ମେ’ ୭ ଯାଏ ଜେଲ୍ରେ ରହିବେ ସିଏମ୍ କେଜ୍ରିଓ୍ଵାଲ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମିଳିଲାନି ଆଶ୍ୱସ୍ତି
ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ମିଳିନାହିଁ । ମଙ୍ଗଳବାର କୋର୍ଟ ତାଙ୍କୁ ମେ’ ୭ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।

ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ମିଳିନାହିଁ । ମଙ୍ଗଳବାର କୋର୍ଟ ତାଙ୍କୁ ମେ’ ୭ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ବର୍ତ୍ତମାନ କେଜ୍ରିୱାଲ ମେ’ ୭ରେ ପୁଣିଥରେ କୋର୍ଟରେ ହାଜର ହେବେ । ନ୍ୟାୟିକ ହେପାଜତ ଶେଷ ହେବା ପରେ ସିଏମ୍ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜେଲରୁ ହାଜର ହୋଇଥିଲେ ।
ଏହାପୂର୍ବରୁ ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ଏକ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ୧୪ ଦିନିଆ ହେପାଜତ ଶେଷ ହେବା ପରେ ତାଙ୍କୁ ଜଜ୍ କାବେରୀ ବାୱେଜାଙ୍କ କୋର୍ଟରେ ହାଜର କରାଯାଇଥିଲା ।
ଏହି ମାମଲାରେ ସୁପ୍ରିମ୍କୋର୍ଟ ସିଏମ୍ କେଜ୍ରିୱାଲଙ୍କ ଗିରଫଦାରୀ ଏବଂ ପରବର୍ତ୍ତୀ ରିମାଣ୍ଡକୁ ଚ୍ୟାଲେଞ୍ଜ କରିଥିବା ତାଙ୍କ ଆବେଦନ ଉପରେ ଇଡିକୁ ନୋଟିସ ଜାରି କରିଥିଲେ । ଏହି ମାମଲାରେ ଏପ୍ରିଲ ୨୯ରେ ଶୁଣାଣି ହେବ । କହି ରଖୁଛୁ, ମାର୍ଚ୍ଚ ୨୧ରେ ଇଡି କେଜ୍ରିଓ୍ଵାଲଙ୍କୁ ଦିଲ୍ଲୀ ବାସଭବନରେ ୨ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିବା ପରେ ଗିରଫ କରିଥିଲା ।
ସେପଟେ ସିଏମ୍ କେଜ୍ରିଓ୍ଵାଲଙ୍କୁ ଆଜି ତିହାର ଜେଲ୍ରେ ପ୍ରଥମ ଥର ଇନ୍ସୁଲିନ ଦିଆଯାଇଛି । ତିହାରରେ ତାଙ୍କର ସୁଗାର ଲେବଲ୍ କ୍ରମାଗତ ଭାବେ ବଢ଼ିଚାଲିଥିଲା । ତାଙ୍କର ସୁଗାର ସ୍ତର ୩୨୦ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା, ଯାହାପରେ ତାଙ୍କୁ ଏଠାରେ ଇନ୍ସୁଲିନ ଦିଆଯାଇଛି ।
ଏହାପୂର୍ବରୁ ତିହାର ଜେଲ୍ରେ କେଜ୍ରିଓ୍ଵାଲଙ୍କୁ ଇନ୍ସୁଲିନ ଦିଆ ନ ଯିବା ପ୍ରସଙ୍ଗ ଉପରେ ଆମ୍ ଆଦ୍ମୀ ପାର୍ଟିର ଶତାଧିକ କାର୍ଯ୍ୟକର୍ତ୍ତା ଏବଂ ନେତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦଳୀୟ କାର୍ଯ୍ୟକର୍ତ୍ତା ତିହାର ବାହାରେ ଇନ୍ସୁଲିନ ଡୋଜ୍କୁ ନେଇ ଜେଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ସାଙ୍କେତିକ ପ୍ରଦର୍ଶନ କରିଥିଲେ । ସେମାନେ ଜେଲ୍ ଅଧିକାରୀଙ୍କୁ ସିଏମ୍ଙ୍କୁ ଇନ୍ସୁଲିନ ଉପଲବ୍ଧ କରାଇବାକୁ କହିଥିଲେ ।