ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ, ୩୭୧ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ

ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ । ତାଙ୍କୁ ଆନ୍ଧ୍ରପ୍ରଦେଶ ସିଆଇଡି ପୋଲିସ ଗିରଫ କରିଛି । ୩୭୧ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

ନୂଆଦିଲ୍ଲୀ : ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ । ତାଙ୍କୁ ରାତି ଅଧିଆ ଗିରଫ କରିଛି ଆନ୍ଧ୍ରପ୍ରଦେଶ ସିଆଇଡି ପୋଲିସ । ରାଜ୍ୟ ଦକ୍ଷତା ବିକାଶରେ ୩୭୧ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ନନ୍ଦୟାଲ ସ୍ଥିତ ଆକେ ଫଙ୍କସନ୍ ହଲରୁ ତାଙ୍କୁ ଗିରଫ କରିଛି ଆନ୍ଧ୍ରପ୍ରଦେଶ ସିଆଇଡି । ପ୍ରିଭେନସ୍ ଅଫ୍ କରପସନ୍ ଆକ୍ଟରେ ଗିରଫ ହୋଇଛନ୍ତି ଚନ୍ଦ୍ରବାବୁ ନାଇଡୁ । ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ ଅଛନ୍ତି ।

୨୦୨୧ ମସିହାରେ ଏହି ଦୁର୍ନୀତି ମାମଲା ହୋଇଥିଲା । ଚନ୍ଦ୍ରବାବୁଙ୍କ ବିରୋଧରେ ଜାରି ହୋଇଥିଲା ଆରେଷ୍ଟ ୱାରେଣ୍ଟ। ହେପାଜତରେ ନେବାକୁ ରାତି ୩ଟା ବେଳେ ପହଞ୍ଚିଥିଲା ପୋଲିସ ଓ ସିଆଇଡି । ଏତିକିବେଳେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଦେଖାଦେଇଥିଲା ପ୍ରବଳ ଉତ୍ତେଜନା । ଗିରଫକୁ ବିରୋଧ କରି ଏକାଠି ହୋଇଥିଲା ଶତାଧିକ ଟିଡିପି କର୍ମୀ । ପ୍ରବଳ ନାରାବାଜି କରିଥିଲେ । ଏତିକିବେଳେ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଟିଡିପି କର୍ମୀ । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଚନ୍ଦ୍ରବାବୁଙ୍କ ଗିରଫ ପରେ ପୂର୍ବ ଗୋଦାବରୀ ଜିଲ୍ଲାରେ ଧାରଣା ଦେଇଥିଲେ ତାଙ୍କ ପୁଅ ନାରା ଲୋକେଶ । ବାପାଙ୍କ ସହ ସାକ୍ଷାତ କରିବାକୁ ପୋଲିସ ଛାଡୁ ନଥିବା ଅଭିଯୋଗରେ ଧାରଣା ଦେବା ବେଳେ ନାରା ଲୋକେଶଙ୍କୁ ପୋଲିସ ହେପାଜତରେ ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.