Below header

ବାତ୍ୟାକୁ ବିତିଛି ୪୫ ବର୍ଷ, ଆଜିବି ମନେପକାଇ କାନ୍ଦୁଛି ପୁରୁଣାବାନ୍ଧଗୋଡା ଗାଁ

ନିମିଷକ ମଧ୍ୟରେ ଘୂର୍ଣ୍ଣିବାତ୍ୟା ପ୍ରଳୟଙ୍କରୀ ରୂପ ଧାରଣ କଲା । କେହିକିଛି ବୁଝିବା ପୂର୍ବରୁ ଘୋଘୋ ଶଦ୍ଦକରି ମାଡ଼ି ଆସିଲା ପବନ । ସବୁକିଛି ଛାରଖାର କରି ପକାଇଲା । ମଣିଷଠୁ ଗାଈଗୋରୁଙ୍କୁ ଉଡ଼ାଇ ନେଇ କଚାଡ଼ି ଦେଉଥିଲା । ଓପାଡ଼ି ପକାଇଲା ବିରାଟ ବିରାଟ ଗଛ । କେହି ମୂହୁର୍ତ୍ତରେ ଶ୍ମସାନରେ ପରିଣତ ହୋଇ ଯାଇଥିଲା ଗାଁ ।

କେନ୍ୟୁଜ୍‌(ବ୍ୟୁରୋ): ୧୯୭୮ ଏପ୍ରିଲ ୧୬ । ସମୟ ପାଖାପାଖି ଅପରାହ୍ନ ୪ଟା । ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ପୁରୁଣାବାନ୍ଧଗୋଡା ଗାଁ । ହଠାତ ଆକାଶରେ ଘୋଟି ଆସିଲା କଳା ବାଦଲ । ଧିରେ ଧିରେ ଘନୀଭୂତ ହୋଇ ଘୂର୍ଣ୍ଣିବାତ୍ୟାର ରୂପନେଲା । ନିମିଷକ ମଧ୍ୟରେ ଘୂର୍ଣ୍ଣିବାତ୍ୟା ପ୍ରଳୟଙ୍କରୀ ରୂପ ଧାରଣ କଲା । କେହିକିଛି ବୁଝିବା ପୂର୍ବରୁ ଘୋଘୋ ଶଦ୍ଦକରି ମାଡ଼ି ଆସିଲା ପବନ । ନିମିଷକ ମଧ୍ୟରେ ସବୁକିଛି ଛାରଖାର କରି ପକାଇଲା । ପବନ ଏତେ ଜୋର ଥିଲା ଯେ ମଣିଷଠୁ ଗାଈଗୋରୁଙ୍କୁ ଉଡ଼ାଇ ନେଇ କଚାଡ଼ି ଦେଉଥିଲା । ଓପାଡ଼ି ପକାଇଲା ବିରାଟ ବିରାଟ ଗଛ । ଘରର ଚାଳ ଛପର ଟେକି ନେଇ ଫିଙ୍ଗି ଦେଉଥିଲା । ଗାଁର ୧୨୦ଟି ଘର ମାଟିରେ ମିଶି ଯାଇଥିଲା । କ୍ଷଣିକ ମଧ୍ୟରେ ୧୭୮ଜଣ ଲୋକଙ୍କ ଜୀବନ ଚାଲିଯିବା ସହ ଅନେକ ଗୃହପାଳିତ ପଶୁ ପ୍ରାଣ ହରାଇଥିଲେ । କେହି ମୂହୁର୍ତ୍ତରେ ଶ୍ମସାନରେ ପରିଣତ ହୋଇ ଯାଇଥିଲା ଗାଁ ।

ଏହାରି ଭିତରେ ଘୂର୍ଣ୍ଣିବାତ୍ୟାକୁ ପୁରିଛି ୪୫ ବର୍ଷ । ବାତ୍ୟା ପରର ଦୃଶ୍ୟଥିଲା ଛାତିଥରା ଓ ହୃଦୟ ବିଦାରକ । ଯେଉଁମାନେ ବି ଇଶ୍ୱରଙ୍କ ଦୟାରୁ ବଞ୍ଚିଗଲେ ତା ପରର ଉଜୁଡ଼ା ଗାଁକୁ ଦେଖି ସେମାନଙ୍କ ଛାତି ଯେମିତି ଫାଟି ଯାଉଥିଲା । କାହାର ଘର ଉଜୁଡ଼ି ଯାଇଥିଲା ତ କାହା ପାଖରେ ଆଉ କିଛି ବି ବଞ୍ଚି ନଥିଲା । କେହି କେହି ତ ନିଜର ଅତି ଆପଣାରକୁ ହରାଇ ବଞ୍ଚି ଥାଉଥାଉ ଅଧମରା ଅବସ୍ଥାକୁ ଚାଲି ଯାଇଥିଲେ । ଚାରି ଆଡ଼େ ଖାଲି ମଣିଷ ଓ ପଶୁଙ୍କ ଶବ ଦେଖା ଯାଉଥିଲା, ତାସହ ଉଜୁଡ଼ା ଘର ।

ବାତ୍ୟା ପରେପରେ ଗାଁକୁ ତୁରନ୍ତ ପହଁଚିଥିଲେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ । ଏହାସହ ସରକାରୀ ସହାୟତା ଯୋଗାଇ ଦେଇଥିଲେ । ରିଲିଫକୁ ତ୍ୱରାନ୍ଵିତ କରାଯାଇଥିଲା । ଦେଶ ବିଦେଶରୁ ସହାୟତାର ସୁହ ଛୁଟିଥିଲା । ଗାଁ ମୁଣ୍ଡରେ ସମସ୍ତଙ୍କ ଦାହ ସଂସ୍କାର କରାଗଲା । ଆଜିବି ସେଠାରେ ସ୍ମୃତି ଫଳକ ରହିଛି । ଏହାରି ଭିତରେ ପୁରୁଣାବାନ୍ଧଗୋଡା ଗାଁ ଅନେକ ଆଗକୁ ବଢିଛି । ଉଧେଇ ଠିଆ ହୋଇଛି । ବିକାଶର ରାସ୍ତାରେ ଆଗକୁ ବଢିଛି । କିନ୍ତୁ ନିଜର ସେହି କାଳ ଦିନକୁ ଭୁଲି ପାରିନି । ପୁରୁଣା କଥାକୁ ମନେ ପକାଇ ଜକେଇ ଜକେଇ କାନ୍ଦୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.