ଜାଣନ୍ତି କି ? ରାମାୟଣର ପ୍ରତ୍ୟେକ ଚରିତ୍ର ଦିଅନ୍ତି ଅନେକ ନୀତିଶିକ୍ଷା

ସମାଜ ସଂସ୍କାର ଏବଂ ଜନଜୀବନକୁ ଶୃଙ୍ଖଳିତ ଓ ମାର୍ଜିତ କରିବା ଲାଗି ଆମ ପୂର୍ବଜମାନେ ଆନେକ ନୀତି ଶିକ୍ଷା ଦେଇ ଯାଇଛନ୍ତି । ପୁଣି ରାମାୟଣ, ମହାଭାରତ, ଉପନିଷଦ ଭଳି ଗ୍ରନ୍ଥ ଆମକୁ ଭାରତୀୟ ସଂସ୍କୃତିର ବାର୍ତ୍ତା ଦେଇଥାଏ । ଏବେ ଏସବୁ ଆମକୁ କୌଣସି ଶିକ୍ଷାନୁଷ୍ଠାନରୁ ମିଳୁ ନାହିଁ । ପରିବାରରୁ ମଧ୍ୟ ମିଳିବା କମି ଯାଇଛି । ତେଣୁ ଧୀରେ ଧୀରେ ସଂସ୍କୃତି ହେଉଛି ଅପସଂସ୍କୃତି । ଆସନ୍ତୁ ରାମାୟଣରୁ ନେବା କିଛି ନୀତି ଶିକ୍ଷା । ଯାହା କେବଳ ଭାଷଣ ଭାବେ ନୁହେଁ ନିଜ ଦୈନନ୍ଦିନ ଜୀବନ ପାଇଁ ମଧ୍ୟ ଖୁବ୍‌ ଉପଯୋଗୀ ।
୧-ଶ୍ରୀରାମଙ୍କ ପିତା ରାଜା ଦଶରଥ ଯେତେବେଳେ ଦେଖିଲେ ତାଙ୍କ ଦାଢ଼ି ଧଳା ହୋଇଗଲାଣି ସେତେବେଳେ ସେ ତୁରନ୍ତ ରାମଙ୍କୁ ରାଜା କରିବା କଥା ଘୋଷଣା କଲେ । ଏହାର ଅର୍ଥ ହେଉଛି ଆମେ ଆମ ଜୀବନକୁ ପରିସ୍ଥିତି, ପରିବେଶ ଓ ଭିବଷ୍ୟତକୁ ଦୃଷ୍ଟିରେ ରଖି ଗଢ଼ିବା ଉଚିତ । କିଛି ଲୋକ ବୟସାଧିକ୍ୟ ହୋଇଯିବା ସତ୍ତ୍ୱେ ପଦବି ଛାଡ଼ନ୍ତି ନାହିଁ । କ୍ଷମତାକୁ ଜାବୁଡ଼ି ଧରନ୍ତି । ଯାହା ଫଳରେ ଯୁବ ପିଢ଼ି ପାଇଁ ବାଟ ବନ୍ଦ ରହେ ।
୨-ଆସନ୍ତାକାଲି ରାଜା ହୋଇଥାନ୍ତେ ହେଲେ ପିତୃସତ୍ୟ ପାଳନ କରି ରାମ ତା ପୂର୍ବଦିନ ବନବାସରେ ଚାଲିଗଲେ । ଅତି ଆନନ୍ଦରେ ତ୍ୟାଗ କଲେ ଅଯୋଧ୍ୟାର ସିଂହାସନ । ଏହାର ଅର୍ଥ ହେଉଛି ବିପରୀତ ପରିସ୍ଥିତିରେ ନିଜକୁ ନିଜେ ଚିହ୍ନିବାର ସୁଯୋଗ ମିଳେ । ବିକାଶର ସମ୍ଭାବନା ବଢ଼େ ଏବଂ ଯେକୌଣସି ପରିସ୍ଥିତିର ସାମନା କରିବାକୁ ସାହସ ଆସେ ।
୩-ବନବାସ ଯିବା ପାଇଁ ରମା ବାଧ୍ୟ ଥିଲେ । ହେଲେ ବାଧ୍ୟବାଧକତା ନଥିଲା ସୀତା ମାତାଙ୍କ ଉପରେ । ଏହାର ଅର୍ଥ ହେଉଛି, ଯେକୌଣସି ପରିସ୍ଥିତିରେ ବି ଆମେ ନିଷ୍ଠାବାନ୍‌ ରହିବା ଉଚିତ । କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ଶ୍ରଦ୍ଧା ଆମକୁ ମର୍ଯ୍ୟାଦା ଦେଇଥାଏ
୪-ଏବେ ଭରତଙ୍କ ଉଦାହରଣ ନେବା । ଶ୍ରୀରାମଙ୍କ ସାନ ଭାଇ ଭରତ ଅଯୋଧ୍ୟାରେ ଶାସନ କରିବାର ପୂରା ସୁଯୋଗ ପାଇଲେ । ହେଲେ ସେ କଣ କଲେ ନା ରାମଙ୍କ କଠଉ ବା ପାଦୁକା ଆଣି ସିଂହାସନରେ ରଖି ତାଙ୍କର ପ୍ରତିନିଧି ଭାବେ ଶାସନ କଲେ । ତାଙ୍କ ଠାରୁ ଏହି ଶିକ୍ଷା ମିଳିଲା ଯେ ଯେଉଁ ଜିନିଷ ଉପରେ ତୁମର ନୈତିକ ଅଧିକାର ନାହିଁ ତା ଉପରେ ଅଧିକାର ସାବ୍ୟସ୍ତ କରିବା ଉଚିତ ନୁହେଁ ।
୫-ଶ୍ରୀରାମ ସବୁ ବେଳେ ଭାରତଙ୍କର ଅଧିକ ପ୍ରଶଂସା କରିଛନ୍ତି । ଯଦିଓ ତାଙ୍କ ସହିତ ଲକ୍ଷ୍ମଣ ଛାଇ ଭଳି ରହୁଥିଲେ ଓ ତାଙ୍କରି ଆଦେଶ ଅନୁସାରେ ସବୁ କାମ କରୁଥିଲେ । ହେଲେ କେବେବି ସେ ଏଥିରେ ପ୍ରତିକ୍ରିୟାଶୀଳ ହୋଇ ନାହାନ୍ତି । ଏହାର ଅର୍ଥ ଯେକୌଣସି କାମ ବା ନିଜର କର୍ତ୍ତବ୍ୟ କରୁଛ ସେଥିରୁ ଫଳ କିମ୍ବା ପ୍ରଶଂସାର ଆଶା ରଖ ନାହିଁ । କାରଣ ଏଭଳି କିଛି ଇଚ୍ଛା ତୁମକୁ ବିଚଳିତ କରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.