Below header

ବିତିଲାଣି ୭୧ ବର୍ଷ, ଏବେ ବଦଳିବାର ସମୟ

ଭୁବନେଶ୍ୱର (କେନ୍ୟୁଜ୍‌) : ବଦଳୁଛି ସମୟ, ବଦଳୁଛି ସମାଜ । ତା ସହିତ ବଦଳି ଯାଉଛି ଲୋକ ଚରିତ୍ର । ହେଲେ ବଦଳୁନି ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସ ଅବସରରେ ଆମର ଦେଶଭକ୍ତି ଓ ଜାତୀୟ ପତାକା ଉତ୍ତୋଳନ । ପୁଣି ଜାତୀୟ ସଂଗୀତ ଗାନ । ତେବେ ପତାକା ଉତ୍ତୋଳନ ବେଳେ ଯେଉଁ ମନୋଭାବ ନେଇ ଆମେ ହୃଦୟକୁ ଆର୍ଦ୍ର କରି ଦେଉ, ଯେଉଁ ଆବେଗ ନେଇ ଜାତୀୟ ସଂଗୀତ ଗାନ କରୁ ତାକୁ ପର ମୁହୂର୍ତ୍ତରେ ଭୁଲିଯାଉ କେମିତି ? ଆମେ ସେଇ ମହାନ୍‌ ଭାରତର ସନ୍ତାନ ଯେଉଁଠି ସର୍ବଧର୍ମ ସମନ୍ଵୟ, ବିଭିନ୍ନତାରେ ଏକତା, ଅତିଥି ଦେବୋଭବ, ନାରୀକୁ ସମ୍ମାନର ଗାଥା ଓ ପରମ୍ପରା ରହିଛି ।

ଆମେ ସିନା କ୍ରିକେଟ୍‌ ମ୍ୟାଚ୍‌ ଓ ସିନେମା ହଲ୍‌ରେ ଅଭିନେତାର ଅଭିନୟ ଦେଖି ସବୁ କିଛି ଭୁଲି ବିତିଲାଣି ୭୧ ବର୍ଷ, ଏବେ ବଦଳିବାର ସମୟଏକାଠି ହେଉଛୁ ହେଲେ ଦେଶ ଗଠନ, ଅନ୍ୟ ପ୍ରତି ସମ୍ବେଦନଶୀଳ ହେବା ବେଳେ କଞ୍ଜୁସି କରୁଛୁ । ନିଜର ସ୍ୱାର୍ଥ ପାଇଁ ଆମ ଚାରି ପାଖରେ ଘଟୁଥିବା ଘଟଣାକୁ ଏଡ଼ାଇ ଯାଉଛୁ । ସ୍ୱାଧୀନତାକୁ ୭୧ ବର୍ଷ ବିତିଗଲାଣି । ବିଜ୍ଞାନ ଦୃଷ୍ଟିରୁ ଆମେ ଅନେକ ବିକାଶ ଓ ଉନ୍ନତି କରିଛୁ । ହେଲେ ମାନସିକତାରେ ପଛେଇ ଯାଇଛୁ ଅନେକ । ନହେଲେ ଆମ ଚାରି ପାଖରେ ଘଟୁଥିବା ଘଟଣା, ଦୁର୍ଘଟଣାକୁ ଆମେ ମଥାପାତି ସହି ଯାନ୍ତେ ନାହିଁ । ସେ ନାବାଳିକା କିମ୍ବା ନାରୀ ଦୁଷ୍କର୍ମ ହେଉ ଅଥବା ଯେକୌଣସି ଅପରାଧ । ତାକୁ ରୋକିବାର ସାମର୍ଥ୍ୟ ଆମର ଅଛି । କିନ୍ତୁ ଆମେ ଟିକିଏ ସାହସ ଖର୍ଚ୍ଚ କରିବାକୁ ଭୀରୁତା ଦେଖାଉଛୁ ।

ସ୍ୱଚ୍ଛତା ପାଇଁ ଆମେ ସମସ୍ତେ ଆଗ୍ରହୀ । ହେଲେ ସ୍ୱଚ୍ଛ ପରିବେଶ ସୃଷ୍ଟି ପାଇଁ ଉଦ୍ୟମ କରୁନାହୁଁ । ଦେଶ ଗଠନରେ ସବୁଠୁ ବେଶି ଅବଦାନ ଥିବା ସୈନିକ ଓ କୃଷକଙ୍କ ପ୍ରତି ଯେତିକି ସମ୍ବେଦନଶୀଳ ହେବା କଥା ସେତିକି ହେଉନାହୁଁ । ଆମେ ଚାହୁଁ ଜଣେ ଆମକୁ ବାଟ କଢ଼ାଉ । ହେଲେ ଆମ ଭିତରେ ଜଣେ ଜଣେ ଗାନ୍ଧୀ ଅଛନ୍ତି । ତେଣୁ ଏକଲା ଚଲୋ ନୀତିରେ ଆଗେଇ ଚାଲିଲେ ଆମ ସହ ଜଣେ ଜଣେ ନିଶ୍ଚୟ ମିଶିବେ । ତେଣୁ ନିବେଦନ ଏଇ ସ୍ୱାଧୀନତା ଦିବସ ଅବସରରେ । ଅଳ୍ପ ସମ୍ବେଦନଶୀଳତା ଓ କିଛି ଧୈର୍ଯ୍ୟ ଏବଂ ଆମର ପରମ୍ପରା ଓ ସଂସ୍କୃତି ପ୍ରତି ସମ୍ମାନ ଆମକୁ ପୁଣି ସେଇ ମହାନ ଦେଶର ମହାନତମ ଜନଗଣ କରି ତୋଳିବ । କେନ୍ୟୁଜ୍‌ ପରିବାର ତରଫରୁ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ, ଶୁଭେଚ୍ଛା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.