ଭୁଶୁଡିଲା ନିର୍ମାଣାଧୀନ ବିଲ୍ଡିଂର ଲୁହା ସ୍ଲାବ୍‌: ୭ ମୃତ, ମୋଦି ଜଣାଇଲେ ଶୋକ

ପୁନେ: ମହାରାଷ୍ଟ୍ର ପୁନେର ୟରବଦା ଶାସ୍ତ୍ରୀ ନଗରରେ ଗୁରୁବାର ଦିନ ବିଳମ୍ବିତ ରାତିରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଠାରେ ଏକ ନିର୍ମାଣାଧୀନ ବିଲ୍ଡିଂର ଲୁହା ସ୍ଲାବ୍ ଖସିବା ଫଳରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି ଓ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ ଟୁଇଟ୍ କରି ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ସୁସ୍ଥ ହେବା ନେଇ କାମନା କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଏହି ଅଞ୍ଚଳରେ ଥିବା ଏକ ନିର୍ମାଣାଧୀନ ବିଲ୍ଡିଂର ବେସମେଣ୍ଟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ ଚାଲିଥିଲା । ସେହି ସମୟରେ ପାର୍କିଂରେ ଅଚାନକ ଏକ ଲୁହା ସ୍ଲାବ୍ ଖସିପଡ଼ିଥିଲା । ଏଥିପାଇଁ ୧୬ ଏମଏମର ଲୁହା ରଡରେ ଏକ ଜାଲି ତିଆରି ହୋଇଥିଲା । ଆଉ ଉକ୍ତ ଜାଲି ସାହାରାରେ ଠିଆ ହୋଇ ଶ୍ରମିକମାନେ କାମ କରୁଥିଲେ । ଏହି ସମୟରେ ଜାଲିଟି ହଠାତ୍‌ ଖସିପଡ଼ିଥିଲା । ଏହା ତଳେ ଶ୍ରମିକମାନେ ଫସିଯାଇଥିଲେ । ଲୁହା ରଡ୍ ଗୁଡ଼ିକ ଶ୍ରମିକମାନଙ୍କ ଶରୀରରେ ପଶିଯାଇଥିଲା । ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଏହି ଶ୍ରମିକମାନେ ବିହାରର ବୋଲି ଜଣାପଡ଼ିଛି ।

ସର୍ତକତାର ଅଭାବ ଯୋଗୁଁ ଏମିତି ଘଟଣା ଘଟିଛି ବୋଲି ପ୍ରାଥମିକ ଯାଞ୍ଚରୁ ଜଣାପଡିଛି। ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ମଧ୍ୟପ୍ରଦେଶ ଇନ୍ଦୋର ସ୍ଥିତ ତେଜାଜୀ ନଗରରେ ଏକ ନିର୍ମାଣାଧିନ ସ୍କୁଲ ଛାତ ଗଳିପଡିବାରୁ ୧୦ରୁ ଅଧିକ ଶ୍ରମିକ ଆହତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.