ୟୁକ୍ରେନ କହିଲା… ଯୁଦ୍ଧ ୧୫ ଦିନ ଦେଶକୁ କେତେ ହୋଇଛି କ୍ଷତି; କେମିତି ହେବ ଏହାର ଭରଣା

ରୁଷ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନକୁ କେତେ କ୍ଷତି ହୋଇଛି, ଏହା ଉପରେ ରାଷ୍ଟ୍ରପତି ଜେଲେନସ୍କିଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଏକ ବୟାନ ଜାରି କରିଛନ୍ତି। ସେ କହିଛନ୍ତି, ରୁଷ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ଦେଶକୁ ୧୦୦ ବିଲିୟନ ଡଲାରର କ୍ଷତି ହୋଇଛି। ଏହି ଯୁଦ୍ଧ କାରଣରୁ ୟୁକ୍ରେନରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ବ୍ୟବସାୟ ଠପ୍‌ ହୋଇ ଯାଇଛି। ଯାହା ୫୦ ପ୍ରତିଶତ ଚାଲିଛି, ତାହା ବି ନିଜ କ୍ଷମତାଠାରୁ ଅଧିକ ନିମ୍ନ ସ୍ତରରେ ରହିଛି।

ଏମିତି ହେବ କ୍ଷତିର ଭରଣା

ମୁଖ୍ୟ ଆର୍ଥିକ ପରାମର୍ଶଦାତା ଓସ୍ତେନକୋଙ୍କ କହିବା ହେଲା, ଏହା ଆନୁମାନିକ କ୍ଷତି। ଏଥିରେ ରାସ୍ତା, ପୁଲ୍‌, ହସ୍ପିଟାଲ, ଇକ୍ୱିପମେଣ୍ଟ ଏବଂ ଅନ୍ୟାନ୍ୟ ଜିନିଷ ବି ସାମିଲ ରହିଛି। ତେବେ ଏକ ଅନଲାଇନ ଇଭେଣ୍ଟ ସମୟରେ ଓସ୍ତେନକୋଙ୍କୁ ପଚରା ଯାଇଥିଲା କି, ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା କ୍ଷତିକୁ କିପରି ଭରଣା କରାଯିବ। ତ ଏହା ଉପରେ ସେ ଉତ୍ତର ରଖି କହିଥିଲେ ଯେ ‘ସାରା ବିଶ୍ୱରେ ରୁଷର ସମ୍ପତ୍ତି ଫ୍ରିଜ୍‌ ହୋଇଯାଇଛି। ଏଥିରେ ରଷିଆନ୍‌ ସେଣ୍ଟ୍ରାଲ ବ୍ୟାଙ୍କ ସୁଦ୍ଧା ସାମିଲ ଅଛି। ଏଥିରୁ ହିଁ ୟୁକ୍ରେନରେ ହୋଇଥିବା ଏକ ବଡ଼ କ୍ଷତିର ଭରଣା କରାଯାଇ ପାରିବ’। ସେ ଆହୁରି କହିଥିଲେ କି, ରୁଷର ଧନୀକ ବର୍ଗ ଲୋକଙ୍କର ଜବତ ସମ୍ପତ୍ତିକୁ ବ୍ୟବହାର କରି ମଧ୍ୟ ରାଜକୋଷକୁ ପୁଣିଥରେ ପ୍ରସ୍ତୁତ କରାଯାଇ ପାରିବ।

ଓସ୍ତେନକୋ କହିଥିଲେ, ବର୍ତ୍ତମାନ ୟୁକ୍ରେନ ରାଜକୋଷ ଭଣ୍ଡାରରେ ପାଖାପାଖି ୨୭.୫ ବିଲିୟନ ଡଲାର ରହିଛି, ଯାହା ଆକ୍ରମଣ ପୂର୍ବ ତୁଳନାରେ ୩୦ ବିଲିୟନ ଡଲାର କମ୍‌। ୟୁକ୍ରେନର ଯେଉଁ ଭାଗରେ ରୁଷ ଆକ୍ରମଣ କରିନି, ସେଠାରେ ଏଟିଏମ୍‌ ଜରିଆରେ କ୍ୟାଶ୍‌ ଉଠାଯାଇ ପାରିବ। କ୍ରେଡିଟ୍‌ କାର୍ଡରୁ ନେଇ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍‌ ପେମେଣ୍ଟ ସିଷ୍ଟମ୍‌ ସୁଦ୍ଧା କାମ କରୁଛି। ଅନ୍ୟପଟେ ରାଷ୍ଟ୍ରପତି ଜେଲେନସ୍କି ରୁଷ ବିରୋଧରେ କଡ଼ା ପଦକ୍ଷେପ ଉଠାଇବାକୁ ଯାଇ ଏକ ନୂଆ ଆଇନକୁ ମଞ୍ଜୁରୀ ଦେଇଛନ୍ତି। ଏହା ଅଧୀନରେ ୟୁକ୍ରେନ ରୁଷୀୟ ସମ୍ପତ୍ତିକୁ ଜବତ କରି ପାରିବ। ଏହି ଆଇନ ରୁଷ କିମ୍ବା ଏହାର ନାଗରିକମାନଙ୍କର ସମ୍ପତ୍ତିକୁ ବିନା କ୍ଷତିପୂରଣରେ ଜବତ କରିବାର ଅଧିକାର ଦେଇଥାଏ। ଏହି ଆଇନକୁ ୩ ମାର୍ଚ୍ଚରେ ୟୁକ୍ରେନ ସଂସଦରେ ପାରିତ କରାଯାଇଛି।