କର୍ଣ୍ଣାଟକରେ ୧୭ ବିଧାୟକ ଅଯୋଗ୍ୟ ରହିବେ ହେଲେ ନିର୍ବାଚନ ଲଢ଼ିପାରିବେ, କଟକଣାକୁ ଉଠାଇଲେ ସୁପ୍ରିମକୋର୍ଟ

କେନ୍ୟୁଜ୍(ବ୍ୟୁରୋ): କର୍ଣ୍ଣାଟକର ୧୭ ଅଯୋଗ୍ୟ ବିଧାୟକ ମାମଲାରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ। ବିଧାନସଭା ବାଚସ୍ପତିଙ୍କ ଦ୍ୱାରା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନିଷ୍ପତ୍ତିକୁ କାଏମ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଡିସେମ୍ବର ୫ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ଏମାନେ ଲଢିପାରିବେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ପୂର୍ବତନ ବାଚସ୍ପତି କେ. ରମେଶ ଅଯୋଗ୍ୟ ବିଧାୟକଙ୍କୁ ୨୦୨୩ ପର୍ଯ୍ୟନ୍ତ ନିର୍ବାଚନ ଲଢିବା ଉପରେ ରୋକ ଲଗାଇଥିଲେ। ଗତ ଜୁଲାଇରେ ଜେଡିଏସ ଓ କଂଗ୍ରେସର ୧୭ ବିଧାୟକ ଦଳ ବିରୋଧରେ ଯିବା ପରେ ମେଣ୍ଟ ସରକାରର ପତନ ହୋଇଥିଲା। ବାଚସ୍ପତି ଦଳବଦଳ ଆଇନ ଲାଗୁ କରି ୧୭ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥଲେ। ମେଣ୍ଟ ସରକାରର ପତନ ପରେ ଏହି ବିଧାୟକମାନେ ଅଯୋଗ୍ୟ ଘୋଷଣା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବର୍ତ୍ତମାନର ବିଜେପି ସରକାରକୁ ୧୭ ବିଧାୟକଙ୍କ ସମର୍ଥନ ଥିବା ନେଇ ଘୋଷଣା କରିଥିଲେ ୟେଦିୟୁରପ୍ପା।

ଏହି ୧୭ ଅଯୋଗ୍ୟ ବିଧାୟକ ଆସନ୍ତା ଡିସେମ୍ବରରେ ୧୫ଟି ଆସନରେ ହେବାକୁ ଥିବା ଉପନିର୍ବାଚନରେ ଭାଗ୍ୟ ପରୀକ୍ଷା କରିପାରିବେ । ମକ୍ସୀ ଓ ରାଜରାଜେଶ୍ୱରୀ ବିଧାନସଭାରେ ଏଥିପାଇଁ ନିର୍ବାଚନ ହେବ ନାହିଁ । ଏହି ଦୁଇ ଆସନ ସହ ଜଡିତ ଥିବା ଯାଚିକା କର୍ଣ୍ଣାଟକ ହାଇକୋର୍ଟରେ ବିଚାର ରହିଛି ।

ଆସନ୍ତା ଉପନିର୍ବାଚନରେ ୟେଦୁରପ୍ପା ସରକାରଙ୍କୁ ଯେକୌଣସି ପରିସ୍ଥିତିରେ ଛଅଟି ଆସନରେ ବିଜୟୀ ହେବାକୁ ପଡିବ । ଯଦି ଏପରି ନହୁଏ, ତେବେ ବିଜେପି ସରକାର ବହୁମତଠାରୁ ପଛରେ ରହିଯିବ । ବର୍ତ୍ତମାନ ସମୟରେ ବିଧାନସଭାରେ ବହୁମତ ପାଇଁ ୧୦୪ ବିଧାୟକଙ୍କ ଆବଶ୍ୟକତା ରହିଛି । ଯେତେବେଳେ କି ବିଜେପି ପାଖରେ ୧୦୬ ବିଧାୟକଙ୍କ ସମର୍ଥନ ଅଛି । ଆସନ୍ତା ୧୫ ବିଧାନସଭା ଆସନ ଉପରେ ହେବାକୁ ଥିବା ଉପନିର୍ବାଚନ ପରେ ବହୁମତ ସଂଖ୍ୟା ୧୧୨ ହୋଇଯିବ । ବିଜେପିକୁ ନିଜର ସରକାର ବଞ୍ଚାଇବା ପାଇଁ ଅନ୍ୟ ୬ ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିବ । ୨୨୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ପାଖରେ ୧୦୬ ବିଧାୟକ ରହିଥିବା ବେଳେ ଜେଡିଏସ- କଂଗ୍ରେସ ପାଖରେ ୧୦୧ ବିଧାୟକ ରହିଛନ୍ତି। ଯଦି ଉପନିର୍ବାଚନରେ ଏହି ୧୭ ବିଧାୟକ ହାରି ଯାଆନ୍ତି ତେବେ କଣ ହେବ କର୍ଣ୍ଣାଟକ ଗଣିତ, ତାଉପରେ ବି ନଜର ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.