Below header

ଅଜମେର୍‌ ଜେଲରେ ଭିଆଇପି ଟ୍ରିଟ୍‌ମେଣ୍ଟ! ୮ ଲକ୍ଷରେ ବିଳାସମୟ ରୁମ୍‌ ଆଉ ୧୫ ହଜାରରେ ସିଗାରେଟ୍‌!

ରାଜସ୍ଥାନର ଅଜ୍‌ମେର ଜେଲରେ କଏଦୀମାନଙ୍କୁ ଭିଆଇପି ଟ୍ରିଟ୍‌ମେଣ୍ଟ ମିଳୁଥିବା ଘଟଣା ଏବେ ସାମ୍ନାକୁ ଆସିଛି। କୁହାଯାଉଛି, ଏହି ଜେଲରେ ବନ୍ଦୀ ଥିବା କୌଣସି ବି କଏଦୀ ‘ଧାର୍ଯ୍ୟ ଶୁଳ୍କ’ ଦେଇ ଭିଆଇପି ରୁମ୍‌ ଏବଂ ସିଗାରେଟ୍‌ ଭଳି ସୁବିଧାର ଲାଭ ଉଠାଉଥିଲେ। ଆଣ୍ଟି କରପଶନ ବ୍ୟୁରୋ(ଏସିବି) ସେଠାରେ ଚଢ଼ାଉ କରି ଏହି ଲାଞ୍ଚ କାରବାର ର‍୍ୟାକେଟର ପର୍ଦ୍ଦାଫାଶ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ ପ୍ରତି ମାସରେ ୮ ଲକ୍ଷ ଟଙ୍କା ଦେଇ କଏଦୀମାନେ ଭିଆଇପି ରୁମ୍‌ ବ୍ୟବହାର କରିପାରୁଥିଲେ। ଆଉ ମାସକୁ ୧୫ ହଜାର ଟଙ୍କା ଲାଞ୍ଚ ଦେଲେ ମିଳିଯାଉଥିଲା ସିଗାରେଟ୍‌ କୋଟା।

ଗୁପ୍ତ ବଖରା

ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏସିବିର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି କି, ଅଜମେର୍‌ କେନ୍ଦ୍ରୀୟ କାରାଗାରର ପ୍ରତ୍ୟେକ ବାରାକ୍‌ରେ ଏମିତି ଗୋଟିଏ ଗୋଟିଏ ବଖରା ରହିଛି, ଯେଉଁଠି କଏଦୀମାନଙ୍କୁ ଭିଆଇପି ସୁବିଧା ଦିଆଯାଉଥିଲା।
‘ତଦନ୍ତ ସମୟରେ ଆମକୁ ୧ରୁ ୧୫ ନଂ. ପଯ୍ୟର୍ନ୍ତ ସବୁ ବାରାକ୍‌ରେ ଭିଆଇପି କୋଠରୀ ନଜର ଆସିଥିଲା। ଏହା ସେହି କଏଦୀମାନଙ୍କ ପାଇଁ ତିଆରି କରାଯାଇଥିଲା, ଯେଉଁମାନେ ଆର୍ଥିକ ରୂପେ ସ୍ୱାଚ୍ଛନ୍ଦ୍ୟ ପରିବାରରୁ ଆସିଥିଲେ। ଏହି କୋଠରୀଗୁଡ଼ିକରେ ଚକ୍‌ ଚିହ୍ନ ରହିଥିଲା। କଏଦୀଙ୍କୁ ସଫା କୋଠରୀ, ସ୍ପେଶାଲ ଖାଦ୍ୟ, ସଫା କପଡ଼ା ଭଳି ବିଭିନ୍ନ ବିଳାସମୟ ସୁବିଧା ସବୁ ଯୋଗାଇ ଦିଆଯାଉଥିଲା’ ବୋଲି ଅଧିକାରୀ ଜଣକ କହିଛନ୍ତି।

jail33

ଏହାସହ ପଢ଼ନ୍ତୁ: ସୋସିଆଲ ମିଡ଼ିଆର ଦୁରୁପଯୋଗ ରୋକିବା ପାଇଁ ସୁପ୍ରିମ କୋର୍ଟ ଦେଲେ ନିର୍ଦ୍ଦେଶନାମା

ପରିବାରଠାରୁ ମିଡିଲ୍‌ ମ୍ୟାନ୍‌ ନେଉଥିଲା ଟଙ୍କା

ସୂଚନା ମୁତାବକ, ଏହି ଭିଆଇପି ରୁମ୍‌କୁ ବ୍ୟବହାର କରିବା ପାଇଁ ପ୍ରତି ମାସରେ ୮ ଲକ୍ଷ ଟଙ୍କା ଭଡ଼ା ଦେବାକୁ ପଡ଼ୁଥିଲା। ଜେଲ୍‌ ଷ୍ଟାଫ୍‌ଙ୍କ ମଧ୍ୟରେ ଥିବା ମିଡିଲ୍‌ ମ୍ୟାନ୍‌ କଏଦୀଙ୍କ ପରିବାର ଲୋକଙ୍କଠାରୁ ଜେଲ୍‌ ବାହାରୁ ଟଙ୍କା ନେଉଥିଲେ। କେତେଜଣ ଅନଲାଇନ୍‌ ମୋଡ୍‌ରେ ଟଙ୍କା ଟ୍ରାନ୍ସପର କରିଦେଉଥିଲେ। ଏହି ଘଟଣାରେ ତଦନ୍ତକାରୀ ସଂସ୍ଥା ର‍୍ୟାକେଟ୍‌ରେ ସମ୍ପୃକ୍ତ ଦୋଷୀମାନଙ୍କର ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ମାଗିଥିଲା। ଏହାସହିତ ୧୮ଟି ବ୍ୟାଙ୍କ ପାସ୍‌ବୁକକୁ ଜବତ କରିଥିଲା।

ନିଶା ପାଇଁ ଅଲଗା ଚାର୍ଜ

ଏସିିବିର ଆଉ ଜଣେ ଅଧିକାରୀଙ୍କ କହିବା ମୁତାବକ, କଏଦୀଙ୍କ ପରିଜନ ତମାଖୁ, ସିଗାରେଟ୍‌ ଭଳି ଜିନିଷ ପାଇଁ ଅଲଗା ଭାବେ ଟଙ୍କା ଦେଉଥିଲେ। ଗୋଟିଏ ପ୍ୟାକେଟ ସିଗାରେଟ୍‌ ପାଇଁ ୧୨ରୁ ୧୫ ହଜାର ଟଙ୍କା ପଯ୍ୟର୍ନ୍ତ ଚାର୍ଜ ନିଆଯାଉଥିଲା। ସେପଟେ ତମାଖୁ ପ୍ୟାକେଟ ପିଛା ୩୦୦ରୁ ୫୦୦ ଟଙ୍କା ରହିଥିଲା। ଚଳିତବର୍ଷ ଜୁଲାଇ ମାସରେ ଏସିବି ଏହି ଘଟଣାର ଖୁଲାସା କରିବା ସହିତ ର‍୍ୟାକେଟ୍‌ରେ ସମ୍ପୃକ୍ତ ୧୨ଜଣଙ୍କୁ ଗିରଫ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.