ଛଅ ଥର ବିଧାୟକ ପରେ ଏବେ ଉପମୁଖ୍ଯମନ୍ତ୍ରୀ, ଜାଣନ୍ତୁ ତାଙ୍କ ରାଜନୈତିକ କ୍ୟାରିୟର

ଭୁବନେଶ୍ୱର (କେନ୍ୟୁଜ): ବିଜେପି ସରକାରରେ ରହିବେ ଦୁଇ ଜଣ ଉପମୁଖ୍ଯମନ୍ତ୍ରୀ । ପାଟଣାଗଡ଼ ବିଧାୟକ କେଭି ସିଂଦେଓ ଓ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା ହେବେ ଡେପୁଟି ସିଏମ । ବଲାଙ୍ଗୀର ରାଜପରିବାରରେ ଜନ୍ମିତ କନକବର୍ଦ୍ଧନ ସିଂଦେଓ ଛଅ ଥରର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପାଟଣାଗଡ ଆସନରୁ ଲଗାତାର ଭାବେ ଜିତି ଆସୁଥିବା କେଭି ସିଂହଦେଓ ୧୯୯୫ ସହିତ ୨୦୦୦ , ୨୦୦୪, ୨୦୦୯, ୨୦୧୪ ଏବଂ ୨୦୨୪ରେ ବିଧାୟକ ଭାବେ ନିର୍ବାଚିତ ହେଇଛନ୍ତି । ୧୯୯୫ ମସିହାରେ ସେ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହେଇଥିଲେ । ଏହାପରେ ଲଗାତାର ଭାବେ ସେ ପାଟଣାଗଡ ଆସନରୁ ଜିତି ଆସୁଥିଲେ । ବିଜେପି- ବିଜେଡି ମେଣ୍ଟ ସରକାରର ପ୍ରଥମ ପାଳିରେ ଶିଳ୍ପ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ମେଣ୍ଟ ସରକାରର ଦ୍ବିତୀୟ ପାଳିରେ ଥିଲେ ନଗର ଉନ୍ନୟନ ମନ୍ତ୍ରୀ । ଏମିତି କି ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ବି, ପାଟଣାଗଡ ଆସନ ତାଙ୍କ ପାଇଁ ଗଡ ହେଇ ରହିଥିଲା ।

୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ରାଜ୍ୟ ବିଜେପିର ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୫୯ ଜୁନ୍ ୧୪ରେ ବଲାଙ୍ଗିର ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜେଜେ ବାପା ରାଜେନ୍ଦ୍ର ନାରୟଣ ସିଂଦେଓ ଓଡିଶାର ମୁଖ୍ୟମନ୍ତ୍ରୀ ଥିଲେ । ରାଜ୍ୟ ବିଜେପିରେ କନକ ବର୍ଦ୍ଧନ ସିଂଦେଓଙ୍କ ବେଶ ପତିଆରା ରହିଛି। ପଶ୍ଚିମ ଓଡ଼ିଶା ରାଜନୀତିରେ ଦବଦବା ରହିଛି। ଆଉ ଏଥର ବିଜେପି ରାଜ୍ୟରେ ସରକାର ଗଠନ କରିଥିଲା । ଯାହା ପରେ ବିଧାୟକ ଦଳ ବୈଠକରେ କେଭି ସିଂହଦେଓ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେଇଛନ୍ତି ।

 

Leave A Reply

Your email address will not be published.