ତୁରନ୍ତ କୋଭିଡ ନିୟମ ମାନିବାକୁ IMA ର ପରାମର୍ଶ, ଜାରି ହେଲା ଆଡଭାଇଜରୀ

କରୋନା ସଂକ୍ରମଣ ମାମଲା ସମଗ୍ର ବିଶ୍ୱରେ ହୁହୁ ହୋଇ ବଢିବାରେ ଲାଗିଛି। ଚୀନ, ଜାପାନ ସମେତ ଅନେକ ଦେଶରେ ସ୍ଥିତି ବେଶ୍ ଖରାପ ରହିଛି। ଚୀନର ହସପିଟାଲରେ ଭେଣ୍ଟିଲେଟର ଅଭାବ ରହିଛି। ଚୀନରେ ଓମିକ୍ରନର ସବ ଭାରିଆଣ୍ଟ BF. 7 ଆତଙ୍କ ସୃଷ୍ଟି କରିଛି। ଭାରତରେ ମଧ୍ୟ ଏହି ଭାରିଆଣ୍ଟର ୪ ଜଣ ସଂକ୍ରମିତ ମିଳିଲେଣି। ଦୁଇଟି ମାମଲା ଗୁଜରାଟରେ ଠାବ ହୋଇଥିବା ବେଳେ ଆଉ ଗୋଟିଏ ମାମଲା ଓଡ଼ିଶାରେ ଠାବ ହୋଇଛି । ଭାରତରେ ସ୍ଥିତି ନିୟନ୍ତ୍ରଣ ଥିଲେ ବି ଏହାକୁ ନେଇ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। କରୋନା ସଂକଟ ମଧ୍ୟରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ଆଡଭାଇଜାରୀ ଜାରି କରିଛି ।
IMA ର ଆଡଭାଇଜରୀ :
– ସାର୍ବଜନିନ ସ୍ଥାନ ମାସ୍କ ପିନ୍ଧିବା ଜରୁରୀ ।
– ସାମାଜିକ ଦୂରତା ବଜାୟ ରଖନ୍ତୁ ।
– ସାନିଟାଇଜର ଏବଂ ସାବୁନରେ ହାତ ଧୁଅନ୍ତୁ ।
– ରାଜନୈତିକ ଏବଂ ସାମାଜିକ ସଭାକୁ ଯାଆନ୍ତୁ ନାହିଁ ।
– ବିଦେଶ ଯାତ୍ରା କରନ୍ତୁ ନାହିଁ ।
– ଜ୍ୱର, ତଣ୍ଟି ଦରଜ, କାଶ ଏବଂ ତରଳ ଝାଡା ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
– ଖୁବଶୀଘ୍ର କୋଭିଡ ଭ୍ୟାକସିନର ବୁଷ୍ଟର ଡୋଜ ନିଅନ୍ତୁ।
ଭାରତରେ ଗତ ୨୪ ଘଣ୍ଟାରେ ୧୪୫ ନୂଆ ମାମଲା ସାମ୍ନାକୁ ଆସିଛି। ଭାରତରେ ମଧ୍ୟ ୪ ଜଣ ଏହି ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୫ ଲକ୍ଷ ୩୭ ହଜାର କେସ୍ ଚୀନ, ଜାପାନ, କୋରିଆ ଏବଂ ଆମେରିକାରେ ରେକର୍ଡ କରାଯାଇଛି ।
ଚୀନରେ ଶବ ସତ୍କାର ପାଇଁ ଅପେକ୍ଷା କରିବାକୁ ପଡୁଛି । ଶେଷକୃତ୍ୟ ପାଇଁ ଶ୍ମଶାନରେ ଲାଗୁଛି ଲମ୍ବା ଲାଇନ୍ । ହସ୍ପିଟାଲରେ ବି ଦୟନୀୟ ସ୍ଥିତି । ବେଡ୍ ଉପରେ ପଡ଼ି ରହିଛି ମୃତଦେହ । ବିକଳ ଚିତ୍ର ସୋସିଆଲ୍ ମିଡିଆରେ ଘୂରି ବୁଲୁଛି । ବେଜିଂରେ ଦୁଇଟି ଶ୍ମଶାନ ଥିବାବେଳେ ଲୋକମାନେ ନିଜ ସମ୍ପର୍କୀୟଙ୍କ ଶେଷକୃତ୍ୟ ପାଇଁ ଦିନ ଦିନ ଲାଇନ ଦେଉଛନ୍ତି ।