Below header

ସ୍ୱାଭିମାନୀ କମଳଙ୍କ ଭିନ୍ନ କାହାଣୀ, ଯାହାକୁ ନେଇ ଚାଲିଛି ଏବେ ବିଭିନ୍ନ ଚର୍ଚ୍ଚା

ଭାରତର ପୂର୍ବତନ କ୍ରିକେଟର ଭି ଭିଏସ ଲକ୍ଷ୍ମଣଙ୍କ ଟୁଇଟ୍ ଆସିବା ପରେ ଜରି ଗୋଟାଳି କମଳ ଲୋଚନଙ୍କୁ ନେଇ ବିଭିନ୍ନ ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ଚର୍ଚ୍ଚା। ଏବେ କମଳଙ୍କୁ ନେଇ ବିଭିନ୍ନ ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ବିଭିନ୍ନ ଚର୍ଚ୍ଚା। ବିଭିନ୍ନ ପଶୁଙ୍କୁ ଖାଦ୍ୟ ଯୋଗାଡ କରି ଦେଉଥିବା କମଳଙ୍କ ରହିଛି ଭିନ୍ନ ଏକ କାହାଣୀ। ପରିସ୍ଥିତି କିଭଳି ଜଣେ ଯୋଗ୍ୟ ଏବଂ ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତିଙ୍କୁ ଏଭଳି ସ୍ଥିତିରେ ପହଞ୍ଚାଇଦେଇଛି।

ନାମ କମଳ ଲୋଚନ ବଳିୟାରସିଂ, ସ୍ଥାନୀୟ ଲୋକେ କମଳ ବାଇଆ ବୋଲି ଜାଣନ୍ତି। ବୟସ ପାଖାପାଖି ୬୦ରୁ ଉର୍ଦ୍ଧ୍ୱ ହେବ। ଘର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ନୂଆଗାଁରେ । ଏକ ଭଲ ପରିବାରରେ ଜନ୍ମ ଗ୍ରହଣ କରିଥିବା କମଳ ଛୋଟ ବେଳରୁ ଏପରି ନୁହନ୍ତି। ତାଙ୍କୁ ପରିସ୍ଥିତି ଏପରି କରିବାକୁ ବାଧ୍ୟ କରିଛି।
କମଳଙ୍କ ବଡ ଭାଇ ମରିବା ପରେ ଭାଉଜଙ୍କ ସହିତ ପରିବାର ଲୋକେ ବିବାହ କରିଦେଇଥିଲେ । କମଳଙ୍କ ଇଚ୍ଛା ନଥିବା ସ୍ଥଳେ ପରିବାରର ଚାପ ଯୋଗୁଁ ଭାଉଜଙ୍କୁ ବିବାହ କରିଥିଲେ। ଘରର ଚାପ ସତ୍ତ୍ୱେ ଏସବୁକୁ ଆପଣାଇ ନେଇଥିଲେ କମଳ। କିନ୍ତୁ ଏହା ଭିତରେ ଖୁସିରେ ନଥାଇ ଅନେକ ମାନସିକ ଯନ୍ତ୍ରଣାରେ ଗତି କରୁଥିଲେ କମଳ।

kamal 2

କିନ୍ତୁ ଦଇବ ତାଙ୍କୁ ଆଉ ଏକ ବଡ ଦୁଃଖ ଦେଇଗଲା। କମଳଙ୍କ ପୁଅ ଏକ ଦୁର୍ଘଟଣାରେ ପ୍ରାଣ ହରାଇଲେ। ଏହାପରେ କମଳ ଆହୁରି ଭାଙ୍ଗି ପଡିଲେ। ଧିରେ ଧିରେ ମାନସିକ ଯନ୍ତ୍ରଣାରେ ଗତି କରୁଥିବା କମଳଙ୍କୁ ଘର ଦ୍ୱାର ସବୁ ନିସ୍ୱ ଲାଗିଲା। ଘର ଛାଡି ଏତେ ତେଣେ ବୁଲିବାକୁ ଲାଗିଲେ। ଜରି ଗୋଟାଇବା, ପ୍ଲାଷ୍ଟିକ ବୋତଲ ଗୋଟାଇବା କାମ କରିବାକୁ ଲାଗିଲେ। ଭୁବନେଶ୍ୱର ଷ୍ଟେସନ ଏବଂ ଏହାର ଆଖପାଖ ଅଞ୍ଚଳରେ ରହି ଏହି କାମ କରିବା ସହ କଥା କହିପାରୁନଥିବା ପଶୁଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି। ଭୁବନେଶ୍ୱର ଷ୍ଟେସନରେ ବୁଲୁଥିବା କମଳ କେବେ ଭିକ ମାଗନ୍ତି ନାହିଁ, କାହାର ଆର୍ଥିକ ସହାୟତା ଗ୍ରହଣ କରନ୍ତି ନାହିଁ। ଭୁବନେଶ୍ୱର ଷ୍ଟେସନରେ ଯାତ୍ରୀ ଡଷ୍ଟବିନରେ ପକାଇ ଦେଉଥିବା ଖାଦ୍ୟକୁ ବାଛି ନେଇ କୁକୁରମାନଙ୍କୁ ଖାଇବାକୁ ଦେଇଥାନ୍ତି କମଳ।

କମଳଙ୍କ ପତ୍ନୀ ଏବଂ ଆଉ ଏକ ପୁତ୍ର ଏବଂ ଝିଅ ଏବେ ଖୋର୍ଦ୍ଧାର ଗୁରୁଜଙ୍ଗ ଅଞ୍ଚଳରେ ରହୁଛନ୍ତି।  ବେଳେ ବେଳେ ମନ ହେଲେ କମଳ ଗାଁ ଏବଂ ପରିବାର ପାଖକୁ ବୁଲିବାକୁ ଯାଇଥାନ୍ତି। କିନ୍ତୁ ପଶୁମାନଙ୍କ ପ୍ରତି ଏହି ସ୍ନେହ ଏବଂ ଭଲପାଇବା ତାଙ୍କୁ ପୁଣି ଏହି ସ୍ଥାନକୁ ଟାଣିଆଣେ। ଏଭଳି ସ୍ଥିତିରେ ନିଜକୁ ପ୍ରତିଦିନ ଖାଇବା ମିଳିବ କି ନାହିଁ ତାହା ଜାଣିନଥିବା କମଳ କିନ୍ତୁ ପ୍ରତିଦିନ କୁକୁରଙ୍କ ପାଇଁ ଖାଇବା ସଂଗ୍ରହ କରିଦିଅନ୍ତି। ଏହି ବୁଲା କୁକରମାନଙ୍କ ପ୍ରତି ଏପରି ଭଲ ପାଇବା ଆଜି ତାଙ୍କୁ ସମାଜର ଭିଡ ଭିତରୁ ଜଣେ ନିଆରା ମଣିଷ ଭାବେ ପରିଚୟ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.