଧାନ ଆଉ ଗୋଟିଏ ଝିଅକୁ ଦ୍ବିତୀୟ ବିବାହ କରିଥିବା ନେଇ ଜାଣିବାକୁ ପାଇଲେ । ତେଣୁ ଏ ନେଇ ସ୍ତ୍ରୀ ରଞ୍ଜିତା ପ୍ରଧାନ ଗତ ଅକ୍ଟୋବର ୧୯ ତାରିଖରେ ରେଢ଼ାଖୋଲ ଥାନାର ଦ୍ବାରସ୍ଥ ହୋଇଥିଲେ । ଏ ବାବଦରେ ପୋଲିସ କେସ ନଂ ୨୦୫ରେ ମାମଲା ରୁଜୁ ହୋଇଛି ।

ରେଢ଼ାଖୋଲ କୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡ଼କାଇ ପଚରାଉଚରା କରିଥିଲେ । ଯୁବତୀ  ଯୌତୁକରେ ଆଣିଥିବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସବୁ ସାଙ୍ଗରେ ନେଇଯାଇଥିଲେ । ହେଲେ ସେହି ସାମଗ୍ରୀ ପୁରୁଣା ଓ କିଛି ଭଙ୍ଗାରୁଜା ସହିତ ଅଧାସାମଗ୍ରୀ ଓ ସୁନା ଅଳଙ୍କାର ମଧ୍ୟ ଦେଇ ନଥିବା ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ସ୍ବାମୀ ଜାମିନରେ ଆସିଥିବା ସୂଚନା ମିଳିଛି । ବର୍ତ୍ତମାନ ରଞ୍ଜିତା ନ୍ୟାୟ ପାଇବା ପାଇଁ ସରକାରଙ୍କ ପାଖରେ ଆପତ୍ତି ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.