Below header

ସାକାର ହେବ ସ୍ୱପ୍ନ: ଅଷ୍ଟ୍ରେଲିଆ ଯାଇ ପାଠ ପଢିବେ କେନ୍ଦୁଝରର ୫ଜଣ ମେଧାବୀ ଛାତ୍ରଛାତ୍ରୀ

କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରୁ ବିଟେକ୍ ପାସ୍ କରିଥିବା ୫ଜଣ ଛାତ୍ରଛାତ୍ରୀ ଆସନ୍ତା ୧୭ତାରିଖରେ ଅଷ୍ଟ୍ରେଲିଆର କର୍ଟିନ୍ ବିଶ୍ବବିଦ୍ୟାଳୟରେ ମାଇନିଂ ଇଞ୍ଜିନିୟରିଂରେ ଉଚ୍ଚଶିକ୍ଷା ହାସଲ କରିବେ । ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବହନ କରିବ ।

କେନ୍ଦୁଝର(କେନ୍ୟୁଜ୍): ଅଷ୍ଟ୍ରେଲିଆ ଯାଇ ପାଠ ପଢିବେ କେନ୍ଦୁଝରର ୫ଜଣ ମେଧାବୀ ଛାତ୍ରଛାତ୍ରୀ । କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରୁ ବିଟେକ୍ ପାସ୍ କରିଥିବା ୫ଜଣ ଛାତ୍ରଛାତ୍ରୀ ଆସନ୍ତା ୧୭ତାରିଖରେ ଅଷ୍ଟ୍ରେଲିଆର କର୍ଟିନ୍ ବିଶ୍ୱବିଦ୍ୟାଳୟରେ ମାଇନିଂ ଇଞ୍ଜିନିୟରିଂରେ ଉଚ୍ଚଶିକ୍ଷା ହାସଲ କରିବେ । ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବହନ କରିବ । ଏହି ଉଦ୍ଦେଶ୍ୟରେ ଗତକାଲି କେନ୍ଦୁଝରରେ ଏକ ସମ୍ବର୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଷ୍ଟ୍ରେଲିଆ ସରକାରଙ୍କ ଶିକ୍ଷା ବିଭାଗ ସହ, ଅନ୍ୟ ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ।

କେନ୍ଦୁଝର ସହର ଅଡିଟୋରିୟମ୍ ରେ ଏକାଠି ହୋଇଥିଲେ ସହରର ସୁନାମଧନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ, ବିଶିଷ୍ଟ ଶିକ୍ଷାବିତ୍ ଓ ଅଭିଭାବକ । ଜିଲ୍ଲାରୁ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ପଢିବାକୁ ଯାଉଥିବା ୫ଜଣ ଛାତ୍ରଛାତ୍ରୀ ଏଠାରେ ଏକାଠି ହୋଇଥିଲେ । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ୫ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳ ଆଶିଷ୍ ଠାକରେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଧିତ କରିଥିଲେ । ଏହାପରେ ଛାତ୍ରଛାତ୍ରୀମାନଙ୍କର ଅଭିଭାବକମାନଙ୍କୁ ସମ୍ବର୍ଧିତ କରିଥିଲେ ଜିଲ୍ଲାପାଳ । ଏହି କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆରୁ ଆଭାସୀ ଜରିଆରେ ଯୋଡି ହୋଇଥିବା ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନେକ ପ୍ରେରଣୀଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ ।

କେବେବି ଚିନ୍ତା କରି ନଥିବା ସରକାରୀ ଇଞ୍ଜିନିୟରିଂ କଲେଜରୁ ବିଟେକ୍ ପାସ୍ କରିଥିବା ଏହି ଛାତ୍ରଛାତ୍ରୀମାନଙ୍କ ସ୍ବପ୍ନ ଆଜି ସଫଳ ହୋଇଛି । ଅଷ୍ଟ୍ରେଲିଆରେ ସେମାନଙ୍କର ୨ବର୍ଷର ସମସ୍ତ ଯାତାୟାତ, ପାଠପଢା, ରହଣି ସମୟର ସମସ୍ତ ଖର୍ଚ୍ଚ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ବହନ କରାଯିବ । ଅଷ୍ଟ୍ରେଲିଆର କର୍ଟିନ୍ ବିଶ୍ୱବିଦ୍ୟାଳୟ ଅଧିନ ୱେଷ୍ଟ ଅଷ୍ଟ୍ରେଲିଆନ୍ ସ୍କୁଲ୍ ଅଫ୍ ମାଇନସ୍, ମିନୋରଲ୍ସ, ଏନର୍ଜି ଆଣ୍ଡ କେମିକାଲ୍ ଇଞ୍ଜିନିୟରିଂ ରେ ଏହି ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ହାସଲ କରିବେ । ପିଲାମାନଙ୍କୁ ବିଦେଶରେ ଏଭଳି ଉନ୍ନତମାନର ଉଚ୍ଚଶିକ୍ଷା ନିଜ ଅର୍ଜିତ ଅର୍ଥରୁ ଦେବା ଅସମ୍ଭବ ବୋଲି କହିଛନ୍ତି ଅଭିଭାବକ । ଏଥିପାଇଁ ସେମାନେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଏବର୍ଷ ଜିଲ୍ଲା ପ୍ରଶାସନ ଦ୍ବାରା ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଗକୁ ଅଧିକ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷାଦାନ ପାଇଁ ବିଦେଶ ପଠାଇବା ବନ୍ଦୋବସ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.