ମା’ଙ୍କ ସ୍ବପ୍ନ ପୂରା କଲେ ଝିଅ; ବନିଗଲେ ଦେଶର ତୃତୀୟ ମହିଳା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ : ଜାଣନ୍ତୁ ସଂପୂର୍ଣ୍ଣ କାହାଣୀ

ସୋନିପତ୍ : ହରିଆଣା ପ୍ରଦେଶର ପ୍ରଥମ ଏବଂ ଦେଶର ତୃତୀୟ ମହିଳା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୌମ୍ଯା । ଏଠାକାର ସେକ୍ଟର-୧୨ ନିବାସୀ ସୌମ୍ଯା ବିଏସଏଫ ଜବାନ ଭାବେ କାର୍ଯ୍ଯରତ ଅଛନ୍ତି। ସେ ଖାଲି ଯେ ତାଙ୍କ ପ୍ରଦେଶର ତାହା ନୁହଁ ବରଂ ଦେଶର ଗର୍ବ ଗୌରବ ପାଲଟିଛନ୍ତି। ସେ ହରିୟାଣାର ପ୍ରଥମ କ୍ରାମବେଟ (ଯୁଦ୍ଧ) ଅଧିକାରୀ ହେବା ସହ ଅନ୍ଯ ମହିଳାଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ପିଲାଟି ବେଳୁ ସେନାରେ କାର୍ଯ୍ଯ କରିବା ପାଇଁ ସ୍ବପ୍ନ ଦେଖୁଥିବା ୨୩ ବର୍ଷୀୟା ସୌମ୍ଯା ସ୍କୁଲରୁ ହିଁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ।
ସୌମ୍ଯାଙ୍କ କହିବା ଅନୁଯାୟୀ, ବହୁତ ଭଲ ତାଲିମ ପରେ ମଧ୍ୟ ତାଙ୍କ ମା’ଙ୍କର ସରକାରୀ ଚାକିରି ହୋଇ ପାରିନଥିଲା। ତେଣୁ ମା’ଙ୍କ ଇଚ୍ଛା ପୂରଣ କରିବାକୁ ସେ ଆରମ୍ଭ କରିଥିଲେ କଠିନ ପରିଶ୍ରମ। ସୌମ୍ଯାଙ୍କ ମା ଦିଲ୍ଲୀ ବିଶ୍ବବିଦ୍ଯାଳୟରୁ ଉଚ୍ଚ ଶିକ୍ଷା ଗ୍ରହଣ କରିବା ପରେ ବହୁ ଚେଷ୍ଟା କରି ମଧ୍ୟ ସରକାରୀ ଚାକିରିଟିଏ ପାଇ ପାରିନଥିଲେ । ଏକଥା ଜାଣିବା ପରେ ଝିଅ ସୌମ୍ଯା ମା’ଙ୍କ ସ୍ବପ୍ନ ପୂରା କରିବା ପାଇଁ ପ୍ରତିଜ୍ଞାବଦ୍ଧ ହେଲେ। ଏଣୁ ସେ ସେନା ବାହିନୀରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ଅନେକ ବାଧା ଆସିଥିଲା କିନ୍ତୁ ସବୁକୁ ଏଡ଼ାଇ ପ୍ରତିବନ୍ଧକକୁ ଟପି ଶେଷକୁ ମିଳିଲା ସଫଳତା।
ସୌମ୍ଯା ୨୦୧୬ ମସିହାରେ ମୁସ୍ତଲ ସ୍ଥିତ ଡିସିଆରୟୁଏସଟିରୁ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂରେ ବିଟେକ୍ କରିଥିଲେ। ଏହାପରେ ଲୋକ ସେବା ଆୟୋଗ ସଂଘ ତରଫରୁ ହୋଇଥିବା କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଅଫିସରରେ ଭର୍ତ୍ତି ପାଇଁ ପରୀକ୍ଷା ଦେଇଥିଲେ। ସେ ପ୍ରଥମ ଉଦ୍ୟମରେ ହିଁ ରାଷ୍ଟ୍ରୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଏବେ ସେ ଗୋଆଲିୟର ସ୍ଥିତ ବିଏସଏଫ୍ ଏକାଡେମୀରେ ଟ୍ରେନିଂ ନେଉଛନ୍ତି। ସେଠାରେ ତାଲିମ ନେବାରେ ସୌମ୍ଯା ହେଉଛନ୍ତି ଏକୁଟିଆ ମହିଳା ।