Below header

ବଙ୍ଗୋପସାଗରରେ ସୃଷ୍ଟି ହେବ କି ବାତ୍ୟା? ବିଭିନ୍ନ ପାଣିପାଗ ସଂସ୍ଥାର ଭିନ୍ନ ଭିନ୍ନ ଆକଳନ ପରେ ଦ୍ବନ୍ଦରେ ଲୋକେ

କେନ୍ୟୁଜ୍: ବାତ୍ୟା ଚର୍ଚ୍ଚା ଥମୁନି । ବଙ୍ଗୋପସାଗରରେ ବାତ୍ୟା ପୂର୍ବାନୁମାନ କରୁଛନ୍ତି ବିଦେଶୀ ପାଣିପାଗ ସଂସ୍ଥା । ସମ୍ଭାବ୍ୟ ବାତ୍ୟା କୁଆଡ଼େ ଯିବ ? ଏଭଳି ଚର୍ଚ୍ଚା ଭିତରେ ବିଭିନ୍ନ ପାଣିପାଗ ସଂସ୍ଥା ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । ଓ୍ଵିଣ୍ଡିର ଦୁଇଟି ମଡେଲ୍‌ ବାତ୍ୟା ପୂର୍ବାନୁମାନ କରୁଥିବା ବେଳେ ଏହାର ଗତିପଥ ଆନ୍ଧ୍ର ଉପକୂଳ ମୁହାଁ ହେବ ବୋଲି ଦର୍ଶାଉଛନ୍ତି ।

ଓ୍ଵିଣ୍ଡିର ୟୁରୋପିଆନ୍‌ ECMWF ମଡେଲ୍‌ କହୁଛି ୨୪ ତାରିଖରେ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳ ପାଖରେ ପହଞ୍ଚିବ । କିନ୍ତୁ ଲାଣ୍ଡଫଲ୍‌ ନେଇ ଏଯାଏ କୌଣସି ସ୍ପଷ୍ଟ ସୂଚନା ନାହିଁ । ସମାନ ଆଶଙ୍କା କରୁଛି ଆମେରିକୀୟ ମଡେଲ୍‌ GFS । ୨୪ରେ ସମ୍ଭାବ୍ୟ ବାତ୍ୟା ବିଜୟନଗରମ୍‌ ଓ ବିଶାଖାପାଟଣା ପାଖରେ ପହଞ୍ଚିବ । ବିଜୟନଗରମ୍‌ ଓ ବିଶାଖାପାଟଣା ମଝିରେ କେଉଁଠି ଲାଣ୍ଡଫଲ୍‌ କରିପାରେ ବୋଲି ଦର୍ଶାଉଛି GFS ମଡେଲ୍‌ । ଅର୍ଥାତ୍‌ ଗତକାଲି ଅପେକ୍ଷା ଆଜି ସମ୍ଭାବ୍ୟ ଗତିପଥରେ ପରିବର୍ତ୍ତନ ଦେଖାଦେଇଛି ।

ସେପଟେ ଆକ୍ୟୁ େଓ୍ଵଦର ପାଣିପାଗ ବିଜ୍ଞାନୀ ଆଣ୍ଡାମନ ଦ୍ୱୀପ ନିକଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି କହିଛନ୍ତି । ଏହା ଘନୀଭୂତ ହୋଇ ଡିପ ଡିପ୍ରେସନ୍‌ କିମ୍ବା ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ପୂର୍ବ ଭାରତ ଉପକୂଳ ପ୍ରତି ବିପଦ ରହିଛି ।

ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ ୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ପୂର୍ବାନୁମାନ କରିଛି । ତେବେ ଏହା ଆଗକୁ କେଉଁ ରୂପ ନେବ କୌଣସି ସୂଚନା ଦିଆଯାଇନି । ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ଜାରି ରହିଛି । ଏହି ସମୟରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.