Below header

ହାଇକୋର୍ଟଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ କଡ଼ା ନିର୍ଦ୍ଦେଶ, ନେତାଙ୍କ ଅପରାଧିକ ମାମଲାର ଶୀଘ୍ର ଫଇସଲା କର

ସାଂସଦ ଓ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ଉପରେ ହାଇକୋର୍ଟର ମୁଖ୍ୟ ବିଚାରପତି ନଜର ରଖିବେ। ଏହାର ଶୀଘ୍ର ସମାଧାନ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ନିଜ ଆଡୁ ମାମଲା ରୁଜୁ କରିବାକୁ ପଡ଼ିବ ।

କେନ୍ୟୁଜ୍(ବ୍ୟୁରୋ): ନେତାଙ୍କ ନାଁରେ ଥିବା ଅପରାଧିକ ମାମଲାର ଶୀଘ୍ର ଫଇସଲା କର। ନିର୍ବାଚିତ ପ୍ରତିନିଧିଙ୍କ ବିରୋଧରେ ଥିବା ମାମଲାର ତ୍ବରିତ ଫଇସଲା ପାଇଁ ହାଇକୋର୍ଟଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ କଡ଼ା ନିର୍ଦ୍ଦେଶ। ସାଂସଦ ଓ ବିଧାୟକଙ୍କ ଅପରାଧିକ ମାମଲାର ତ୍ବରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଜାରି। ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱା ଇ. ଚନ୍ଦ୍ରଚୁଡ, ଜଷ୍ଟିସ ଜେ. ବି. ପାରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି, ସମସ୍ତ ରାଜ୍ୟ ପାଇଁ ଗୋଟିଏ ନିୟମ ଲାଗୁ କରିବା ସୁପ୍ରିମ କୋର୍ଟଙ୍କ ପକ୍ଷରେ ସମ୍ଭବ ନୁହେଁ।

ଏଣୁ ଧାରା ୨୨୭ ଅନୁସାରେ ନିଜ କ୍ଷମତା ଉପଯୋଗ କରି ହାଇକୋର୍ଟ ଏଭଳି ମାମଲାର ଶୁଣାଣି କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି। ସାଂସଦ ଓ ବିଧାୟକଙ୍କ ବିରୋଧରେ ଚାଲିଥିବା ମାମଲାର ତଦାରଖ ପାଇଁ ହାଇକୋର୍ଟ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରନ୍ତୁ। ମୃତ୍ୟୁ ଦଣ୍ଡାଦେଶ ସମ୍ଭାବନା ଥିବା ମାମଲାକୁ ପ୍ରାଥମିକତା ଦିଆଯିବା ଉଚିତ ବୋଲି କହିଛନ୍ତି ଖଣ୍ଡପୀଠ।

ସାଂସଦ ଓ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ଉପରେ ହାଇକୋର୍ଟର ମୁଖ୍ୟ ବିଚାରପତି ନଜର ରଖିବେ। ଏହାର ଶୀଘ୍ର ସମାଧାନ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ନିଜ ଆଡୁ ମାମଲା ରୁଜୁ କରିବାକୁ ପଡ଼ିବ । ବିଚାରାଧୀନ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଆବଶ୍ୟକତା ଅନୁସାରେ ନିୟମିତ ବ୍ୟବଧାନରେ ଶୁଣାଣି କରିପାରିବେ ସ୍ବତନ୍ତ୍ର ଖଣ୍ଡପୀଠ।

ମାମଲାଗୁଡ଼ିକର ତ୍ୱରିତ ଓ ପ୍ରଭାବୀ ସମାଧାନ ପାଇଁ ହାଇକୋର୍ଟ ଆବଶ୍ୟକତା ଅନୁଯାୟୀ ନିର୍ଦ୍ଦେଶନାମା ଜାରି କରିପାରିବେ । ସାଂସଦ ଓ ବିଧାୟକଙ୍କ ବିରୋଧରେ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡାଦେଶ ସମ୍ଭାବନା ଥିବା ମାମଲା, ୫ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡାଦେଶ ମାମଲାକୁ ପ୍ରାଥମିକତା ଦିଆଯିବ।  ଗୁରୁତ୍ବ ପୂର୍ଣ୍ଣ ରାୟ ପ୍ରକାଶ ସହ ଅପରାଧିକ ମାମଲା ଥିବା ସାଂସଦ ଓ ବିଧାୟକଙ୍କୁ ୬ବର୍ଷ ନିର୍ବାଚନ ଲଢିବାରୁ ରୋକିବା ନେଇ ଅଶ୍ବିନୀ ଉପାଧ୍ୟାୟ କରିଥିବା ଜନସ୍ବାର୍ଥ ମାମଲାକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।  

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.