Below header

ମିଳିଲାନି ଆମ୍ବୁଲାନ୍ସ , ବାଇକରେ ଶିଶୁର ଶବ ନେଇ ବ୍ୟବଚ୍ଛେଦ ପାଇଁ ଗଲେ ପରିବାର ଲୋକେ

ଗାଡି ନମିଳିବାରୁ ବାଇକରେ ନିଜ ସାଢେ ୪ବର୍ଷର କଅଁଳ ଶିଶୁ ପୁତ୍ରର ମୃତଦେହକୁ ବ୍ୟବଚ୍ଛେଦ ପାଇଁ କାନ୍ଧରେ ପକାଇ କଟକ ବଡ ମେଡ଼ିକାଲକୁ ଆଣିଲେ ବାପା ଓ ବଡ ବାପା ।

ସାଲେପୁର(କେନ୍ୟୁଜ୍): ଯଦି ଆପଣ ଜଣେ ବାପା ହୋଇଥିବେ ତେବେ ଏ ଦୃଶ୍ୟ ହୁଏତ ଆପଣଙ୍କୁ ବ୍ୟତିବ୍ୟସ୍ତ କରି ପକାଇବ । ଗାଡି ନମିଳିବାରୁ ବାଇକରେ ନିଜ ସାଢେ ୪ବର୍ଷର କଅଁଳ ଶିଶୁ ପୁତ୍ରର ମୃତଦେହକୁ ବ୍ୟବଚ୍ଛେଦ ପାଇଁ କାନ୍ଧରେ ପକାଇ କଟକ ବଡ ମେଡ଼ିକାଲକୁ ନେବା ଅତି ର୍ଦୁଭାଗ୍ୟଜନକ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର-କଟକ ରାସ୍ତାରେ। ଆଜି ମଧ୍ୟାହ୍ନ ସମୟରେ ସାଲେପୁର ଥାନା ବୋଦାମୁଣ୍ଡେଇ ନିକଟ ୬ ନମ୍ବର କେନାଲରେ ଚମାରିଓଳ ଗାଁର କ୍ଷିତିସ ରଞ୍ଜନ ଓଝାଙ୍କ ଶିଶୁପୁତ୍ର କୌଣସି କାରଣରୁ ପଡିଯାଇଥିଲେ । ପରେ ସ୍ଥାନୀୟ ଲୋକେ ଉଦ୍ଧାର କରିବାପରେ ପ୍ରଥମେ ସାଲେପୁର ସିଏଚସି ନେଇଥିଲେ। ହେଲେ ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ ।

ଶବ ବ୍ୟବଚ୍ଛେଦ ପାଇଁ କୌଣସି ସରକାରୀ ଯାନର ଵ୍ୟବସ୍ଥା ନହେବା କାରଣରୁ ଶେଷରେ ବାଇକ ଯୋଗେ ଶିଶୁଟିକୁ କଟକ ବଡ ମେଡିକାଲ ନେଉଥିବାବେଳର ଏହି ଭିଜୁଆଲ୍ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଶିଶୁଟିର ବାପା ଓ ବଡବାପା ବାଇକ୍ ରେ ନେଇଯାଉଥିବାର ଏହି ଦୃଶ୍ୟକୁ ସଭିଏଁ ଭତ୍ସନା କରିଛନ୍ତି । ମେଡିକାଲ୍ ରେ ବହୁ ଘଣ୍ଟା ଧରି ଅପେକ୍ଷା କରି ଡାକ୍ତରଙ୍କୁ ଜଣାଇଥିଲେ ବି କୌଣସି ସୁବିଧା ହେଇ ପାରିନଥିଲା । ଫଳରେ ବାଧ୍ୟ ହୋଇ ଏଭଳି ବାଇକରେ ଶିଶୁଟିର ମୃତଦେହ ଘର ଲୋକେ ନେଇଥିବା ନେଇ ଅଭିଯୋଗ କରିଛନ୍ତି ।

କେତେବେଳେ ଟ୍ରଲି ତ କେତେବେଳେ ରିକ୍ସାରେ, କେତେବେଳେ ସାଇକେଲରେ ତ କେତେବେଳେ ବାଇକରେ ବୁହା ହେଉଛି ଶବ । ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏଥିପ୍ରତି ସ୍ୱାସ୍ଥ୍ୟବିଭାଗ ଦୃଷ୍ଟି ଦେବାପାଇଁ ଦାବି ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.