ୟୁପି ପୋଲିସ ଭର୍ତ୍ତି ପରୀକ୍ଷା ପେପର ଲିକ୍‌ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ, ପଦରୁ ହଟିଲେ ବୋର୍ଡ ଅଧ୍ୟକ୍ଷା

ଉତ୍ତରପ୍ରଦେଶ ପୋଲିସ ଭର୍ତ୍ତି ପରୀକ୍ଷାରେ ହୋଇଥିବା ପେପର ଲିକ୍ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବୋର୍ଡ ଅଧ୍ୟକ୍ଷା ରେଣୁକା ମିଶ୍ରାଙ୍କୁ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ରାଜୀବ କୃଷ୍ଣାଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।

ଉତ୍ତରପ୍ରଦେଶ ପୋଲିସ ଭର୍ତ୍ତି ପରୀକ୍ଷାରେ ହୋଇଥିବା ପେପର ଲିକ୍ ମାମଲାରେ କଡ଼ା ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବୋର୍ଡ ଅଧ୍ୟକ୍ଷା ରେଣୁକା ମିଶ୍ରାଙ୍କୁ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ରାଜୀବ କୃଷ୍ଣାଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଉତ୍ତରପ୍ରଦେଶରେ ୬୦ ହଜାରରୁ ଅଧିକ କନଷ୍ଟେବଳ ପଦ ନିମନ୍ତେ ୪୮ ଲକ୍ଷ ଆଶାୟୀ ଆବେଦନ କରିଥିଲେ । ମାତ୍ର ପ୍ରଶ୍ନପତ୍ର ଲିକ୍ ହେବାକୁ ଏହି ପରୀକ୍ଷାକୁ ବାତିଲ କରି ଦିଆଯାଇଛି ।

ତେବେ ରେଣୁକା ମିଶ୍ରାଙ୍କୁ ଅନ୍ୟତ୍ର କେଉଁଠି ମଧ୍ୟ ପୋଷ୍ଟିଂ ଦିଆଯାଇନାହିଁ । ଏହି ମାମଲାରେ ଏଯାବତ ବହୁ ଲୋକଙ୍କୁ ଗିରଫ କରାଯାଇ ସାରିଲାଣି । ଉତ୍ତରପ୍ରଦେଶ ପୋଲିସ ଭତ୍ତି ପେପର ଲିକ୍‌ ମମଲାରେ ଏସଓଜି ସର୍ଭିଲାନ୍ସ ସେଲ, ଏସଟିଏଫ ୟୁନିଟ ଗୋରଖପୁର ଏବଂ ଇଟାଓ୍ଵା ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ବହୁ ମାର୍କସିଟ୍, ଆଡମିଟ କାର୍ଡ, ବ୍ଲାଙ୍କ ଚେକ୍, ମୋବାଇଲ ଫୋନ୍ ଓ ଲାପଟପ୍ ଜବତ ହୋଇଛି । ମଥୁରାର ଜଣେ ବ୍ୟକ୍ତି ପ୍ରଶ୍ନର ଉତ୍ତର ପଠାଇଥିଲା । ଯାହାର ଯାଞ୍ଚ ଏସଟିଏଫ କରୁଛି ।

ଏହି ମାମଲାରେ ଟ୍ଵିଟ୍‌ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ୟୁପି ପୋଲିସ ପରୀକ୍ଷା ପାଇଁ ଆୟୋଜିତ ପରୀକ୍ଷା-୨୦୨୩ ବାତିଲ କରାଯାଉଛି । ଏହାସହିତ ୬ ଭିତରେ ପୁନଃ ପରୀକ୍ଷା ହେବାକୁ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଘଟଣାରେ ଏସଟିଏଫ ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ଫେବୃଆରୀ ୧୭ ଏବଂ ୧୮ରେ ଉତ୍ତର ପ୍ରଦେଶ କନଷ୍ଟେବଳ ପଦବୀ ପାଇଁ ପରୀକ୍ଷା ହୋଇଥିଲା । ୬୦ ହଜାର ପଦବୀରେ କରାଯାଇଥିବା ଏହି ପରୀକ୍ଷାରେ ୪୮ ଲକ୍ଷ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ । ପରୀକ୍ଷା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ପରୀକ୍ଷା କେନ୍ଦ୍ରରେ କୌଣସି ବୈଦ୍ୟୁତିକ ଉପକରଣ ବହନ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।

କିନ୍ତୁ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ପରୀକ୍ଷାର୍ଥୀ ଆନ୍ଦୋଳନ କରିଥିଲେ । ଉକ୍ତ ପରୀକ୍ଷାକୁ ବାତିଲ୍ କରି ପୁନଃ ପରୀକ୍ଷା କରିବାକୁ ଦାବି କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.