Below header

ଦାଗୀ ନେତା ଆଜୀବନ ନିର୍ବାଚନରୁ ବାସନ୍ଦ ହେବେ କି ? ଆସି ଆସିବ ସୁପ୍ରିମ ଫୈସଲା

ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ନେତା ନିର୍ବାଚନରୁ ଆଜୀବନ ବାସନ୍ଦ ହେବେ କି ? ସୁପ୍ରିମକୋର୍ଟରେ ଆଜି ଆସିବ ଏହି ବହୁଚର୍ଚ୍ଚିତ ମାମଲାର ରାୟ।

ନୂଆଦିଲ୍ଲୀ : ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ନେତା ନିର୍ବାଚନରୁ ଆଜୀବନ ବାସନ୍ଦ ହେବେ କି ? ସୁପ୍ରିମକୋର୍ଟରେ ଆଜି ଆସିବ ଏହି ବହୁଚର୍ଚ୍ଚିତ ମାମଲାର ରାୟ। ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ସାଂସଦ ଓ ବିଧାୟକଙ୍କୁ ଆଜୀବନ ନିର୍ବାଚନରୁ ବାସନ୍ଦ କରିବା ନେଇ ହୋଇଥିବା ମାମଲାର ନିର୍ଦ୍ଦେଶନାମା ପ୍ରକାଶ ପାଇବ। ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ଜେ. ବି. ପରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ରାୟ ଶୁଣାଇବେ । ସୁପ୍ରିମକୋର୍ଟ ଆଇନଜୀବୀ ତଥା ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଏନେଇ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲେ । ପିଟିସନରେ ଜନ ପ୍ରତିନିଧି ଆଇନର ଧାରା-୮କୁ ଚ୍ୟାଲେଞ୍ଜ କରାଯାଇଛି। ଆବେଦନରେ ଦର୍ଶାଯାଇଛି ଯେ, ଏହି ନିୟମ ଅନୁଯାୟୀ ୨ ବର୍ଷ କିମ୍ବା ତା’ ଠାରୁ ଅଧିକ ଦଣ୍ଡିତ ହୋଇଥିବା ଜଣେ ନେତାଙ୍କୁ ତ୍ରୁଟିପୂର୍ଣ୍ଣ ରିହାତି ଦିଆଯାଇଛି। ଏଭଳି ଦୋଷୀ ନେତା ତାଙ୍କ ଦଣ୍ଡ ପୂରଣ କରିବାର ୬ ବର୍ଷ ପରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଗ୍ୟ ହେଉଛନ୍ତି ।

ଯାହାକି ସମ୍ବିଧାନର ଧାରା ୧୪ର ଉଲ୍ଲଂଘନ କରୁଛି । ଏହି ବ୍ୟବସ୍ଥାକୁ ଅସାମ୍ବିଧାନିକ ଘୋଷଣା କରିବାକୁ ପିଟିସନରେ ପ୍ରାର୍ଥନା କରିଛନ୍ତି ଆବେଦନକାରୀ । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ବିଜୟ ହାନସରିଆଙ୍କୁ ଆମିକସ୍ କ୍ୟୁରୀ ଭାବରେ ନିଯୁକ୍ତ କରିଥିଲେ। ସେ କୋର୍ଟଙ୍କୁ ପରାମର୍ଶ ଦେଇଥିଲେ ଯେ ଦୋଷୀ ନେତାଙ୍କୁ ସେମାନଙ୍କ ଜୀବନସାରା ନିର୍ବାଚନ ଲଢ଼ିବାକୁ ଦିଆନଯାଉ । ଆମିକସ୍ କ୍ୟୁରୀଙ୍କ ରିପୋର୍ଟରେ ଦର୍ଶାଯାଇଛି ଯେ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ସରକାରୀ ଚାକିରୀ ପାଇଁ ଅଯୋଗ୍ୟ ବୋଲି ବିବେଚନା କରାଯାଏ।ଜାତୀୟ ମାନବ ଅଧିକାର ଆୟୋଗ କିମ୍ବା କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ପରି ଅନୁଷ୍ଠାନରେ ମଧ୍ୟ ଦୋଷୀ ସାବ୍ୟସ୍ତ ବ୍ୟକ୍ତି କୌଣସି ପଦବୀ ପାଇଁ ଅଯୋଗ୍ୟ ବୋଲି ବିବେଚନା କରାଯାଏ। ଏଭଳି ପରିସ୍ଥିତିରେ ନେତାମାନଙ୍କୁ ବିଶେଷ ଛାଡ ଦେବାର କୌଣସି ଯଥାର୍ଥତା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.