ଆସନ୍ତାକାଲି ଲୋକସଭାରେ ଆସିବ ଇଲେକ୍ସନ୍ ଲ’ ଆମେଣ୍ଡମେଣ୍ଟ ବିଲ୍ – ୨୦୨୧, ଏକାଧିକ ସ୍ଥାନରେ ଦେଇ ହେବନି ଭୋଟ

ନୂଆଦିଲ୍ଲୀ : ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ପ୍ରକ୍ରିୟାରେ ସୁଧାର ଆଣୁଛନ୍ତି କେନ୍ଦ୍ର ସରକାର । ଆସନ୍ତାକାଲି ଲୋକସଭାରେ ଉପସ୍ଥାପିତ ହେବ ଇଲେକ୍ସନ୍ ଲ’ ଆମେଣ୍ଡମେଣ୍ଟ ବିଲ୍ – ୨୦୨୧ । ବିଲ୍ ଆଇନ୍ରେ ପରିଣତ ହେଲେ ଆଧାର ସହ ଭୋଟର ଆଇଡିକୁ ଲିଙ୍କ୍ କରାଯିବ । ଜଣେ ଏକାଧିକ ସ୍ଥାନରେ ଭୋଟ ଦେଇ ପାରିବେ ନାହିଁ ।

ସେହିଭଳି ଯୁବ ଭୋଟରଙ୍କୁ ବର୍ଷରେ ୪ ଥର ପଞ୍ଜିକରଣ କରିବାକୁ ସୁଯୋଗ ମିଳିବ ।ବନ୍ଦ ହେବ ଡୁପ୍ଲିକେଟ୍ ଭୋଟିଂର ବାଟ । ବିଲ୍ ଆଇନ୍ରେ ପରିଣତ ହେଲେ ଆଧାର ସହ ଭୋଟର ଆଇଡି ଲିଙ୍କ୍ କରିବେ ନିର୍ବାଚନ କମିଶନ । ଫଳରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିହେବ । ଆଧାର ସହ ଭୋଟର ଆଇଡି ଲିଙ୍କ୍ ହେଲେ ଜଣେ ଏକାଧିକ ସ୍ଥାନରେ ଭୋଟ ଦେଇ ପାରିବେ ନାହିଁ ।

ପୂର୍ବରୁ ଏକାଧିକ ଭୋଟ ପରିଚୟ ପତ୍ର ରଖିଥିବା ଲୋକେ ଏକାଧିକ ସ୍ଥାନରେ ମତଦାନ କରିପାରୁଥିଲେ। ୨୦୧୯ ଅଗଷ୍ଟରେ ଆଧାର-ଭୋଟର ଆଇଡି ଲିଙ୍କ୍ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ନିର୍ବାଚନ କମିଶନ। ତେବେ ଏହା ପୂର୍ବରୁ ଫେବ୍ରୁଆରୀ ୨୦୧୫ରେ ମତଦାନ ପାଇଁ ଆଧାର ନମ୍ବର ବ୍ୟବହାର କରିବା ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲେ ଇସିଆଇ।

କିନ୍ତୁ ଆଧାର ବୈଧତା ବିବାଦକୁ ନେଇ ଅଗଷ୍ଟ ୨୦୧୫ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଏହା ସ୍ଥଗିତ ରହିଥିଲା । ପରେ ସରକାରୀ ଏଜେନ୍ସୀରେ ଆଧାର ବ୍ୟବହାରକୁ ସର୍ବୋଚ୍ଚ ନ୍ୟାୟାଳୟ କାଣ୍ଟଛାଣ୍ଟ କରିଥିଲେ । ୨୦୧୯ରେ ଆଇନ୍ ମନ୍ତ୍ରାଳୟକୁ ସାନି ପ୍ରସ୍ତାବ ଦେଇଥିଲେ ନିର୍ବାଚନ କମିଶନ ।

Leave A Reply

Your email address will not be published.