ଆସନ୍ତା ୧୦ରେ ପଦ୍ମ ବେଶରେ ଦର୍ଶନ ଦେବେ ଭାବ ବିନୋଦିଆ

ଆସନ୍ତା ୧୦ ତାରିଖ ଶନିବାର ଦିନ ପଦ୍ମ ବେଶରେ ଦର୍ଶନ ଦେବେ ଭାବ ବିନୋଦିଆ । ପଦ୍ମରେ ଝଟକିବ ଶ୍ରୀମୁଖ । ଏହି ପଦ୍ମ ବେଶର ମହତ୍ୱ ହେଉଛି ମହାପ୍ରଭୁ ବଡସିଂହାର ବେଶ ପରିଧାନ କରି ସକାଳ ମଙ୍ଗଳଆଳତୀ ପର୍ଯ୍ୟନ୍ତ ରହିଥାନ୍ତି ।

ପୁରୀ (କେନ୍ୟୁଜ): ଆସନ୍ତା ୧୦ ତାରିଖ ଶନିବାର ଦିନ ପଦ୍ମ ବେଶରେ ଦର୍ଶନ ଦେବେ ଭାବ ବିନୋଦିଆ । ପଦ୍ମରେ ଝଟକିବ ଶ୍ରୀମୁଖ । ଏହି ପଦ୍ମ ବେଶର ମହତ୍ୱ ହେଉଛି ମହାପ୍ରଭୁ ବଡସିଂହାର ବେଶ ପରିଧାନ କରି ସକାଳ ମଙ୍ଗଳଆଳତୀ ପର୍ଯ୍ୟନ୍ତ ରହିଥାନ୍ତି । ସମ୍ପୂର୍ଣ୍ଣ ବେଶ କାର୍ଯ୍ୟ ପାଣି ସୋଲରେ ପ୍ରସ୍ତୁତ ହୋଇଥାଏ । ଗତ ଇନ୍ଦୁ ପୂର୍ଣ୍ଣମୀରୁ ୭ ଜଣ କାରିଗରଙ୍କ ଦ୍ଵାରା ଗଙ୍ଗାମାତା ମଠ ପରିସରରେ ଏହି ବେଶ ଭକ୍ତି ଓ ନିଷ୍ଠାର ସହ ତିଆରି କରାଯାଇଛି।

ଏହି ବେଶ ପଦ୍ମ ଫୁଲଠୁ ନେଇ ପଦ୍ମ ପାଖୁଡ଼ା, ପଦ୍ମ କେଶର, ଆମ୍ବକଷି, ଡାଳି, ୭ଟି ଗଛ, ୭ଟି ସିଂହାସନ, ୩ଟି ଶ୍ରୀମୁଖ ପଦ୍ମ ସବୁକିଛି ସୋଲ ଓ ଜରିରେ ପ୍ରସ୍ତୁତ ହେଉଛି । ଏହାବ୍ୟତୀତ ୩ଟି ବଡ଼ ଚୂଳ ମଧ୍ୟ ପ୍ରସ୍ତୁତ କରାଯାଉଛି । ସୋଲକୁ କାଗଜ ଭଳି କାଟି ପ୍ରସ୍ତୁତ କରିବା ପରେ ଏହାକୁ ପଦ୍ମର ରୂପ ଦିଆଯାଉଛି । ଏହା ବ୍ୟତୀତ ସନ୍ତରାରେ ବଳା ତିଆରି କରାଯାଇଛି । ବେଶ ପ୍ରସ୍ତୁତ କରୁଥିବା ଶିଳ୍ପୀ ବସନ୍ତ କୁମାର ରଣାଙ୍କ କହିବା ଅନୁଯାୟୀ, ଶ୍ରୀମୁଖରେ ତୁଳସୀକୁ ବଳା ସଦୃଶ ପ୍ରସ୍ତୁତ କରି ସଜ୍ଜାଯାଏ । ପରେ ବେଶ ବନ୍ଧା ଯାଇଥାଏ ।

ତାଙ୍କ ସହ ସତ୍ୟନାରାୟଣ ବେହେରା, ସନ୍ତୋଷ କୁମାର ମିଶ୍ର, ବାମଦେବ ମହାପାତ୍ର, ଜିତେନ୍ଦ୍ର ମହାରଣା ବେଶ ପ୍ରସ୍ତୁତ କରୁଛନ୍ତି ବୋଲି ସେ କହିଛନ୍ତି । ବଡ଼ଛତା ମଠ ପକ୍ଷରୁ ବେଶର ସମସ୍ତ ଖର୍ଚ୍ଚ ବହନ କରାଯାଏ । ବେଶ ପାଇଁ ଆବଶ୍ୟକ ସୋଲ, ଜରି, କଇଁଥ ଅଠା, କନା, ବେତ, ବାଉଁଶ, ସନ୍ତରା ଆଦି ମଠ ତରଫରୁ ଯୋଗାଇ ଦିଆଯାଇଥାଏ । ପଣ୍ଡୁ ପୂର୍ଣ୍ଣିମାଠାରୁ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଏ । ଠାକୁରଙ୍କୁ ପରମ ଭକ୍ତମାନେ ଯେଉଁ ବେଶରେ ଦେଖିବାକୁ ଚାହିଁଛନ୍ତି ସେ ସେଇ ବେଶରେ ଦର୍ଶନ ଦେଇଛନ୍ତି । କଥିତ ଅଛି, ସପ୍ତଦଶ ଶତାବ୍ଦୀରୁ ବଡ଼ଛତା ମଠର ସନ୍ଥ ରଘୁବର ଦାସ ଏହି ବେଶ ଆରମ୍ଭ କରିଥିଲେ। ସେବେଠୁ ନିରବଚ୍ଛିନ୍ନ ଭାବେ ଏହି ବେଶ କରାଯାଉଛି ।

ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତ ସାରି ରାତିରେ ଚନ୍ଦନଲାଗି ଓ ବଡ଼ସିଂହାର ବେଶ ସମୟରେ ଏହି ବେଶ ଅନୁଷ୍ଠିତ ହୁଏ । ବେଶ ପରେ ଶ୍ରୀଜିଉଙ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖିରି ଓ ଅମାଲୁ ଭୋଗ ଲାଗି ହୁଏ । ପରମ୍ପରା ମୁତାବକ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ବସନ୍ତପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ୱା ଶନିବାର ପଡିଥାଏ ସେହିଦିନ ମହାପ୍ରଭୁଙ୍କର ପଦ୍ମବେଶ ଅନୁଷ୍ଠିତ ହୋଇଥାଏ । ଏହି ବେଶ ଆସନ୍ତା ୧୦ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ । ଭକ୍ତ ମନୋହରର ଦାଶର ମନବାଞ୍ଛା ପୂରଣ କରିବା ପାଇଁ ମହାପ୍ରଭୁ ମଉଳା ପଦ୍ମଫୁଲରେ ଏହି ବେଶ ଧାରଣ କରିଥାନ୍ତି । ସପ୍ତଦଶ ଶତାଦ୍ଧୀରୁ ବଡଛତା ମଠର ସନ୍ଥ ରଘୁବର ଦାସ ଏହି ବେଶ ଆରମ୍ଭ କରିଥିଲେ ।

ସୋଲ,ଜରି,କନା,କଇଥ ଅଠାରେ ପ୍ରସ୍ତୁତ ପଦ୍ମବେଶକୁ ବଡଛତା ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ । କୀରୀଟ,ଚୂଳ, ହୃଦପଦକ, କରପଲ୍ଲବ,ଶ୍ରୀମୁଖ ପଦ୍ମରେ ବିଭୂଷିତ ହୋଇ ଝଲସିବେ ମହାପ୍ରଭୁ । ତେବେ ଭକ୍ତ ଓ ଭଗବାନଙ୍କ ସମ୍ପର୍କର ନିଦର୍ଶନ ସ୍ୱରୁପ ଏହି ପଦ୍ମବେଶ ଅନୁଷ୍ଠିତ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.