ଓଡିଶାର ଏହି ଗାଁରେ ରହିଛି ମାତ୍ର ଗୋଟିଏ ଟିଭି, ଜାଣନ୍ତୁ କାହିଁକି

ଗଂଜାମ (କେନ୍ୟୁଜ) : ଆଜି କାଲି ଦୁନିଆରେ କାହା ଘରେ ଟିଭି ନାହିଁ କହିଲେ ? ସେ ଗରିବ ହେଉ କି ଧନୀ ଛୋଟ କିମ୍ବା ବଡ଼ ଟିଭିଟିଏ ଘରେ ନିଶ୍ଚୟ ଥିବ । ତେବେ ଆମେ ଆଜି ରାଜ୍ୟର ଏଭଳି ଏକ ଗାଁରେ ପହଞ୍ଚିଥିଲୁ ଯେଉଁଠି ପଞ୍ଚତିରିଶି ଘରକୁ ରହିଛି ଗୋଟିଏ ଟିଭି। ଆମେ ଆପଣଙ୍କୁ କହୁଛୁ ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ମଳକୁଟପଲ୍ଲୀ ଗାଁ କଥା। ଏହି ପଞ୍ଚାୟତର ଏକ ଅଜଣା ଅଶୁଣା ଗାଁ ହେଉଛି ମଳକୁଟପଲ୍ଲୀ । ଗାଁରେ ରୁହନ୍ତି କନ୍ଧ ଆଦିବାସୀ ସଂପ୍ରଦାୟର ଲୋକେ। ଜୀବନ ଜୀବିକା କହିଲେ କୃଷି।

ବଣ ପାହାଡ ଉପରେ ଥିବା ଏହି ଗାଁର ଲୋକେ ରାତି ପାହିଲେ ଜଙ୍ଗଲ ଉପରେ ହିଁ ନିର୍ଭର କରନ୍ତି । ଧାନ, ମୁଗ ଚାଷ ହେଉଛି ଏମାନଙ୍କ ମୁଖ୍ଯ ଜୀବିକା। ତେଣୁ ପ୍ରାୟ ସମସ୍ତେ ହେଉଛନ୍ତି ଆର୍ଥିକ ଦୁର୍ବଳ ଶ୍ରେଣୀର । ଗାଁରେ ବହୁ ବର୍ଷ ପୂର୍ବରୁ ରାଜ୍ଯ ସରକାରଙ୍କ ଯୋଜନାରେ ଗୋଟିଏ ଏନ୍‌ଜିଓ ଜରିଆରେ ପାନୀୟ ଜଳ ଯୋଗାଣ ହୋଇଥିଲା । କିଛି ଘର ବି କରିଥିଲେ କିନ୍ତୁ ତାହା ଏବେ ଦୟନୀୟ ଅବସ୍ଥାରେ । ତଥାପି ନାହିଁ ନାହିଁ ମଧ୍ୟରେ ସମ୍ଭାବନା ସୃଷ୍ଟି କରିଛନ୍ତି ଗାଁର କିଛି ଯୁବକ । ତିନି ଜଣ ଯୁବକ ଏବେ ସରକାରୀ ଚାକିରିରେ।

ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ଥିଲା । ତେବେ ପିଲାମାନଙ୍କ ଉପସ୍ଥାନ କମ୍‌ ହେବାରୁ ଚଳିତ ବର୍ଷ ସ୍କୁଲଟିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବହୁ ବର୍ଷ ପୂର୍ବରୁ ଏଠାରେ ଶିକ୍ଷା ଅଭାବରୁ ଅଧାରୁ ପାଠ ଛାଡି ଦେଉଥିଲେ ପିଲାଏ । ଏବେ କିନ୍ତୁ ତାହା ନାହିଁ। ଏମାନଙ୍କ ଭିତରୁ କମଳା ମଲ୍ଲିକଙ୍କ ପୁଅ ମହେଶ୍ୱର ମଲ୍ଲିକ କିସରେ ପାଠ ପଢି ସରକାରୀ ଚାକିରି କରିଛନ୍ତି । ଏହାପରେ ଗାଁର ଅନ୍ଯ ଯୁବକଙ୍କ ମଧ୍ୟରେ ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ ପାଇଛି। ଏହି ପ୍ରେରଣାରେ ଆଉ ଜଣେ ଯୁବକ ଶିକ୍ଷକ ଚାକିରି ମଧ୍ୟ ପାଇଛନ୍ତି।

ତେବେ ଏହି ଗାଁରେ ଏତେ ପରିବାର ଥିଲେ ମଧ୍ୟ ଟିଭି ଅଛି ମାତ୍ର ଗୋଟିଏ । ଅବଶ୍ୟ ଅନେକ ଯୁବକଙ୍କ ହାତରେ ଅଛି ଏଣ୍ଡ୍ରୋଡ୍‌ ମୋବାଇଲ୍‌ ଫୋନ୍‌। କାରଣ ବାହାର ରାଜ୍ଯକୁ ଯାଇ କାମ କରି ଫେରିଲା ବେଳେ ସାଙ୍ଗରେ କିଛି ବି ନଆସୁ ହେଲେ ଥିବା ମୋବାଇଲଟିଏ । ଯାହାକି ଟିଭିର କାମ ଚଳାଇଦିଏ । ଏହାଛଡ଼ା ମୋବାଇଲରେ ଯଦି ସବୁ କିଛି ଦେଖି ହେଉଛି ଓ ଜାଣି ହେଉଛି ସେଠି ଏତେବଡ଼ ଟିଭିଟିଏ ଘରେ ରଖିବା କଣ ଦରକାର ? ପଚାରିଲେ ଏହି ଉତ୍ତର ଦିଅନ୍ତି ସେମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.