Below header

ଗୁଣିଗାରେଡ଼ି ସନ୍ଦେହରେ ସ୍ୱାମୀ-ସ୍ତ୍ରୀଙ୍କୁ ଗଛରେ ଝୁଲାଇ ଦେଲେ, ଦମ୍ପତିଙ୍କୁ ନିର୍ଧୁମ୍‌ ଛେଚିଲେ ଗ୍ରାମବାସୀ

ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରେ ତନ୍ତ୍ରମନ୍ତ୍ର ଓ ଗୁଣିଗାରେଡ଼ି ସନ୍ଦେହରେ ସ୍ଥାନୀୟ ଲୋକେ ଜଣେ ଦମ୍ପତିଙ୍କୁ ନିର୍ଧୁମ୍‌ ଛେଚିଛନ୍ତି। ପୋଲିସ ପହଞ୍ଚି ଲୋକଙ୍କ କବଳରୁ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଛି।

ତେଲେଙ୍ଗାନାରେ ତନ୍ତ୍ରମନ୍ତ୍ର ଓ ଗୁଣିଗାରେଡ଼ିକୁ ନେଇ ଏକ ଅମାନବୀୟ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ଏବଂ ତାଙ୍କ ପତ୍ନୀଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ଗ୍ରାମବାସୀ ଗଛରେ ବାନ୍ଧି ନିର୍ଧୁମ୍‌ ଛେଚିଛନ୍ତି। ଦମ୍ପତିଙ୍କୁ ଅମାନୁଷିକ ଭାବେ ମାଡ଼ ମରାଯାଇଛି, ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଘଟଣା ଲୋକଲୋଚନକୁ ଆସିବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ତେଲେଙ୍ଗାନାର ସଦାଶିବପେଟ୍‌ ଥାନା ଅଧୀନ କୋଲକୁରୁ ଗାଁରେ ଏହି ଘଟଣା ଘଟିଛି। ପୋଲିସ ଅନୁସାରେ, ସ୍ଥାନୀୟ ଲୋକେ ୟାଦେୟା ଓ ତାଙ୍କ ପତ୍ନୀ ଶ୍ୟାମମ୍ମାଙ୍କ ଉପରେ ଗୁଣିଗାରେଡ଼ିର ଅଭିଯୋଗ ଆଣିଥିଲେ। ଗାଁର ଏକ ଗୋଷ୍ଠୀ ହଠାତ୍‌ ଦମ୍ପତିଙ୍କ ଘରେ ପଶି ସେମାନଙ୍କୁ ଘୋଷାଡ଼ି ଘୋଷାଡ଼ି ଏକ ସ୍ଥାନକୁ ନେଇ ଆସିଥିଲେ। ଏହାପରେ ସେମାନେ ଦମ୍ପତିଙ୍କୁ ଏକ ଗଛରେ ବାନ୍ଧି ଖୁବ୍‌ ପିଟିଥିଲେ।

ଖବର ପାଇ ପୋଲିସ ପହଞ୍ଚି ଗ୍ରାମବାସୀଙ୍କ କବଳରୁ ସେମାନଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାରେ ଦମ୍ପତି ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ମୁତାବକ, ଗ୍ରାମବାସୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.