ବ୍ରିଟେନ ପ୍ରଧାନ ମନ୍ତ୍ରୀ ବୋରିସ ଜନସନ ଦେଲେ ଇସ୍ତଫା, ଜାଣନ୍ତୁ କ’ଣ ପାଇଁ ଗଲା ପଦବୀ

ଲଣ୍ଡନ : ବ୍ରିଟେନ ସରକାରରେ ସଂକଟ ଲାଗି ରହିବା ପରେ ଆଜି ପ୍ରଧାନ ମନ୍ତ୍ରୀ ବୋରିସ ଜନସନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ମନ୍ତ୍ରୀ ମଣ୍ଡଳର ୪୦ ଜଣ ମନ୍ତ୍ରୀ ଇସ୍ତଫା ଦେବା ପରେ ବହୁ ଚାପର ବଶବର୍ତ୍ତୀ ହୋଇ ସେ ଇସ୍ତଫା ଦେଇଥିବା ଜଣାଯାଇଛି । ଦୀର୍ଘ ମାସାଧିକ କାଳ ବିବାଦରେ ଛନ୍ଦି ହୋଇ ପଡିଥିଲେ ପ୍ରଧାନ ମନ୍ତ୍ରୀ ଜନସନ୍‌ । ଖୁବ୍‌ ଶୀଘ୍ର ପାର୍ଟି ପକ୍ଷରୁ ବୈଠକ ହେବ ।

ଯେଉଁଥିରେ ନୂଆ ପ୍ରଧାନ ମନ୍ତ୍ରୀଙ୍କୁ ଚୟନ କରାଯିବ । ପ୍ରକାଶଯୋଗ୍ୟ ଯେ ମଙ୍ଗଳବାର ବରିଷ୍ଠ ନେତାମାନଙ୍କ ଇସ୍ତଫା ପରେ ଅନ୍ୟ ମନ୍ତ୍ରୀମାନଙ୍କର ଇସ୍ତଫା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ଫଳରେ ପ୍ରଧାନ ମନ୍ତ୍ରୀଙ୍କ ଉପରେ ପଦବୀରୁ ଇସ୍ତଫା ଦେବା ଚାପ ପଡିଥିଲା । ମନ୍ତ୍ରୀମଣ୍ଡଳ ଓ ଦଳ ମଧ୍ୟରେ ଦେଖା ଦେଇଥିବା ସଂକଟର କାରଣ ପ୍ରଧାନ ମନ୍ତ୍ରୀ ଜନସନଙ୍କ ଏକ ନିଷ୍ପତ୍ତିକୁ ନେଇ ଆରମ୍ଭ ହୋଇଥିଲା ।

ବୋରିସ ଜନସନଙ୍କ ଏକ ଭୁଲ ନିଷ୍ପତ୍ତି କାରଣରୁ ଗଲା ପଦ

ସାଂସଦ କ୍ରିସ ପିଞ୍ଚରଙ୍କୁ ଦଳର ଡେପୁଟି ଚିଫ୍‌ ହ୍ଵିପ ଅଫିସର ଭାବେ ନିଯୁକ୍ତି କରିବା ଭାରି ପଡ଼ିଲା ପ୍ରଧାନ ମନ୍ତ୍ରୀ ବୋରିସ ଜନସନଙ୍କୁ । କ୍ରିସ ପିଞ୍ଚରଙ୍କ ନାମରେ ବହୁ ଗମ୍ଭୀର ଅଭିଯୋଗ ଥିବା ସତ୍ତ୍ୱେ ଜନସନ୍‌ ତାଙ୍କୁ ଏପରି ନିଯୁକ୍ତି ଦେଇଥିଲେ ।। କ୍ରିସ ପିଞ୍ଚର ପ୍ରଧାନ ମନ୍ତ୍ରୀଙ୍କ ଅତି ନିକଟତମ ବ୍ୟକ୍ତି ଭାବେ ପରିଚିତ । ପିଞ୍ଚରଙ୍କ ନିଯୁକ୍ତି ପରେ ଦଳ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଏକ ସେକ୍ସ ସ୍କାଣ୍ଡାଲ ମାମଲାରେ ପିଞ୍ଚରଙ୍କ ଭୁମିକାକୁ ନେଇ ପିଞ୍ଚର ବିବାଦୀୟ ହୋଇ ପଡିଥିଲେ ।

ସେକ୍ସ ସ୍କାଣ୍ଡାଲ, ଯେଉଁଠୁ ଆରମ୍ଭ ହୋଇଥିଲା ବିବାଦ

ବ୍ରିଟେନର ଏକ ଖବର କାଗଜରେ ୩୦ ଜୁନରେ ପ୍ରକାଶିତ ଖବର ଅନୁଯାୟୀ ସାଂସଦ କ୍ରିସ ପିଞ୍ଚର ଲଣ୍ଡନର ଏକ ପ୍ରାଇଭେଟ କ୍ଲବ ରେ ଦୁଇଜଣ ପୁରୁଷଙ୍କୁ ଆପତ୍ତିଜନକ ଭାବେ ଛୁଇଁଥିଲେ । ଏହି ଖବର ଲୋକ ଲୋଚନକୁ ଆସିବା ପରେ ପିଞ୍ଚରଙ୍କୁ ପାର୍ଟିର ଡେପୁଟି ଚିଫ୍‌ ହ୍ଵିପ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ଏହାପରେ ପିଞ୍ଚରଙ୍କ ନାମରେ ଅତି କମରେ ୬ ଟି ଯୌନ ଦୁର୍ବ୍ୟବହାର ଅଭିଯୋଗ ଆସିଥିଲା । ଏହା ପରେ ପିଞ୍ଚର କ୍ଷମା ମାଗିବା ସହ ତଦନ୍ତରେ ସହଯୋଗ କରିବେ ବୋଲି କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.