ହସ୍ପିଟାଲରେ ଜନ୍ମ ସମୟରେ ନବଜାତଙ୍କୁ ମିଳିଯିବ ଆଧାର କାର୍ଡ; ଜାଣନ୍ତୁ UIDAIର ଏହି ଯୋଜନା ସମ୍ପର୍କରେ

ନୂଆଦିଲ୍ଲୀ : ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଶୀଘ୍ର ହସ୍ପିଟାଲରେ ଜନ୍ମିତ ନବଜାତ ଶିଶୁମାନଙ୍କୁ ଆଧାର କାର୍ଡ ଯୋଗାଇବାକୁ ପ୍ରସ୍ତୁତ କରୁଛି। ଏଥିପାଇଁ ହସ୍‌ପିଟାଲ୍‌ଗୁଡ଼ିକୁ ଆଧାର ଏନ୍‌ରୋଲମେଣ୍ଟ ସୁବିଧା ଦିଆଯିବ। ଫଳରେ ଡାକ୍ତରମାନେ ତୁରନ୍ତ ନବଜାତଙ୍କର ଆଧାର କାର୍ଡ ତିଆରି କରି ଦେଇପାରିବେ। ଏନେଇ ସୂଚନା ଦେଇଛନ୍ତି UIDAI ମୁଖ୍ୟା କାର୍ଯ୍ୟକାରୀ ଅଧିକାରୀ ସୌରଭ ଗର୍ଗ।

ଏହା ମଧ୍ୟ କହିଛନ୍ତି ଯେ ନବଜାତ ଶିଶୁମାନଙ୍କୁ ଆଧାର ନମ୍ବର ଦେବା ପାଇଁ UIDAI ଜନ୍ମ ରେଜିଷ୍ଟ୍ରାରଙ୍କ ସହ ସହିତ ମିଶି କାମ କରିବାକୁ ଚେଷ୍ଟା ଜାରି ରଖିଛି। “ବର୍ତ୍ତମାନ ପର୍ଯ୍ୟନ୍ତ, ଦେଶର ୯୯. ୭ ପ୍ରତିଶତ ବୟସ୍କଙ୍କ ଆଧାର ପଞ୍ଜୀକରଣ କରାଯାଇସାରିଛି । ଆମେ ୧୩୧ କୋଟି ଲୋକଙ୍କର ପଞ୍ଜୀକରଣ କରାଇଛୁ ଓ ଏବେ ଆମେ ନବଜାତ ଶିଶୁଙ୍କୁ ଆଧାର ଯୋଗାଇବା ଉପରେ କାମ ଆରମ୍ଭ କରିବାକୁ ଯାଉଛୁ । ଏଥିପାଇଁ ଯୋଜନା ଚାଲିଛଇ । ଦେଶରେ ପ୍ରତିବର୍ଷ ୨ ରୁ ସାଢ଼େ ଦୁଇ କୋଟି ଶିଶୁ ଜନ୍ମ ନେଉଛନ୍ତି ।

ୟୁଆଇଡିଏଆଇର ସିଇସ କହିଛନ୍ତି ଯେ, ନବଜାତ ଶିଶୁ ମାନଙ୍କୁ ଜନ୍ମ ସମୟରେ ହିଁ କେବଳ ଗୋଟିଏ ଫଟୋ ଉଠାଇ ଆଧାର କାର୍ଡ ଦିଆଯିବ । କାରଣ ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କ ବାୟୋମେଟ୍ରିକ୍ ଆମେ ନେଇ ନଥାଉ । କିନ୍ତୁ ସେମାନଙ୍କ ଆଧାର ତାଙ୍କ ବାପା ମାଆଙ୍କ ଆଧାର ସହିତ ଯୋଡ଼ି ହୋଇ ରହିବ । ଉପଯୁକ୍ତ ବୟସ ହେବା ପରେ ବାୟୋମେଟ୍ରିକ୍ ନିଆଯିବ । ସୁଚନା ଯୋଗ୍ୟ, ୨୦୧୦ ରେ ପ୍ରଥମ ଆଧାର ଜାରି କରାଯାଇଥିଲା । ସେ ସମୟରେ ୟୁଆଇଡିଏଆଇର ଲକ୍ଷ୍ୟ ଥିଲଶ ଯେ, କିପରି ଅଧିକରୁ ଅଧିକ ଲୋକଙ୍କୁ ଏଥିରେ ଯୋଡ଼ା ଯାଇପାରିବ ।

ସୂଚନା ଦେଇ ଗର୍ଗ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଆମର ସମ୍ପୂର୍ଣ୍ଣ ଜନସଂଖ୍ୟାକୁ ଆଧାର ନମ୍ବର ଉପଲ୍ଧ କରାଇବାକୁ ଚେଷ୍ଟା କରୁଛୁ। ଗତ ବର୍ଷ ଆମେ ଦୂରଦୂରାନ୍ତ ଅଞ୍ଚଳରେ ପ୍ରାୟ ୧୦ ହଜାର କ୍ୟାମ୍ପ ଲଗାଇଥିଲୁ। ଏହାପେର ପାଖାପାଖି ୩୦ ଲକ୍ଷ ଲୋକଙ୍କୁ ଆଧାର ପାଇଁ ଏନ୍‌ରୋଲ କରାଯାଇଥିଲା ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.