Below header

କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁଙ୍କ ଘର କାନ୍ଥକୁ ଧକ୍କା ଦେଲେ କ୍ୟାବ୍‌ ଡ୍ରାଇଭର, କାନ୍ଥରେ ସୃଷ୍ଟି ହେଲା ବିରାଟ କଣା

ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁଙ୍କ ସରକାରୀ ବାସଭବନକୁ ଜୋର୍‌ରେ ଧକ୍କା ଦେଇଛି ଏକ ଦ୍ରୁତଗାମୀ କ୍ୟାବ୍‌। ଏହି ଦୁର୍ଘଟଣାରେ କାନ୍ଥର ଗୋଟିଏ ଭାଗ ଭାଙ୍ଗିଯାଇ ସେଠାରେ ବିରାଟ କଣା ସୃଷ୍ଟି ହୋଇଛି।

ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁଙ୍କ ସରକାରୀ ବାସଭବନକୁ ଜୋର୍‌ରେ ଧକ୍କା ଦେଇଛି ଏକ ଦ୍ରୁତଗାମୀ କ୍ୟାବ୍‌। ଏହି ଦୁର୍ଘଟଣାରେ କାନ୍ଥର ଗୋଟିଏ ଭାଗ ଭାଙ୍ଗିଯାଇ ସେଠାରେ ବିରାଟ କଣା ସୃଷ୍ଟି ହୋଇଛି। ଘଟଣା ପରେ ସମ୍ପୃକ୍ତ କ୍ୟାବ୍‌ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖିଥିଲା। ଗୁଇନ୍ଦ ଏଜେନ୍ସିର ଦୀର୍ଘ ସମୟ ଧରି ପଚରାଉଚରା ପରେ ତାଙ୍କୁ ଛାଡ଼ି ଦିଆଯାଇଛି।

ସୂଚନାଥାଉ କି, କିରେନ୍‌ ରିଜିଜୁ କୃଷ୍ଣା ମେନନ ମାର୍ଗସ୍ଥିତ ନିଜ ସରକାରୀ ବାସଭବନରେ ରୁହନ୍ତି। ବୁଧବାର ଦ୍ରୁତ ଗତିରେ ଆସୁଥିବା ଏକ କ୍ୟାବ୍‌ ତାଙ୍କ ବାସଭବନ କାନ୍ଥରେ ଜୋର୍‌ରେ ଧକ୍କା ହୋଇଥିଲା। ଫଳରେ କାନ୍ଥଟି ଭାଙ୍ଗିଯାଇଥିଲା।

ସୂଚନା ମୁତାବକ, ଦୁର୍ଘଟଣା ଘଟାଇଥିବା କ୍ୟାବ୍‌ ଡ୍ରାଇଭର ହେଲେ ନୁଁହର ବାସିନ୍ଦା ରହିମ୍‌ ଖାନ। ସେ କହିଛନ୍ତି ଯେ ଏକ ବସ୍‌ ତାଙ୍କ କ୍ୟାବ୍‌କୁ ଧକ୍କା ଦେଇଥିଲା, ଯାହାଫଳରେ ସେ ଭାରସାମ୍ୟ ହରାଇ କେନ୍ଦ୍ରମନ୍ତ୍ରୀଙ୍କ ବାସଭବନ କାନ୍ଥରେ ପିଟି ହୋଇଯାଇଥିଲେ। ରହିମ୍‌ ନିଜ ପରିବାର ସହିତ ନୁଁହ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ସେପଟେ ଏହି ଘଟଣା ପରେ କେନ୍ଦ୍ରମନ୍ତ୍ରୀଙ୍କ ବାସଭବନରେ ମୁତୟନ ସୁରକ୍ଷାକର୍ମୀ ତତ୍ପର ହୋଇପଡ଼ିଥିଲେ। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ନେଇ ଖବର ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.