ଆଦର୍ଶ ବିବାହ: ଜାତି ଗୋତ୍ର ଭୁଲି ଆଦିବାସୀ ଯୁବତୀଙ୍କୁ ବିବାହ କଲେ ଖଣ୍ଡାୟତ ଯୁବକ

ଏବିବାହ ହେଉଛି ଏକ ଆଦର୍ଶ ବିବାହ । ଭଦ୍ରକର ଅଗ୍ରଣୀ ସାମାଜିକ ସେବା ସଂସ୍ଥା ଫେଲୋସିପ ଅନୁଷ୍ଠାନ ପକ୍ଷରୁ ଏହି ଆଦର୍ଶ ବିବାହ ସମ୍ପନ୍ନ ହୋଇଛି । ଭଦ୍ରକ ସହରସ୍ଥିତ ଲୋକନାଥ ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା ବିବାହ । ସ୍ଵଧାର ଗୃହରେ ଥିବା ଜଣେ ଆଦିବାସୀ ଯୁବତୀଙ୍କୁ ଜଣେ ଖଣ୍ଡାୟତ ଯୁବକ ବିବାହ କରିଛନ୍ତି । ଏହି ଉପଲକ୍ଷେ ସେଠାରେ ଉଭୟ ସରକାରୀ ବେସରକାରୀ ଅଧିକାରୀଙ୍କ ସମାଗମ ହୋଇଥିଲା ।

ଭଦ୍ରକ(କେନ୍ୟୁଜ୍):  ଚାଲିଛି ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ । ତା ସାଙ୍ଗକୁ ହୁଳହୁଳି ଓ ଶଙ୍ଖ ଧ୍ୱନି ମଧ୍ୟରେ ହେଉଛି ବାହାଘର। ବାହାବେଦି, ହୋମ ନିଆଁକୁ ସାକ୍ଷୀ ରଖି ରୀତିନୀତି ଅନୁଯାୟୀ ଆଗେଇ ଚାଲିଛି ଏହି ଶୁଭ କାର୍ଯ୍ୟ । ବର ଓ କନ୍ୟା ପକ୍ଷର ଉପସ୍ଥିତ ଅଛନ୍ତି ବନ୍ଧୁବାନ୍ଧବ । ସମସ୍ତେ ଉତ୍ସାହିତ ଥିବାବେଳେ ବେଦିରେ ବସିଥିବା ବର ଓ କନ୍ୟାଙ୍କୁ ସଭିଏଁ ଦେଉଛନ୍ତି ଆର୍ଶିବାଦ ।

ଏବିବାହ ହେଉଛି ଏକ ଆଦର୍ଶ ବିବାହ । ଭଦ୍ରକର ଅଗ୍ରଣୀ ସାମାଜିକ ସେବା ସଂସ୍ଥା ଫେଲୋସିପ ଅନୁଷ୍ଠାନ ପକ୍ଷରୁ ଏହି ଆଦର୍ଶ ବିବାହ ସମ୍ପନ୍ନ ହୋଇଛି । ଭଦ୍ରକ ସହରସ୍ଥିତ ଲୋକନାଥ ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା ବିବାହ । ସ୍ଵଧାର ଗୃହରେ ଥିବା ଜଣେ ଆଦିବାସୀ ଯୁବତୀଙ୍କୁ ଜଣେ ଖଣ୍ଡାୟତ ଯୁବକ ବିବାହ କରିଛନ୍ତି । ଏହି ଉପଲକ୍ଷେ ସେଠାରେ ଉଭୟ ସରକାରୀ ବେସରକାରୀ ଅଧିକାରୀଙ୍କ ସମାଗମ ହୋଇଥିଲା ।

ସୂଚନା ଥାଉକି, ଆଜକୁ ପ୍ରାୟ ୫ବର୍ଷ ହେଲା ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଂଚଳର ମାଣ୍ଡୋଇ ହୋ ନାମକ ଜଣେ ଆଦିବାସୀ ଯୁବତୀ ଅସହାୟ ଅବସ୍ଥାରେ ଭଦ୍ରକ ଚଲିଆସିଥିଲେ। ପରେ ଫେଲୋସିପ ସ୍ଵଧାର ଗୃହରେ ଆସି ଆଶ୍ରୟ ନେଇଥିଲେ । ତେଣୁ ସ୍ଵଧାର ଗୃହ ପକ୍ଷରୁ ତାଙ୍କର ସମସ୍ତ ଯତ୍ନ ନିଆଯିବା ସହିତ ତାଙ୍କୁ ଦକ୍ଷତା ଭିତ୍ତିକ ଟ୍ରେନିଂ ମଧ୍ୟ ଦିଆଯାଇଥିଲା । ଏହାପରେ ତାଙ୍କର ବିବାହ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ସ୍ଥିର କରାଗଲା ।

adarsha bibaha

ସେହି ଅନୁଯାୟୀ ତିହିଡି ବ୍ଲକ କୁବେର ପଂଚାୟତ ଦେଉଳା ଗ୍ରାମର ଅନନ୍ତ ସ୍ଵାଇଁଙ୍କ ସହିତ ମାଣ୍ଡୋଇଙ୍କ ବିବାହ ପ୍ରସ୍ତାବ ପଡିଥିଲା। ଉଭୟ ଏଥିରେ ସହମତି ପ୍ରକାଶ କରିବା ପରେ ଗତକାଲି ଲୋକନାଥ ମନ୍ଦିର ପରିସରରେ ଏହି ଆଦର୍ଶ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ବର ପକ୍ଷରୁ ସବୁ ଲୋକ ମାନେ ଆସିଥିଲା ବେଳେ କନ୍ୟା ପକ୍ଷ ତରଫରୁ ମଧ୍ୟ ସ୍ଵଧାର ଗୃହର ସବୁ କର୍ମଚାରୀ ମାନେ ଯୋଗ ଦେଇଥିଲେ। ଏହାସହିତ ସେଠାରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ସହିତ ଫେଲୋସିପର ନିର୍ଦେଶକ ମଧ୍ୟ ଉପସ୍ଥିତ ରହିଥିଲେ ।

ହିନ୍ଦୁ ରୀତି ନୀତି ଅନୁଯାୟୀ ଏହି ବୈବାହିକ କାର୍ଯ୍ୟ ସମାପିତ ହୋଇଥିବାବେଳେ, ଜାତି ଧର୍ମ ବର୍ଣ୍ଣ ର୍ନିବିଶେଷରେ ଅନୁଷ୍ଠିତ ଏହି ଆଦର୍ଶ ବିବାହକୁ ସଭିଏଁ ପ୍ରଶଂସା କରିଛନ୍ତି । ଉଭୟ ବର କନ୍ୟାକୁ ଆଶୀର୍ବାଦ ଦେବା ସହିତ ସେମାନଙ୍କୁ ଶୁଭକାମନା ଜଣାଇଛନ୍ତି।